ନୂଆଦିଲ୍ଲୀ: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ବିମାନରେ ଦୂର ଯାତ୍ରା କରିବାକୁ ହେଲେ ପ୍ରଥମେ ଆପଣଙ୍କ ମୋବାଇଲ ଫୁଲ ଚାର୍ଜ କରି ନିଅନ୍ତୁ। କାରଣ ବିମାନ ଭିତରେ ଆପଣଙ୍କୁ ପାୱର ବ୍ୟାଙ୍କ ବ୍ୟବହାର କରିବାକୁ ଦିଆଯିବ ନାହିଁ। ସୁରକ୍ଷା ଦୃଷ୍ଟିରୁ ବିମାନ ଭିତରେ ଏହାର ବ୍ୟବହାର ନିଷିଦ୍ଧ କରାଯାଇଛି।

ବିମାନ ଭିତରେ ବସିଥିଲେ ଆପଣ ପାୱାର ବ୍ୟାଙ୍କ ସାହାଯ୍ୟରେ ମୋବାଇଲ୍ ଚାର୍ଜ କରିପାରିବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ଏହାକୁ ନିଷିଦ୍ଧ କରାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରମାଳୟ(MoCA) ସୂତ୍ରରୁ ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଯଦିଓ ଏହି କଟକଣା ପୂର୍ବରୁ ରହିଥିଲା, ହେଲେ ଏବେ ଏହାକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। କମ୍ପାନୀମାନେ ବିମାନରେ ଯାତ୍ରୀ ଚଢ଼ିବା ପୂର୍ବରୁ ଏନେଇ ଘୋଷଣା କରୁଛନ୍ତି। ଯାହା ଦ୍ୱାରା ନିୟମ ଅନୁପାଳନକୁ ସୁଦୃଢ଼ କରାଯାଇପାରିବ ଏବଂ ମଝି ଆକାଶରେ ସୁରକ୍ଷା ବିପଦକୁ ଏଡ଼ାଇ ଦିଆଯାଇପାରିବ।

କାହିଁକି ପାୱାର ବ୍ୟାଙ୍କ ସୁରକ୍ଷାପ୍ରତି ବିପଦ?

ପାୱାର ବ୍ୟାଙ୍କଗୁଡ଼ିକରେ ଲିଥିୟମ-ଆୟନ ବ୍ୟାଟେରୀ ଥାଏ, ଯାହା କ୍ଷତିଗ୍ରସ୍ତ ହେଲେ, ଅତ୍ୟଧିକ ଗରମ ହେଲେ କିମ୍ବା ଖରାପ ହେଲେ ନିଆଁ ଲାଗିବାର ଅଶଙ୍କା ରହିଛି। ବିମାନ ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ବିମାନ କ୍ୟାବିନ ଭିତରେ ଏକ ଛୋଟ ବ୍ୟାଟେରୀରେ ନିଆଁ ଲାଗିବା ମଧ୍ୟ ଶୀଘ୍ର ବଢ଼ିପାରେ। ଯାହା ପୂରା ବିମାନକୁ ବିପଦରେ ପକାଇପାରେ। MoCA ସୂତ୍ରଗୁଡ଼ିକ ବ୍ୟାଖ୍ୟା କରିଛନ୍ତି ଯେ ସୀମିତ କ୍ୟାବିନ ସ୍ଥାନରେ ବ୍ୟାଟେରୀ ଅତ୍ୟଧିକ ଗରମ ଏବଂ ଧୂଆଁ ଜଡିତ ଘଟଣାଗୁଡ଼ିକ ନୂତନ ନିୟମ ବଦଳରେ କଠୋର କାର୍ଯ୍ୟାନୁଷ୍ଠାନକୁ ପ୍ରୋତ୍ସାହିତ କରିଛି। ମନ୍ତ୍ରଣାଳୟର କହିବା କଥା ହେଲା ବ୍ୟାଟେରୀ ଅତ୍ୟଧିକ ଗରମ ହେବା ଓ ବନ୍ଦ କ୍ୟାବିନ୍ରେ ଏଥିରୁ ଧୂଆଁ ବାହାରିବା ଭଳି ଘଟଣା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏଥିପାଇଁ ନୂଆ ନିୟମ ବଦଳରେ ପୁରୁଣା ନିୟମକୁ କଠୋର କାର୍ଯ୍ୟାକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଛି।

ଏହା ବାଦ୍ ଅନେକ ଘରୋଇ ବିମାନ କମ୍ପାନୀ ଯାତ୍ରୀଙ୍କୁ ବିମାନରେ ପାୱାର ବ୍ୟାଙ୍କ ବ୍ୟବହାର ନ କରିବାକୁ ଘୋଷଣା କରି ପରାମର୍ଶ ଦେଉଛନ୍ତି। ବିମାନ ଯାତ୍ରା ସମୟରେ ବ୍ୟବହାର ଉପରେ ନଜର ରଖିବାକୁ କ୍ୟାବିନ କ୍ରୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାୱାର ବ୍ୟାଙ୍କ ବ୍ୟବହାର କରୁଥିଲେ ଯାତ୍ରୀଙ୍କୁ ତୁରନ୍ତ ତାକୁ ବନ୍ଦ କରିବାକୁ କୁହାଯାଉଛି। ତେବେ ଯାତ୍ରୀଙ୍କୁ ଦଣ୍ଡିତ କରିବା ପୂର୍ବରୁ ବିପଦକୁ ଏଡ଼ାଇ ପାଇଁ ଏଭଳି ନିୟମ କଠୋର କରାଯାଉଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରମାଳୟ କହିଛି।

ଯାତ୍ରୀଙ୍କ ପାଇଁ ପରାମର୍ଶ

ଯାତ୍ରୀମାନଙ୍କୁ ବିମାନରେ ଚଢ଼ିବା ପୂର୍ବରୁ ସେମାନଙ୍କର ଡିଭାଇସଗୁଡ଼ିକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ନିର୍ଦ୍ଦେଶ ଦିଆଯାଛି। ପାୱାର ବ୍ୟାଙ୍କ ପରିବର୍ତ୍ତେ ଯେଉଁ ସ୍ଥାନରେ ସିଟ୍ରେ ଚାର୍ଜିଂ ପୋର୍ଟ ଲାଗିଛି, ସେଠାରେ ନିଡର ଡିଭାଇସ୍ ଚାର୍ଜ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ପାୱାର ବ୍ୟାଙ୍କ ବହନ କରିବା ପାଇଁ ଏପର୍ଯ୍ୟନ୍ତ ଅନୁମତି ଅଛି, କିନ୍ତୁ ମଝି ଆକାଶରେ ଏହାର ବ୍ୟବହାର କରାଯାଇପାରିବ ନାହିଁ।

ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି, ଏହି ନିୟମ ସମ୍ପୂର୍ଣ୍ଣ ଭାବରେ ଉଡ଼ାଣ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି।