ପୁଣେ: ମହାରାଷ୍ଟ୍ରର ପୁଣେରୁ ଏକ ଚକିତକର ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୫ ବର୍ଷୀୟ ସିକ୍ୟୁରିଟି ଗାର୍ଡ ଜଣେ ୧୫ ବର୍ଷୀୟ ନାବାଳିକା ସହିତ ମାସ ମାସ ଧରି ଦୁଷ୍କର୍ମ କରିଛି। ଅଭିଯୁକ୍ତ ନାବାଳିକାକୁ ଜୀବନରେ ମାରି ଦେବାକୁ ଧମକ ଦେଇ ଯୌନ ଶୋଷଣ କରି ଚାଲିଥିଲା। ଏହି ଲଜ୍ଜାଜନକ ଘଟଣା ସେହି ସମୟରେ ସାମ୍ନାକୁ ଆସିଥିଲା ଯେତେବେଳେ ପୀଡ଼ିତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିଲା ଏବଂ ମେଡିକାଲ୍ ଟେଷ୍ଟରୁ ଜଣା ପଡ଼ିଲା ଯେ, ପୀଡ଼ିତା ୫ ମାସର ଗର୍ଭବତୀ। ପୋଲିସ ମାମଲା ରୁଜୁ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଫେରାର ରହିଛି।

ଭରସା ଜିତି କଲା ଦୁଷ୍କର୍ମ

ଏହି ଚାଞ୍ଚଲ୍ୟକର ଘଟଣା ପୁଣେର ଲକ୍ଷ୍ମୀନଗର ଅଞ୍ଚଳରେ ଘଟିଛି। ଏଠାରେ ୨୫ ବର୍ଷୀୟ ଶୈଳେସ କୁମାର ନାମକ ଜଣେ ଯୁବକ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା। ସେ ୟରବଡ଼ାର ଜୟ ଯବାନ ନଗର ସ୍ଥିତ ସୋସାଇଟିର ଗ୍ରାଉଣ୍ଡ ଫ୍ଲୋରରେ ରହୁଥିଲା। ପୋଲିସ ଅନୁଯାୟୀ, ଅଭିଯୁକ୍ତ ପରିବାରର ସମସ୍ତ ଗତିବିଧି ବିଷୟରେ ଜାଣିଥିଲା। ଆଉ ଏହାର ଫାଇଦା ଉଠାଇଥିଲା। ନାବାଳିକାର ଭରସା ଜିତିବା ପରେ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାର ମାହୋଲ ରହିଛି।

Also Read: ସଇତାନ ସାଜିଲା ପ୍ରେମିକା, ହୋଟେଲ ରୁମ୍ରେ ମଦ ପିଇବା ପରେ ପ୍ରେମିକକୁ ହାତୁଡ଼ିରେ ପିଟି ପିଟି କଲା ହତ୍ୟା

ପୋଲିସର ତଦନ୍ତ ଅନୁସାରେ, ଏହି ଘଟଣା ୨୦୨୫ ନଭେମ୍ବର ୧୬ରୁ ୨୦୨୬ ଏପ୍ରିଲ ୧୫ ମଧ୍ୟରେ ଘଟିଛି। ଅଭିଯୁକ୍ତ ଶୈଳେସ କୁମାର ନାବାଳିକାଙ୍କୁ ଜୀବନରେ ମାରି ଦେବାକୁ ଧମକ ପରେ ଧମକ ଦେଇ ଚାଲିଥିଲା। ଫଳରେ ଭୟରେ ପୀଡ଼ିତା କାହାରିକୁ କିଛି କହିବାକୁ ସାହାସ କରି ନ ଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳିକାକୁ ବାରମ୍ବାର ଯୌନ ଶୋଷଣ କରି ଚାଲିଥିଲା। ଯୁବତୀ ମାନସିକ ଚାପ ଓ ଭୟରେ ରହୁଥିଲେ।

ସ୍ଵାସ୍ଥ୍ୟ ବିଗିଡ଼ିବାରୁ ଘଟଣାର ହେଲା ଖୁଲାସା

ଏବେ ପୀଡ଼ିତାଙ୍କ ୪୨ ବର୍ଷୀୟ ମାଆ ଲକ୍ଷ୍ମୀନଗର ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପରିବାର ଲୋକଙ୍କୁ ଏ ବିଷୟରେ କିଛି ଜଣା ନ ଥିଲା ଯେ, ତାଙ୍କ ଝିଅ ସହ ଏତେ ବଡ଼ ଘଟଣା ଘଟିଛି। ଅଭିଯୁକ୍ତର ଧମକ କାରଣରୁ ଝିଅ ଘଟଣା ବିଷୟରେ କାହାରିକୁ କିଛି ଜଣାଇ ନ ଥିଲା। ହେଲେ ସମୟ ବିତିବା ସହ ତାର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଲା।

Also Read: ହାଏରେ ଏ ପ୍ରେମ, କି ବାୟା କଲା... ୪୦ ବର୍ଷୀୟ ‘ଆଣ୍ଟି’ଙ୍କୁ ନେଇ ୨୦ ବର୍ଷର ଯୁବକ ଫେରାର

ନିକଟରେ ଯେବେ ପୀଡ଼ିତାଙ୍କ ସ୍ଵାସ୍ଥ୍ୟ ଅଧିକ ବିଗିଡ଼ିଲା, ତାଙ୍କ ମାଆ ତାଙ୍କୁ ପୁଣେର ସସୁନ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଯାଞ୍ଚ ପରେ ଚାଞ୍ଚଲ୍ୟକର ଖୁଲାସା କରିଥିଲେ ଯେ, ୧୫ ବର୍ଷୀୟ ନାବାଳିକା ୫ ମାସର ଗର୍ଭବତୀ। ଏହି ଖବର ଶୁଣିବା ମାତ୍ରେ ପରିବାରର ପାଦ ତଳୁ ମାଟି ଖସି ଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ଏହି ମାମଲାର ସୂଚନା ପୋଲିସକୁ ଦେଇଥିଲେ। ଏହା ପରେ ପୋଲିସ ଏଫଆଇଆର ରୁଜୁ କରିଥିଲା।

ପୋଲିସ ଅଭିଯୁକ୍ତ ଶୈଳେସ କୁମାର ବିରୋଧରେ ପୋକ୍ସୋ ଆକ୍ଟ ଆଧାରରେ ଗମ୍ଭୀର ଧାରା ରୁଜୁ କରିଛି। ଅନ୍ୟପଟେ ଅଭିଯୁକ୍ତ ଖବର ପାଇବା ମାତ୍ରେ ତୁରନ୍ତ ଫେରାର ମାରିଛି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।