ବ୍ରହ୍ମପୁର ୨୬।୧୦ : ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ । କ୍ଷେତରେ ସୁନା ଫସଲର ଲହଡି । କେଉଁଠି ଧାନ କେଣ୍ଡା ମଥା ଲୁହାଇଲାଣି ତ ଆଉ କେଉଁଠି ଗର୍ଭରେ ଧାନ ଫୁଲ । ଏଭଳି ସମୟରେ ଯଦି ବର୍ଷା ଓ ବାତ୍ୟାର ପ୍ରକୋପ ରୁହେ, ତେବେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଆସିକା, ଖଲ୍ଲିକୋଟ, ଛତ୍ରପୁର ଆଦି ବିଭିନ୍ନ ଅଞ୍ଚଳରେ ଏବେ ଏଭଳି ସ୍ଥିତି ଦେଖା ଦେଇଛି । କେବଳ ଧାନ ଚାଷ ନୁହେଁ ବରଂ ପରିବା ଚାଷ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି l ଅପରାହ୍ନ ୨ଟା ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୦୭ ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏଥିମଧ୍ୟରୁ ୪ ଜଣଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କ ପ୍ରସବ ହୋଇଥିବାବେଳେ ୭୪ଟି ଜୀବିତ ଶିଶୁ ଜନ୍ମ ହୋଇଛନ୍ତି ଏବଂ ୧ଟି ମୃତ ଶିଶୁ ଜନ୍ମ ହୋଇଛି। ଜିଲ୍ଲାର ସମସ୍ତ ୧୧୦ ବାତ୍ୟା ଆଶ୍ରୟ ସ୍ଥଳୀ ଓ ୧୦୨୯ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖାଯାଇଛି l ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ l

Also Read:-Odisha cyclone preparedness: ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି, କୋରାପୁଟରେ ଉପସ୍ଥିତ ରହିବେ ଉପମୁଖ୍ୟମନ୍ତ୍ରୀ

ସେହିପରି ଆନ୍ଧ୍ର ଓ ପାରାଦ୍ବୀପରୁ ସମୁଦ୍ରକୁ ଆସିଥିବା ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆର୍ଯ୍ୟପଲ୍ଲୀ ଜେଟି ଓ ଗୋପାଳପୁର ପୋର୍ଟରେ ଆଶ୍ରୟ ଦିଆଯାଇଛି l ଏହି ଆଶ୍ରୟସ୍ଥଳୀରେ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ରଖାଯାଇପାରିବ। ଆବଶ୍ୟକ ସ୍ଥଳେ ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଯିବ । ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା, ଚିକିତ୍ସା ସେବା, ବିଦ୍ୟୁତ୍ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥା ସଚଳ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଜରୁରୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୯ଟି ଓଡ୍ରାଫ୍ ଟିମ୍ ଓ ୨ଟି NDRF ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଚାଷୀଙ୍କୁ ମଧ୍ୟ ପାଣିପାଗ ବିଭାଗର ପରାମର୍ଶ ଅନୁଯାୟୀ ଫସଲର ସୁରକ୍ଷା, ଅମଳ ଓ ସଂରକ୍ଷଣ ପାଇଁ ଆଗୁଆ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

ଅନ୍ୟପଟେ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମିକୁ ୨୬ ତାରିଖ ମଧ୍ୟାହ୍ନ ୧୨ ଟା ଠାରୁ ୩୦ ସକାଳ ଦଶଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି l ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ପର୍ଯ୍ୟଟକମାନେ ସମ୍ମାନ ଜଣାଇ ବେଳାଭୂମିରୁ ଫେରି ଯାଉଥିବା ଚିତ୍ର ଦେଖିବାକୁ ମିଳିଥିଲା l ଗୋପାଳପୁର କାର୍ଯ୍ୟନିର୍ବାହୀ ଅଧିକାରୀ, ଥାନା ଅଧିକାରୀ, ସୁରକ୍ଷା କର୍ମଚାରୀ ପ୍ରମୁଖ ପର୍ଯ୍ୟଟକଙ୍କୁ ବେଳାଭୂମିରୁ ହଟାଇ ସମ୍ଭାବ୍ୟ ବାତ୍ୟା ଉପରେ ସଚେତନ କରିଥିଲେ l