ଭୁବନେଶ୍ବର ୧୭।୧୧: ସମ୍ଭାବ୍ୟ ଅତି ଭୀଷଣ ବାତ୍ୟାକୁ ଦୃଷ୍ଟିରେ ରଖି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ବାଭାବିକ ରଖିବା ପାଇଁ ପ୍ରସ୍ତୁତ ରହିଛି ପାନୀୟଜଳ ଯୋଗାଣ ବିଭାଗ । ବାତ୍ୟା ଅର୍ଣ୍ଣବ ସମୟରେ ଗଞ୍ଜାମ ଜିଲ୍ଲାରେ ୭ଟି ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯାଇଥିଲା ।

ବିପର୍ଯ୍ୟୟ ସମୟରେ ଯେପରି ଲୋକଙ୍କୁ ପାଣି ପାଇଁ ଅସୁବିଧା ନହୁଏ, ସେଥିପାଇଁ ଆଗୁଆ ଜଳ ମହଜୁଦ ରଖିବା, ଟ୍ୟୁବ୍ଓ୍ବେଲ୍ ମରାମତି ଓ ଆବଶ୍ୟକ ସ୍ଥାନରେ ମୋବାଇଲ୍ ଭ୍ୟାନ୍ ନିୟୋଜିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ବିଭାଗୀୟ କର୍ମଚାରୀ ମାନେ ୨୪ ଘଣ୍ଟିଆ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି । ବାତ୍ୟା ସମୟରେ ଜଳ ଯୋଗାଣରେ ଯେପରି କୌଣସି ବାଧା ନଉପୁଜେ, ସେଥିପାଇଁ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଅକଭାନ୍’ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବା ସହ ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ୟାନମ୍ ନିକଟବର୍ତ୍ତୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହା ପ୍ରଭାବରେ ୧୮ ତାରିଖରୁ ରାଜ୍ୟର ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୬ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇ ୧୯ ତାରିଖରେ ସାରା ରାଜ୍ୟରେ ବିସ୍ତୃତ ଭାବେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷକରି ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଏବଂ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ୨୧ ତାରିଖରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୮ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Also Read:- ଆନ୍ଧ୍ର ଉପକୂଳକୁ ମାଡ଼ି ଆସୁଛି ବାତ୍ୟା : ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୨୧ ଯାଏଁ ବର୍ଷାରୁ ନାହିଁ ନିସ୍ତାର

ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯିବା ସହ ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୨ ନମ୍ବର ଦୂରବର୍ତ୍ତୀ ସତର୍କ ସୂଚନା ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।