ମୁମ୍ବାଇ: ଅଲଗା ଅଲଗା ଦେଶରେ ରହିବା, ବ୍ୟସ୍ତ କ୍ୟାରିୟର ଏବଂ ଦୀର୍ଘ ସମୟର ବିଚ୍ଛେଦ ଏସବୁ ସତ୍ତ୍ୱେ କିପରି ବିବାହକୁ ମଜବୁତ ରଖିହେବ? ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ଓ ଗାୟକ-ଅଭିନେତା ନିକ୍ ଜୋନାସ୍ ସମ୍ପର୍କର ଅନୁଭୂତି ଏହାର ଏକ ରୋଚକ ଉଦାହରଣ।

୨୦୨୧ରେ ଏକ ପଡ୍କାଷ୍ଟରେ ପ୍ରିୟଙ୍କା କହିଥିଲେ ଯେ ଲଣ୍ଡନରେ ସିନେମା ସୁଟିଂ ପାଇଁ ଏକ ବର୍ଷରୁ ଅଧିକ ସମୟ ରହିବା ସମୟରେ ନିକ୍ ଆମେରିକାରେ ଥିଲେ। ତାଙ୍କ ମା’ ଓ ଭାଇ ଭାରତରେ ଥିବାରୁ ସେହି ସମୟ ତାଙ୍କ ପାଇଁ ଭାବନାତ୍ମକ ଭାବେ କଷ୍ଟକର ଥିଲା ବୋଲି ପ୍ରିୟଙ୍କା କହିଥିଲେ।

କୋଭିଡ୍ ସମୟରେ ଯାତ୍ରା ନିୟମ ଓ କ୍ୱାରେଣ୍ଟାଇନ୍ କାରଣରୁ ଦୁହେଁ ପରସ୍ପରକୁ ଦେଖା କରିବା ଆହୁରି କଷ୍ଟକର ହୋଇଥିଲା। ତଥାପି ନିକ୍ ଅନେକ ସମୟରେ ମାତ୍ର ଗୋଟିଏ ଦିନ ପାଇଁ ମଧ୍ୟ ଲଣ୍ଡନ ଆସୁଥିଲେ। ପ୍ରିୟଙ୍କାଙ୍କ କହିବା ଅନୁସାରେ, ନିକ୍ କେବଳ ତାଙ୍କ ସହ ଡିନର କରିବା ପାଇଁ ଦୀର୍ଘ ଯାତ୍ରା କରି ଆସୁଥିଲେ। ଦୂରତା ଯେତେ ଅଧିକ ହେଉ, ସମ୍ପର୍କ ପାଇଁ ଉଭୟଙ୍କ ପ୍ରୟାସ ହିଁ ଏହାକୁ ମଜବୁତ କରିଥିଲା।

read also - ଆୟକର ବିଭାଗ ରାଡାରରେ ରକୁଲ ପ୍ରୀତ ସିଂହ, ୧୨ଟି ଠିକଣାରେ ରେଡ୍; ଫିଲ୍ମ ନାଁରେ ବିଦେଶ ଟଙ୍କା ପଠାଉଥିବା ଅଭିଯୋଗ

ପ୍ରିୟଙ୍କାଙ୍କ ଅନୁସାରେ, ଦୁହିଁଙ୍କ ସମ୍ପର୍କର ମୁଖ୍ୟ ଆଧାର ହେଉଛି କମ୍ୟୁନିକେସନ୍। ସେମାନେ ନିୟମିତ ଭାବେ କଥା ହୁଅନ୍ତି ଏବଂ ପରସ୍ପରର ମନ କଥା ବୁଝିବାକୁ ଚେଷ୍ଟା କରନ୍ତି। ପ୍ରିୟଙ୍କା କହିଥିଲେ ଯେ ନିକ୍ ହେଉଛନ୍ତି ତାଙ୍କର ପ୍ରଥମ ଫୋନ୍ କଲ୍। ଦୂରତା ଥିଲେ ମଧ୍ୟ ନିୟମିତ ଯୋଗାଯୋଗ ଦୁହିଁଙ୍କୁ ଭାବନାତ୍ମକ ଭାବେ ନିକଟରେ ରଖିଥିଲା।

ପ୍ରିୟଙ୍କା କୁହନ୍ତି ସେମାନେ ପରସ୍ପରର କ୍ୟାରିୟରରେ ଅନାବଶ୍ୟକ ହସ୍ତକ୍ଷେପ କରନ୍ତି ନାହିଁ। ଦୁହେଁ ନିଜ ନିଜ କ୍ୟାରିୟରକୁ ଦୀର୍ଘ ସମୟ ଧରି ଗଢ଼ିଛନ୍ତି ଏବଂ ପରସ୍ପରର ସଫଳତାକୁ ସମର୍ଥନ କରନ୍ତି। ବଡ଼ କ୍ୟାରିୟର ନିଷ୍ପତ୍ତି ଉଭୟେ ମିଶି ନେବା ସହ ନିଜ ନିଜ ପେସାଦାର ଜୀବନକୁ ସମ୍ମାନ ଦେବା ସେମାନଙ୍କ ସମ୍ପର୍କର ଆଉ ଏକ ଦିଗ।

୨୦୧୮ ମସିହା ମେ’ରେ ପ୍ରିୟଙ୍କା ଓ ନିକ୍ ପରସ୍ପରଙ୍କ ସହ ସମ୍ପର୍କରେ ଆସିଥିଲେ ଏବଂ ସେହି ବର୍ଷ ଡିସେମ୍ବରରେ ବିବାହ କରିଥିଲେ। ବିବାହ ବାର୍ଷିକୀ ହେଉ କିମ୍ବା ପେସାଦାର ଜୀବନର କୌଣସି ବଡ଼ ମୁହୂର୍ତ୍ତ ,ଏପରି ଅବସରଗୁଡ଼ିକରେ ପରସ୍ପର ପାଖରେ ରହିବାକୁ ଗୁରୁତ୍ୱ ଦିଅନ୍ତି। ୨୦୨୧ରେ ବ୍ରିଟିଶ୍ ଫ୍ୟାଶନ୍ ଆୱାର୍ଡସ୍ ସମୟରେ ମଧ୍ୟ ନିକ୍ ଲଣ୍ଡନ ଯାଇ ପ୍ରିୟଙ୍କାଙ୍କ ସହ ରେଡ୍ କାର୍ପେଟ୍ରେ ନଜର ଆସିଥିଲେ। ୨୦୨୨ ଜାନୁଆରୀରେ ଦୁହେଁ ଝିଅ ମାଲତୀ ମେରିଙ୍କୁ ସ୍ୱାଗତ କରିଥିଲେ।

ତେବେ ଦୂର ସମ୍ପର୍କ ନେଇ ଗବେଷଣା କ’ଣ କହୁଛି?ଦୂରତା ଥିବା ସମ୍ପର୍କ ସବୁବେଳେ ଦୁର୍ବଳ ହୁଏ ନାହିଁ ବୋଲି କିଛି ଗବେଷଣା ସୂଚାଇଛି। ଷ୍ଟାନଫର୍ଡ ରେ ହୋଇଥିବା ଗବେଷଣା ଅନୁସାରେ, ଲଙ୍ଗ୍-ଡିଷ୍ଟାନ୍ସ ରିଲେସନ୍ସିପ୍ରେ ଥିବା କିଛି ଦମ୍ପତିଙ୍କ ମଧ୍ୟରେ ନିକଟତା, ବିଶ୍ୱାସ ଓ ସନ୍ତୁଷ୍ଟି ଏକାଠି ରହୁଥିବା ଦମ୍ପତିଙ୍କ ସହ ସମାନ କିମ୍ବା କେତେକ କ୍ଷେତ୍ରରେ ଅଧିକ ମଧ୍ୟ ହୋଇପାରେ। ଏହାର ଏକ ଉଦାହରଣ ଭାବେ ଅଧିକ ମନଖୋଲା ଯୋଗାଯୋଗ, ନିଜ ଭାବନା ବାଣ୍ଟିବା ଏବଂ ସାଥୀଙ୍କୁ ସକାରାତ୍ମକ ଭାବେ ଦେଖିବାର ପ୍ରବୃତ୍ତିକୁ ଗବେଷକମାନେ ଉଲ୍ଲେଖ କରିଛନ୍ତି।

ପ୍ରିୟଙ୍କା-ନିକଙ୍କ କାହାଣୀରୁ ମିଳୁଥିବା ବଡ଼ ଶିକ୍ଷା ହେଉଛି ସମ୍ପର୍କକୁ ମଜବୁତ ରଖିବା ପାଇଁ ସବୁବେଳେ ପାଖରେ ରହିବା ଜରୁରୀ ନୁହେଁ; ବରଂ ପରସ୍ପର ପାଇଁ ସମୟ ଦେବା, କଥା ହେବା, ସମ୍ମାନ କରିବା ଏବଂ ଆବଶ୍ୟକ ସମୟରେ ପାଖରେ ଛିଡ଼ା ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ।