ଭିକ୍ଟୋରିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶରେ ତାଙ୍କ ବୈଶ୍ୱିକ ନେତୃତ୍ୱ ଲାଗି ସେଶେଲସ୍ ର ସର୍ବୋଚ୍ଚ ସମ୍ମାନ ‘ଗାର୍ଡିଆନ ଅଫ ଦ ବ୍ଲୁ ହରାଇଜନ’ରେ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ୩ ଦିବସୀୟ ରାଜକୀୟ ସେଶେଲସ୍ ଗସ୍ତରେ ରବିବାର ଭିକ୍ଟୋରିଆ ପହଞ୍ଚିବା ପରେ ପ୍ରଥମେ ଗାର୍ଡ ଅଫ ଅନର ଓ ପରେ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ସେଶେଲସ୍ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱୀପାକ୍ଷୀୟ ବୈଠକ ଅନୁଷ୍ଠିତ ହୋଇଛି। କୁହାଯାଉଛି ଏହି ବୈଠକରେ ଦୁଇ ଦେଶଙ୍କ ମଧ୍ୟରେ ସମୁଦ୍ର ସୁରକ୍ଷା, ପ୍ରତିରକ୍ଷା ସହଯୋଗ, କୋଷ୍ଟ ଗାର୍ଡ ଓ ସମୁଦ୍ର ଉପରେ ନଜର ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହୋଇ ପାରେ। ପ୍ରଧାନମନ୍ତ୍ରୀ ଏହି ଅଧିକାରୀକ ଯାତ୍ରା ଅବସରରେ ସେଶେଲସ୍ କୁ ଗୋଆ ସିପ୍ ୟାର୍ଡ ଲିମିଟେଡ ଦ୍ୱାରା ନିର୍ମିତ ପାଟ୍ରୋଲ ଭିଲେସ ହସ୍ତାନ୍ତରିତ କରିଛନ୍ତି। ଏହି ପାଟ୍ରୋଲ ଭିସେଲ ଦ୍ୱାରା ସେଶେଲସ୍ ର ଏକ୍ସକ୍ଲୁସିଭ ଇକୋନମିକ ଜୋନ (ଇଇଜେଡ୍)ରେ ପାଟ୍ରୋଲିଂ କରିବା ଆହୁରି ସୁବିଧାଜନକ ହେବ।

ତେବେ ଜଳବାୟୁ ପରିବର୍ତ୍ତନ ମୁକାବିଲା, ଦୀର୍ଘସ୍ଥାୟୀ ବିକାଶ ଓ ଗ୍ରୀନ ଗ୍ରୋଥ ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ କାମର ପ୍ରଶଂସାରେ ବୈଶ୍ୱିକ ସମ୍ମାନ କ୍ରମରେ ସେଶେଲସ୍ ର ସର୍ବୋଚ୍ଚ ସମ୍ମାନ ଯୋଡି ହୋଇଯାଇଛି। ଏହାର ଠିକ୍ ପୂର୍ବରୁ ମେ ୨୦୨୬ରେ ଖାଦ୍ୟ ଓ କୃଷି ସଙ୍ଗଠନ (ଏଫଏଓ) ଖାଦ୍ୟ ସୁରକ୍ଷାକୁ ମଜଭୁତ କରିବା, କୃଷିରେ ପରିବର୍ତ୍ତନ ଆଣିବା ଓ ଦୀର୍ଘ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଲାଗି ‘ଏଗ୍ରିକୋଲା’ ମେଡାଲରେ ସମ୍ମାନୀତ କରିଥିଲା। ଏହା ପୂର୍ବରୁ ୨୦୧୮ ମସିହାରେ ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଓ ବୈଶ୍ୱିକ ସହଯୋଗ ଲାଗି ମିଳିତ ଜାତି ସଂଘ ମୋଦିଙ୍କୁ ପ୍ରତିଷ୍ଠିତ ‘ଚାମ୍ପିୟନସ୍ ଅଫ ଦି ଆର୍ଥ’ ପୁରସ୍କାରରେ ସମ୍ମାନୀତ କରିଥିଲା।