ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ସଙ୍କଟ ଉପରେ ସୋମବାର ଲୋକସଭାରେ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀ ଏକଜୁଟ ହୋଇ ସମସ୍ୟାର ସାମ୍ନା କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି। ଲୋକସଭାରେ ପିଏମ କହିଛନ୍ତି, ‘‘ ଯେଉଁଭଳି ଭାବରେ କରୋନା ସମୟରେ ଆମେ ଏକାଠି ହୋଇ ଚ୍ୟାଲେଞ୍ଜର ସାମ୍ନା କରିଥିଲେ, ସେହିଭଳି ବର୍ତ୍ତମାନର ସଙ୍କଟରେ ମଧ୍ୟ ଆମକୁ ଏକାଠି ହେବାକୁ ପଡ଼ିବ।’’ ପିଏମ ମୋଦୀ ଆହୁରି କହିଛନ୍ତି, ‘‘ଏହି ଯୁଦ୍ଧ ଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥିତି ଖରାପ ହେବାର ସମ୍ଭାବନା ରହିଛି। ଏଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ହେବ। ଆମକୁ ସଂଯମତାର ସହ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ।’’

କଳାବଜାରୀ କରୁଥିବା ଲୋକଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ପିଏମ

ପ୍ରଧାନମନ୍ତ୍ରୀ, ସଙ୍କଟ ସମୟରେ ଫାଇଦା ଉଠାଉଥିବା ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ‘ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ସଫଳ ହେବାକୁ ଦିଆଯିବନି।କଳାବଜାରୀଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନେବେ ଏବଂ ତାଙ୍କୁ କଠୋର ଦଣ୍ଡ ଦିଆଯିବ।’’ ପିଏମ କହିଛନ୍ତି, ଆମକୁ ବହୁତ ସାବଧାନ ଏବଂ ସତର୍କ ରହିବାକୁ ହେବ। ପରିସ୍ଥିତିର ଫାଇଦା ଉଠାଉଥିବା ଲୋକେ ମିଛ ପ୍ରଚାର କରିବାକୁ ଚେଷ୍ଟା କରିବେ। ଏମିତି ଲୋକଙ୍କ ଚେଷ୍ଟାକୁ ସଫଳ ନହେବା ଦରକାର।’’

ଭାରତ ସାମ୍ନାରେ ଅନେକ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ: ମୋଦୀ

ଲୋକସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆରେ ଯୁଦ୍ଧ ଭାରତର ସାମ୍ନାରେ ଅନେକ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଛିଡ଼ା କରିଛି। କିନ୍ତୁ ସରକାର ସ୍ଥିତି ସହ ଲଢ଼ିବାକୁ ସଜାଗ ଏବଂ ତତ୍ପର ଅଛନ୍ତି। ସରକାର ଏହା ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ଯେ, ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଅଭାବ ନହେଉ। ପ୍ରଧାନମନ୍ତ୍ରୀ ମୋଦୀ ଗୃହକୁ କହିଛନ୍ତି ଯେ, ଦେଶରେ ପାଖରେ ୫୩ ଲକ୍ଷ ମେଟ୍ରିକ ଟନର ରଣନୈତିକ ପେଟ୍ରୋଲିୟମ ଭଣ୍ଡାର ରହିଛି।

Also Read: Iran War : ଇରାନର ଡ୍ରୋନ୍ ଆକ୍ରମଣ ନେଇ ବାହାରିନ ଓ ଆମେରିକାର ମିଛ ତଥ୍ୟ ! ସନ୍ଦେହରେ ଡିଏଗୋ ଗାର୍ସିଆ, ତୁର୍କୀ ଆକ୍ରମଣ

ଅର୍ଥବ୍ୟବସ୍ଥା ଏବଂ ଜନଜୀବନ ଉପରେ ପ୍ରତିକୂଳ ପ୍ରଭାବ

ସେ କହିଛନ୍ତି ସବୁ ସମ୍ଭବ ମାଧ୍ୟମରେ ପେଟ୍ରୋଲ ଏବଂ ଗ୍ୟାସର ଉପଲବ୍ଧତା ସୁନିଶ୍ଚିତ କରିବା ପ୍ରୟାସ କରାଯାଉଛି। ସେ କହିଛନ୍ତି ସରକାର ଗତ ୧ ଦଶନ୍ଧିରେ ଶକ୍ତି ସୁରକ୍ଷାକୁ ନେଇ ଯେଉଁ ପଦକ୍ଷେପ ନିଆଯାଇଛି। ତାହା ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆହୁରି ପ୍ରାସଙ୍ଗିକ ହୋଇପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପଶ୍ଚିମ ଏସିଆ ସଙ୍କଟ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ହୋଇଛି। ତଥାପି ସବୁ ଦେଶର ଅର୍ଥବ୍ୟବସ୍ଥା ଏବଂ ଜନଜୀବନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ୁଛି। ଏହି ଯୁଦ୍ଧ ଭାରତ ସମ୍ମୁଖରେ ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ଛିଡ଼ା କରିଛି। ଏହି ଚ୍ୟାଲେଞ୍ଜ କେବଳ ଆର୍ଥିକ ହିଁ ନୁହେଁ, ବରଂ ଜାତୀୟ ସୁରକ୍ଷା ସହ ଜଡ଼ିତ ଏବଂ ମାନବୀୟ ମଧ୍ୟ।