ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜ୍‌ ଅଞ୍ଚଳରେ ଜଣେ ମହିଳାଙ୍କ ସଙ୍ଗୀନ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ମହିଳାଙ୍କ ଦ୍ୱାରା ଚାଲିଥିବା ଏକ ବଡ଼ ଧରଣର ହନିଟ୍ରାପ୍ ଓ ବ୍ଲାକମେଲିଂ ଗ୍ୟାଙ୍ଗ ଧରାପଡ଼ିଛି । ପ୍ରୟାଗରାଜର ପଲ୍ଲବୀ ସିଂହ ରାଜପୁତ ନାମକ ଜଣେ ମହିଳା ଡେଟିଂ ଆପ୍ 'ଟିଣ୍ଡର'  ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପୁରୁଷମାନଙ୍କ ସହ ପ୍ରଥମେ ବନ୍ଧୁତା ସ୍ଥାପନ କରୁଥିଲେ । ଏହା ପରେ ସେ ସେମାନଙ୍କୁ ନିଜ ଜାଲରେ ଫସାଇ, ଗୁପ୍ତ ଭିଡିଓ ଓ ଫଟୋ ଉଠାଇ ବ୍ଲାକମେଲ୍‌ କରି ପାଖାପାଖି ୬ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ଜଣେ ହାଇକୋର୍ଟ ଓକିଲଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଏହି ଚାଞ୍ଚଲ୍ୟକର ଠକେଇ ସାମ୍ନାକୁ ଆସିଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ମହିଳା ଜଣକ ନିଜର ସୌନ୍ଦର୍ଯ୍ୟ ଓ ମିଠା କଥାରେ ଧନୀ ପୁରୁଷମାନଙ୍କୁ ଆକର୍ଷିତ କରୁଥିଲେ । ବିଶ୍ୱାସ ଜିତିବା ପରେ ସେ ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଆପତ୍ତିଜନକ ଫଟୋ ଓ ଭିଡିଓ ରେକର୍ଡ କରି ରଖୁଥିଲେ । ପରେ ଏହି ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ କିମ୍ବା ମିଛ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଧମକ ଦେଉଥିଲେ । ଏପରିକରି ସେ ସେମାନଙ୍କଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରୁଥିଲେ ।

Also Read: 'ସ୍ୱାମୀଙ୍କ ହତ୍ୟାକୁ ସଡ଼କ ଦୁର୍ଘଟଣାର ରୂପ ଦେବା', ସ୍ତ୍ରୀ ଓ ପ୍ରେମିକଙ୍କ ହ୍ୱାଟ୍ସଆପ୍ ଚାଟ୍‌ ଧରି ଥାନାରେ...

ସୂଚନା ଅନୁସାରେ, ଅଭିଯୁକ୍ତ ମହିଳାଜଣକ ଏପର୍ଯ୍ୟନ୍ତ ଏକାଧିକ ଲୋକଙ୍କଠାରୁ ପ୍ରାୟ ୬ କୋଟି ଟଙ୍କା ଆଦାୟ କରିସାରିଛନ୍ତି । ପୋଲିସ ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ଏବଂ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି ।