ପୁଣେ: ପୁଣେର କୋଟିପତି ବ୍ୟବସାୟୀଙ୍କ ପୁଅ କେତନ ଅଗ୍ରୱାଲ ନିଜର ଭାବି ପତ୍ନୀ ତଥା ବାନ୍ଧବୀ ସିଆ ଗୋୟଲଙ୍କ ଜନ୍ମଦିନକୁ ବେଶ୍ ଧାମଧାମରେ ପାଳନ କରିବାକୁ ପ୍ରସ୍ତୁତି ଚଳାଇଥିଲେ। ନିଜ ଭାବି ପତ୍ନୀଙ୍କ ଖୁସି ପାଇଁ କେତନ ମହାବଳେଶ୍ୱରର ଏକ ବିଳାସମୟ ରିସର୍ଟରେ ପ୍ରାୟ ୩୫ ରୁ ୪୦ଟି ରୁମ୍ ବୁକ୍ କରିସାରିଥିଲେ। ଜନ୍ମଦିନ ୧୯ ଜୁନରେ ଥିବା ବେଳେ ୧୮ ଜୁନ୍ ରାତିରେ ଏକ ବଡ଼ ସରପ୍ରାଇଜ୍ ପାର୍ଟିର ଯୋଜନା ହୋଇଥିଲା। କିନ୍ତୁ କେତନ ଜାଣି ନଥିଲେ ଯେ ଯାହାକୁ ସେ ନିଜ ଜୀବନଠାରୁ ଅଧିକ ଭଲ ପାଉଛନ୍ତି, ସେହି ସିଆ ହିଁ ତାଙ୍କ ମୃତ୍ୟୁର ଷଡ଼ଯନ୍ତ୍ର ରଚିଛି। ଜନ୍ମଦିନର ଠିକ୍ ଦିନକ ପୂର୍ବରୁ ସିଆ ନିଜ ପ୍ରେମିକ ଚେତନ ଚୌଧୁରୀ ସହ ମିଶି କେତନଙ୍କୁ ଲୋହାଗଡ଼ ଦୁର୍ଗ ପାହାଡ଼ ଉପରୁ ତଳକୁ ଠେଲି ନିର୍ମମ ଭାବେ ହତ୍ୟା କରିଛି।

ବିବାହ ଭାଙ୍ଗିବାକୁ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ସିଆ ଗୋୟଲ ଏହି ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର। ସେ କେତନଙ୍କୁ ବିବାହ କରିବାକୁ ଆଦୌ ଚାହୁଁନଥିଲା, ବରଂ ନିଜର ପୁରୁଣା ପ୍ରେମିକ ଚେତନ ଚୌଧୁରୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା। ପରିବାର ଚାପରେ କେତନଙ୍କ ସହ ନିର୍ବନ୍ଧ ହୋଇଯିବା ପରେ ସେ କେତନଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ପୂର୍ବରୁ ମଧ୍ୟ ଅନେକ ଥର କେତନଙ୍କୁ ମାରିବାକୁ ଚେଷ୍ଟା କରାଯାଇଥିଲା।

ଗତ ମେ’ ୩୧ ତାରିଖରେ ସିଆ ପ୍ରଥମ କରି କେତନଙ୍କ ସହ ଟ୍ରେକିଂ ବାହାନାରେ ଲୋହାଗଡ଼ କିଲ୍ଲାକୁ ଯାଇଥିଲା ଏବଂ ସେହି ସମୟରେ ହିଁ ତା କେତନଙ୍କୁ ପାହାଡ଼ରୁ ଠେଲିଦେବା ଚିନ୍ତା ଆସିଥିଲା। ଏହାପରେ ଜୁନ୍ ୧୪ରେ ପୁଣି ଥର ଫଟୋସୁଟ୍ ବାହାନାରେ ଯାଇ ସିଆ 'ସାପ ଆସିଗଲା' ବୋଲି କହି ହଙ୍ଗାମା କରିଥିଲା, ମାତ୍ର ସେଦିନ ଯୋଜନା ଫେଲ୍ ମାରିଥିଲା। ଶେଷରେ ୧୮ ଜୁନରେ ନିଜ ଜନ୍ମଦିନର ଦିନକ ପୂର୍ବରୁ ସେ କେତନଙ୍କୁ ସେଠାକୁ ନେଇ ପ୍ରେମିକ ସହ ମିଶି ପାହାଡ଼ରୁ ଠେଲି ଦେଇଥିଲା।

"ମୋ ଚିତାକୁ ନିଆଁ ଦେବା ବାଲା ଚାଲିଗଲା"

ନିଜର ୨୬ ବର୍ଷର ପୁଅକୁ ହରାଇ କେତନଙ୍କ ପିତା ବିଶାଳ ଅଗ୍ରୱାଲ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସେ କହିଛନ୍ତି, ମୋ ପୁଅ ପାଠପଢ଼ାରେ ବହୁତ ପାରଙ୍ଗମ ଥିଲା। ସେ ଆମେରିକାରୁ ଏମବିଏ କରି ଫେରିବା ପରେ ମୋ ବ୍ୟବସାୟ ସମ୍ଭାଳୁଥିଲା। ମୋ ପୁଅ ମୋ ପାଇଁ 'କୋହିନୂର' ଥିଲା। ମୋ ବୃଦ୍ଧାବସ୍ଥାର ସହାରା ଏବଂ ମୋ ଚିତାକୁ ମୁଖାଗ୍ନି ଦେବା ବାଲା ଚାଲିଗଲା। ତାକୁ ଧୋକା ଦେଇ ଅତି ନିଷ୍ଠୁର ଭାବେ ମାରିଦିଆଗଲା, ମୋର ସବୁକିଛି ଶେଷ ହୋଇଗଲା।

ସୋସିଆଲ ମିଡିଆରେ ସିଆ ଏବଂ କେତନଙ୍କ ରୋମାଣ୍ଟିକ ଡାନ୍ସ ଓ କାର୍ ଭିତରେ ପ୍ରେମାଳାପର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଭିଡିଓରେ ଏତେ ଭଲ ପାଉଥିବା ଅଭିନୟ କରୁଥିବା ଝିଅଟିଏ ପଛରେ ଏତେ ବଡ଼ ରକ୍ତମୁଖା ରାକ୍ଷସୀ ସାଜିପାରେ। ବର୍ତ୍ତମାନ ପୋଲିସ ସିଆ ଏବଂ ତାର ପ୍ରେମିକ ଚେତନକୁ ଗିରଫ କରି ଅଧିକ ପଚରାଉଚରା ଚଳାଇଛି।