ଭୁବନେଶ୍ୱର,୨୭। ୧୦: ଦୁର୍ଘଟଣା ହ୍ରାସ ଲାଗି ସାରା ରାଜ୍ୟରେ ଏବେ ଗାଡିମୋଟର ଯଞ୍ଚ କଡାକଡି କରାଯାଉଛି। ପ୍ରାୟ ପ୍ରତ୍ୟେକ ଦିନ ହଜାର ହଜାର ଗାଡି ଚାଳକଙ୍କ ବିରୋଧ ଧରେ ଚାଲଣ କଟାଯଉଛି। ଯାହା ଅମାନିଆଙ୍କୁ ବାଟକୁ ଆଣିବା ଲାଗି ପ୍ରଶାସନର ଏକ ଭଲ ପଦକ୍ଷେପ ବୋଲି କୁହାଯାଉଛି। ହେଲେ ଏବେ ଅଧିକାଂଶ ଗାଡିରେ ବେଆଇନ ଭାବେ ‘ହାଇବିମ୍ ଏଲ୍ଇଡି ହେଡ୍ଲାଇଟ ଲଗାଯାଉଛି । ଯାହା ଦୁର୍ଘଟଣାର ଏକ ପ୍ରମୁଖ କାରଣ ପାଲଟିଛି। ତେବେ ପ୍ରଶାସନ ଏହାକୁ ନଜର ଅନ୍ଦାଜ କରି ଆସୁଛି।

କିଛି ଦିନ ତଳେ ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ବେଳେ ଗାଡ଼ିମୋଟର ଯାଞ୍ଚ କରାଯାଇଥିଲା ।ହେଲେ ଏହି ହାଇବିମ୍ ଏଲ୍ଇଡି ହେଡ୍ଲାଇଟ୍ ପ୍ରତି ବିଶେଷ ଧାନ ଦିଆଯାଇନଥିଲା । ପ୍ରତ୍ୟେକ ଗାଡି ପାଇଁ କମ୍ପାନୀ ପକ୍ଷରୁ ଭିନ୍ନ ପ୍ରକାର ହେଡ୍ଲାଇଟର ବ୍ୟବସ୍ଥା ରହିଛି । ମାତ୍ର ଅଧିକାଂଶ ଗାଡି ଚାଳକ ବେଆଇନ ଭାବେ ଖୋଲା ମାର୍କେଟରୁ ହାଇବିମ ଏଲ୍ଇଡି ହେଡଲାଇଟ କିଣି ଲଗାଉଛନ୍ତି । ଫଳରେ ଗାଡି ଲାଇଟର ତୀବ୍ରତା ଏତେ ପ୍ରଖର ହେଉଛି ଯେ, ବିପରୀତ ଦିଗରୁ ଆସୁଥିବା ଗାଡିଚାଳକ ଏକ ପ୍ରକାର ଅନ୍ଧ ହୋଇଯାଉଛି। ଫଳସ୍ବରୂପ ଦୁର୍ଘଟଣା ଘଟୁଛି । ରାତିରେ ଗାଡି ଚଳାଇବା ବେଳେ ହାଇବିମ୍ ଓ ଲୋ-ବିମ୍ ହେଡଲାଇଟ ବ୍ୟବହାର କରିବାର ନିୟମ ରହିଛି। ମାତ୍ର ଏହି ନିୟମକୁ ଅଧୁକାଂଶ ଗାଡି ଚାଳକ ମାନୁନାହାନ୍ତି।

ବିଶେଷଜ୍ଞମାନଙ୍କ ମତରେ, ଗାଡିର ହେଡଲାଇଟର ତୀବ୍ରତା ମାପିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଏକ ନିୟମ ରହିଛି। ହେଲେ ଏହି ନିୟମକୁ ବୋଧହୁଏ କେହି ଜାଣିପାରୁ ନାହାନ୍ତି। ଲକ୍ସ ମିଟର ସାହାଯ୍ୟରେ ଗାଡି ଲାଇଟର ତୀବ୍ରତାକୁ ମପା ଯାଇପାରିବ। ଲକ୍ସ ମିଟର ହେଉଛି ଏକ ହ୍ୟାଣ୍ଡ୍ହେଲ୍ଡ ଡିଭାଇସ୍ ଯାହା ପୃଷ୍ଠରେ ପଡୁଥିବା ଆଲୋକର ତୀବ୍ରତା ମାପିବା ପାଇଁ ବ୍ୟବହୃତ ହୁଏ ଯାହାକୁ ଲକ୍ସରେ ପ୍ରକାଶ କରାଯାଏ। ଏହା ନିର୍ଦ୍ଦିଷ୍ଟ ଦୂରତା ଏବଂ କୋଣରେ ହେଡଲାଇଟ୍ କେତେ ଉତ୍କଳ ତାହା ନିରପେକ୍ଷ ଭାବରେ ମୂଲ୍ୟାଙ୍କନ କରିପାରିବ। ଯାହା କର୍ତ୍ତୃପକ୍ଷଙ୍କୁ ଆଲୋକ ଅନୁମତିଯୋଗ୍ୟ ସୀମା ମଧ୍ୟରେ ଅଛି କି ନାହିଁ କିମ୍ବା ଆସୁଥିବା ଟ୍ରାଫିକ୍ ପାଇଁ ବିପଦ ସୃଷ୍ଟି କରୁଛି କି ନାହିଁ ତାହା ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ। ତେଣୁ ପରିବହନ ବିଭାଗ ଓ ପୋଲିସ ଗାଡିମୋଟର ସହ ରାତିରେ ହେଡଲାଇଟ ଯାଞ୍ଚ କରିପାରିଲେ ଦୁର୍ଘଟଣାର ମାତ୍ରା ଆହୁରି କମିଯିବ ବୋଲି ଆଶା କରାଯାଉଛି। ଏ ଦିଗରେ ପରିବହନ ବିଭାଗ ଓ ଟ୍ରାଫିକ ପୋଲିସ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।