ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଭାବେ ହେଉ ବା ପ୍ରଧାନମନ୍ତ୍ରୀ ଭାବେ ସରକାର ମୁଖ୍ୟଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ବିଶ୍ୱ ନେତୃବୃନ୍ଦ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୭ ଅକ୍ଟୋବର ୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରିଥିଲେ। ଏହା ପରଠୁ ସେ କେବେ ଆଉ ପଛକୁ ଫେରି ଦେଖି ନାହାନ୍ତି। ରାଜ୍ୟରେ ୩ଟି କାର୍ଯ୍ୟକାଳ ବିତାଇବା ପରେ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ସେ ଲଗାତାର ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି। ଏଥି ପାଇଁ ଜାପାନ, ଫିଲପାଇନ୍ସ , ନାଇଜେରିୟା, ବେଲଜିୟମ, ଭୁଟ୍ଟାନ ଓ ଡୋମିନିକା ସମେତ ଅନେକ ଦେଶର ମୁଖ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚୀ ତାଙ୍କ ଏକ୍ସ ରେ ଲେଖିଛନ୍ତି ଯେ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୁରାହେବାରେ ସେ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସମାଜ ଓ ରାଷ୍ଟ୍ରର ବିକାଶ ନିମନ୍ତେ ମୋଦି ନିଜକୁ ସମର୍ପିତ କରିଛନ୍ତି। ୨୦୦୧ ମସିହାରୁ ଏ ପର୍ଯ୍ୟନ୍ତ ସେ ରାଜନୀତିରେ ଉତ୍କୃଷ୍ଟ ନେତୃତ୍ୱ ପ୍ରଦର୍ଶନ କରିଛନ୍ତି। ତାକାଇଚୀ ଗତ ଜୁଲାଇରେ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ସେ ଭାରତର ଅତିଥେୟତାର ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ ଭାରତ-ଜାପାନ ଭାଗିଦାରୀକୁ ଅଗାମୀ ସ୍ତରକୁ ନେଇଯିବାକୁ ମୋଦି ଜୋର ଦେଇଥିଲେ।

ଆଗାମୀ ବର୍ଷ ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକ ପାଳନ କରିବେ। ଏହି ଅବସରରେ ତାକାଇଚୀ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ସ୍ଥାପନା ନିମନ୍ତେ ମୋଦିଙ୍କ ସହ ଭାଗିଦାରୀକୁ ଆହୁରି ମଜଭୁତ କରିବାକୁ ଚାହାଁନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗ ମଧ୍ୟ ଏହି ଅବସରରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଛଡା ଫିଲପାଇନ୍ସ ରାଷ୍ଟ୍ରପତି ବୋଙ୍ଗ ବୋଙ୍ଗ ମାର୍କୋସ ମୋଦିଙ୍କ ସୁଶାସନ, ନୂତନତ୍ୱ, ବୈଷୟିକ ଓ ଭିତ୍ତିଭୂମି ବିକାଶ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମଦ ତିନିବୁ ଏହାକୁ ମୋଦିଙ୍କ ଐତିହାସିକ କିର୍ତ୍ତିମାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ କୌଣସି ଗଣତନ୍ତ୍ରରେ ୨୫ ବର୍ଷର ନେତୃତ୍ୱ ଏକ ବିରଳ ଉଦାହରଣ। ଏହା ତାଙ୍କ ପ୍ରତି ଭାରତୀୟ ଜନତାଙ୍କ ଭରସାର ପ୍ରମାଣ। ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଥ ଡି ୱେଭର ଗୁଜରାଟରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ୨୫ ବର୍ଷର ଯାତ୍ରାକୁ ଉଲ୍ଲେଖନୀୟ କହିଛନ୍ତି। ୱେଭର ଗତମାସରେ ଭାରତ ଗସ୍ତରେ ଆସିଥିଲେ ଏହି ଗସ୍ତକୁ ମନେ ପକାଇ ଉଭୟ ଦେଶଙ୍କ ଭାଗିଦାରୀକୁ ଆହୁରି ନିବିଡ କରିବେ ବୋଲି ଉଲ୍ଲେଖ କରିଛନ୍ତି।

ଭୁଟ୍ଟାନ ପ୍ରଧାନମନ୍ତ୍ରୀ ସେରିଂ ତୋବଗେ ମୋଦିଙ୍କ ନେତୃତ୍ୱରେ ଜ୍ଞାନ, ସାହାସ ଓ ସମ୍ବେଦନା ଚର୍ଚ୍ଚା କରିବା ସହିତ ‘ବି ଫୋର ବି’ (ଭାରତ ଫର ଭୁଟ୍ଟାନ ଓ ଭୁଟ୍ଟାନ ଫର ଭାରତ) ଢାଞ୍ଚା ଓ ବିକଶିତ ଭାରତ ଭିଜନକୁ ଉଲ୍ଲେଖ କରିଛନ୍ତି। ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ୍ ମୋଦିଙ୍କୁ ପ୍ରିୟ ମିତ୍ର ବୋଲି କହି ଡୋମିନିକା ପ୍ରତି ଭାରତର ମିତ୍ରତା ଓ ଉଦାରତା ପାଇଁ କୃତଜ୍ଞତା ଜଣାଇଛନ୍ତି।