ମୁମ୍ଵାଇ ୦୫।୧୦: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ।ନିଜ ଚରିତ୍ରକୁ ପରଦାରେ ଜୀବନ୍ତ କରିବା ପାଇଁ ଲୁକ୍ରେ ବିଭିନ୍ନ ପରୀକ୍ଷା-ନିରୀକ୍ଷା କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦ ବ୍ଲଫ୍’ ପାଇଁ କରାଯାଇଥିବା ଏକ ନାଟକୀୟ ରୂପାନ୍ତର ଚର୍ଚ୍ଚାରେ ରହିଛି। ଏବେ ପ୍ରିୟଙ୍କାଙ୍କ ନୂଆ ଲୁକ୍ ଦେଖି ସଭିଏଁ ଆଶ୍ଚର୍ଯ୍ୟ ।

ପ୍ରିୟଙ୍କା ସୋସିଆଲ୍ ମିଡିଆରେ ‘ଦ ବ୍ଲଫ୍’ର ଶୁଟିଂ ସମୟର କିଛି ବିହାଇଣ୍ଡ-ଦ-ସିନ୍ ଝଲକ ସେୟାର କରିଛନ୍ତି। ଏଥିରେ ତାଙ୍କୁ ହେୟାର୍ ଓ ମେକଅପ୍ ଟିମ୍ ସହ ଦେଖିବାକୁ ମିଳିଛି। ଫିଲ୍ମର ଚରିତ୍ର ପାଇଁ ତାଙ୍କୁ ଏକ ଭିନ୍ନ ଲୁକ୍ ଦିଆଯାଉଥିବା ବେଳେ ମୁହଁ ଓ ମୁଣ୍ଡରେ ଆଘାତର ଭ୍ରମ ସୃଷ୍ଟି କରୁଥିବା ମେକଅପ୍ ମଧ୍ୟ କରାଯାଇଛି। ଏହି ଲୁକ୍ରେ ପ୍ରିୟଙ୍କାଙ୍କୁ ବାଲ୍ଡ ଅବତାରରେ ଦେଖିବାକୁ ମିଳିଛି। ଚରିତ୍ରର ଆବଶ୍ୟକତା ଅନୁଯାୟୀ ତାଙ୍କର ଏହି ରୂପାନ୍ତର ଫିଲ୍ମର କାହାଣୀର ତୀବ୍ରତାକୁ ମଧ୍ୟ ସୂଚାଉଛି।

ପ୍ରିୟଙ୍କାଙ୍କ ଏହି ନୂଆ ଲୁକକୁ ନେଇ ସୋସିଆଲ୍ ମିଡିଆରେ ୟୁଜର୍ମାନଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଅନେକ ପ୍ରଶଂସକ ତାଙ୍କର ପରିଶ୍ରମ ଓ ଚରିତ୍ର ପ୍ରତି ନିଷ୍ଠାକୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର୍ ତାଙ୍କୁ ‘ଜଣେ ଅଟଳ ଓ ନିଷ୍ଠାବାନ ମହିଳା’ ବୋଲି ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ, କିଛି ୟୁଜର୍ ମଜାଳିଆ ଢଙ୍ଗରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ଆମେ ପୂର୍ବରୁ ତୁମର ପ୍ରଶଂସକ ଥିଲୁ, କିନ୍ତୁ ଏବେ ଆମେ ଆଉ ମୂର୍ଖ ନୁହେଁ।’ ଆଉ ଜଣେ ୟୁଜର୍ ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍ ଜୋନାସ୍ଙ୍କୁ ନେଇ ମଜା କରି ଲେଖିଛନ୍ତି ଯେ, ଏହି ଲୁକ୍ ଦେଖିବା ପରେ ନିକ୍ ଆଉ ତାଙ୍କୁ ଭଲ ପାଇପାରିବେ ନାହିଁ।

ତେବେ ‘ଦ ବ୍ଲଫ୍’ରେ ପ୍ରିୟଙ୍କାଙ୍କ ଚରିତ୍ର କିପରି ହେବ, ତାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ରହିଛି। ଫିଲ୍ମ ପାଇଁ ତାଙ୍କର ଏହି ବିଶେଷ ଲୁକ୍ ସାମ୍ନାକୁ ଆସିବା ପରେ ଉତ୍ସୁକତା ଆହୁରି ବଢ଼ିଛି। ଚରିତ୍ର ପାଇଁ ଏଭଳି ଭିନ୍ନ ରୂପ ଧାରଣ କରି ପ୍ରିୟଙ୍କା ପୁଣିଥରେ ନିଜର ଅଭିନୟ ପ୍ରତି ନିଷ୍ଠାର ପରିଚୟ ଦେଇଛନ୍ତି।