ଭୁବନେଶ୍ୱର ୨୭।୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ସାମୁଦ୍ରିକ ବାତ୍ୟା Very Severe Cyclonic Stormରେ ପରିଣତ ହୋଇଛି। ଏହା ଗୋପାଳପୁରଠାରୁ ଦକ୍ଷିଣରେ ୩୮୦କିମି ଏବଂ ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବ ଦିଗରେ ୩୦୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନର ବେଗ ୧୨୫ ରୁ ୧୩୫ କିମି ଝଟକା ୧୫୦ କିମି ଯାଏଁ ରହୁଛି । ବିଶାଖାପାଟନମ ରାଡାରରେ ଦୃଶ୍ୟ ମାନ ହେଉଛି ବାତ୍ୟା ଅର୍ଣ୍ଣବର ଆଖି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆନ୍ଧ୍ର ପ୍ରଦେଶ ଏବଂ ଏହାକୁ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ବାତ୍ୟା ‘ଅର୍ଣ୍ଣବ’ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ଏହା ଏକ ଅତି ଭୀଷଣ ବାତ୍ୟା ରୂପରେ ଆନ୍ଧ୍ର ପ୍ରଦେଶ ଓ ୟାନମ୍ ଉପକୂଳର ବାପଟଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ବାତ୍ୟା ପ୍ରଭାବରେ ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କାଲି ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

Also Read:-ଭୀଷଣ ବାତ୍ୟାର ରୂପ ନେଲା ‘ଅର୍ଣ୍ଣବ’, ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ

୨୯ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିବ। ଉପକୂଳ ଆନ୍ଧ୍ର ପ୍ରଦେଶରେ ୨୭ ଓ ୨୮ ଅକ୍ଟୋବରରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ତେଲେଙ୍ଗାନା, ଛତିଶଗଡ଼ , ଝାଡ଼ଖଣ୍ଡ , ବିହାର ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବାର ଚେତାବନୀ ଦିଆଯାଇଛି। ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ପରିବର୍ତ୍ତନ ହେବା ସହ ବର୍ଷା ଆରମ୍ଭ ହୋଇଯାଇଛି।

ଆଜିଠାରୁ ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିବ। ତିନି ଦିନ ଧରି ପ୍ରବଳ ବର୍ଷା ଆଶଙ୍କା ରହିଛି । ଆଜି ରାତିରୁ ବର୍ଷା ଓ ପବନ କ୍ରମଶଃ ବଢ଼ିବ । ଆସନ୍ତାକାଲି ସକାଳରୁ ରାତି ଯାଏ ପ୍ରକୋପ ସର୍ବାଧିକ ରହିପାରେ ଦକ୍ଷିଣ ଓଡ଼ିଶାରେ। ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରିଛନ୍ତି। ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ଗଜପତି , କୋରାପୁଟ ଏବଂ ପୁରୀ ଜିଲ୍ଲାରେ ୨୯ ତାରିଖ ଯାଏ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଆସନ୍ତା ୩୦ ତାରିଖ ଯାଏ ସ୍କୁଲ ଛୁଟି ହୋଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଓଡ୍ରାଫ , NDRF, ଏବଂ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି ।

Watch Video:-

​​​​​​​