ପୁଣେ : ମହାରାଷ୍ଟ୍ରରେ ଲଗାତାର ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପୁଣେ ଜିଲ୍ଲାର ପାଟଣ ଅଞ୍ଚଳରେ ସୋମବାର ସକାଳେ ହୋଇଥିବା ଏକ ଭୟଙ୍କର ଭୂସ୍ଖଳନରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ପାହାଡ଼ରୁ ବିପୁଳ ପରିମାଣର ମାଟି ଓ ପଥର ଖସି ଅନେକ ଘର ଉପରେ ପଡ଼ିଥିବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣା ବିଷୟରେ ସୂଚନା ପାଇବା ପରେ NDRF ଟିମ , ଅଗ୍ନିଶମ ବାହିନୀ, ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଧ୍ୱଂସାବଶେଷ ତଳୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଖପାଖ ଅଞ୍ଚଳରେ ସତର୍କତା ଜାରି କରାଯାଇଛି।

ଏପଟେ ଲଗାତାର ବର୍ଷା ଯୋଗୁଁ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର 'ମିସିଂ ଲିଙ୍କ' ନିକଟରେ ମଧ୍ୟ ବଡ଼ ଧରଣର ଭୂସ୍ଖଳନ ଘଟିଥିଲା। ଯେଉଁଥିରେ ପ୍ରାୟ ୧୦୦ ଟନ୍ ମାଟି ଓ ପଥର ରାସ୍ତା ଉପରେ ଖସି ପଡ଼ିବାରୁ ମୁମ୍ବାଇ ଅଭିମୁଖୀ ଯାତାୟାତକୁ ତୁରନ୍ତ ବନ୍ଦ କରିବାକୁ ପଡ଼ିଥିଲା। ଅନେକ ଘଣ୍ଟା ଧରି ଶହ ଶହ ଗାଡ଼ି ରାଜପଥରେ ଫସି ରହିଥିଲା ଏବଂ ଦୀର୍ଘ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା।ଭୂସ୍ଖଳନ ସହ ପାଣି ଜମି ରହିବାରୁ ପୁରୁଣା ମୁମ୍ବାଇ-ପୁଣେ ରାଜପଥରେ ମଧ୍ୟ ଯାତାୟାତ ବ୍ୟାହତ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଲୋକମାନଙ୍କୁ ଅତ୍ୟାବଶ୍ୟକ ନ ହେଲେ ମୁମ୍ବାଇ-ପୁଣେ ମଧ୍ୟରେ ଯାତ୍ରା ନ କରିବାକୁ ପରାମର୍ଶ ଦେଇଥିଲା। ବିକଳ୍ପ ରାସ୍ତାରେ ଯାନବାହନକୁ ଡାଇଭର୍ଟ କରାଯାଇଥିଲା।

ପରେ ରାସ୍ତାରୁ ମାଟି ଓ ପଥର ହଟାଇବା ପାଇଁ ପ୍ରାୟ ୧୮ ଘଣ୍ଟା ଧରି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିଲା। ସୁରକ୍ଷା ଯାଞ୍ଚ ପରେ ଧୀରେ ଧୀରେ ଯାତାୟାତ ସ୍ୱାଭାବିକ କରାଯାଇଥିଲା। ବର୍ତ୍ତମାନ ପାଣିପାଗ ବିଭାଗ ପୁଣେ ଏବଂ ଆଖପାଖ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଗାମୀ କିଛି ଦିନ ଆହୁରି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାହାଡ଼ିଆ ଅଞ୍ଚଳକୁ ଯାତ୍ରା କରିବା ବେଳେ ସତର୍କ ରହିବାକୁ ପ୍ରଶାସନ ଅନୁରୋଧ କରିଛି।