ହାଇଦ୍ରାବାଦ: ମହିଳାଙ୍କ ଗର୍ଭରେ ଥିଲା ୫ ମାସର ଶିଶୁ। ହେଲେ ସ୍ବାମୀ ଜିଦ୍ ଧରିଲେ ଡିଏନଏ ଟେଷ୍ଟ ପାଇଁ। ଏମିତିରେ ଅପମାନ ସହି ନପାରି ଆତ୍ମହତ୍ୟା କରିଦେଲେ ଗର୍ଭବତୀ। ଏଭଳି ଏକ ଅତ୍ୟନ୍ତ ଦୁଃଖଦ ଓ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାର ମେଦକ ଜିଲ୍ଲାରୁ । ଘଟଣାରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଏବଂ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବିକାରାବାଦ ଜିଲ୍ଲା ମୋଥକୁପାଲ୍ଲୀ ଗ୍ରାମର ଜି. ସୁସ୍ମିତା (୨୩)ଙ୍କ ବିବାହ ପ୍ରାୟ ୧୮ ମାସ ପୂର୍ବେ ମେଦକ ଜିଲ୍ଲାର ଗାଡିପେଦ୍ଦାପୁର ଗ୍ରାମର ଜଣେ ଚୁଡ଼ି ବ୍ୟବସାୟୀ ଜି. ଅଭିଲାଷଙ୍କ ସହ ହୋଇଥିଲା। ସୁସ୍ମିତା ୫ ମାସର ଗର୍ଭବତୀ ଥିଲେ। ସୁସ୍ମିତାଙ୍କ ମାଆ ଜି. ଜାନାବାଇଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ହିଁ ସୁସ୍ମିତାଙ୍କୁ ସ୍ୱାମୀ ଓ ଶାଶୁଙ୍କ ଦ୍ୱାରା ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିଲା।

ଜୁନ୍ ୨୩ ତାରିଖ ଦିନ ସୁସ୍ମିତାଙ୍କ ବାପା- ମାଆ ଝିଅର ସାଦ ଉତ୍ସବ ପ୍ରସ୍ତୁତି ବିଷୟରେ ଆଲୋଚନା କରିବାକୁ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ସେ ସମୟରେ ସ୍ୱାମୀ ଅଭିଲାଷ ଉତ୍ସବକୁ ନେଇ ଝଗଡ଼ା କରିବା ସହ ଗର୍ଭରେ ଥିବା ସନ୍ତାନର ଡିଏନଏ ଟେଷ୍ଟ କରାଇବାକୁ ଦାବି କରିଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ସ୍ଥାନୀୟ ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ସୁସ୍ମିତାଙ୍କ ବାପା- ମାଆ ଘରକୁ ଫେରି ଆସିଥିଲେ।

ତେବେ ସର୍ବସମ୍ମୁଖରେ ଅପମାନ ଓ ମାନସିକ ଚାପ ସହି ନପାରି ଜୁନ୍ ୨୫ ତାରିଖ ସନ୍ଧ୍ୟାରେ ସୁସ୍ମିତା ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ତାହା ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ମୃତକଙ୍କ ମାଆଙ୍କ ସେହି ଅଭିଯୋଗ ଆଧାରରେ ଅଲ୍ଲାଦୁର୍ଗ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୮୫ (ବିବାହିତ ମହିଳାଙ୍କୁ ନିର୍ଯାତନା) ଏବଂ ଧାରା ୧୦୮ (ଆତ୍ମହତ୍ୟା ପାଇଁ ଉସ୍କାଇବା)ରେ ମାମଲା ରୁଜୁ କରିଛି। ପୋଲିସ ତପ୍ତରତା ଦେଖାଇ ଶନିବାର ସ୍ୱାମୀ ଅଭିଲାଷ ଏବଂ ଶାଶୁ ଲକ୍ଷ୍ମୀଙ୍କୁ ଗିରଫ କରି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିବା ପରେ ଜେଲ୍ ପଠାଇ ଦେଇଛି।