ଭୁବନେଶ୍ୱର ୨୦/୦୩: ଶିକ୍ଷା କ୍ଷେତ୍ରରେ ବଢୁଛି ପ୍ରଯୁକ୍ତିବିଦ୍ୟାର ଲୋକପ୍ରିୟତା । ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି ସ୍ମାର୍ଟଫୋନ। ରାଜ୍ୟର ୪୦% ଛାତ୍ରଛାତ୍ରୀ ପାଠପଢା ପାଇଁ ବିଭିନ୍ନ ଡିଜିଟାଲ୍ ସାଧନ ବ୍ୟବହାର କରୁଛନ୍ତି। ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ (ସିଏସଏଫ) ପକ୍ଷରୁ ପ୍ରକାଶିତ ‘ଭାରତ ସର୍ଭେ ଫର୍ ଏଡଟେକ୍’(ବିଏଏସଇ) ଦ୍ବିତୀୟ ସଂସ୍କରଣର ରିପୋର୍ଟରେ ଏହା ଦର୍ଶାଯାଇଛି।

ପ୍ରାୟ ୧୫ ଶହ ଜଣଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ୧୨୫୦ ପରିବାର ଏବଂ ୨୫୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ୬ ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରାଯାଇଥିଲା। ଉକ୍ତ ସର୍ଭେ ରିପୋର୍ଟ ଅନୁଯାୟୀ, ରାଜ୍ୟର ପ୍ରାୟ ୯୪% ପରିବାର ପାଖରେ ଅତି କମରେ ଗୋଟିଏ ସ୍ମାର୍ଟଫୋନ୍ ଏବଂ ୬୮% ପରିବାରରେ ଏକାଧିକ ସ୍ମାର୍ଟଫୋନ୍ ରହିଛି। ପ୍ରାୟ ୭୧% ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍ ବ୍ୟବହାର କରିବା ସୁଯୋଗ ପାଉଛନ୍ତି ଏବଂ ୬୬% ଏହାକୁ ପ୍ରତିଦିନ ବ୍ୟବହାର କରନ୍ତି।

୪୦% ସକ୍ରିୟ ଭାବେ ପାଠପଢ଼ା ପାଇଁ ଏହାର ବ୍ୟବହାର କରୁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ସର୍ଭେ ଅନୁଯାୟୀ, ଶିକ୍ଷାର୍ଥୀଙ୍କ ମଧ୍ୟରେ ୟୁଟ୍ୟୁବ୍ ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହୋଇଥିବା ବେଳେ ୯୯% ଏହାକୁ ବ୍ୟବହାର କରନ୍ତି। ସେହିପରି ୮୭% ହ୍ଵାଟସଆପ୍, ଗୁଗଲ୍ ୬୩%, ଚାପିଟି ୪%, ଗୁଗଲ୍ ଜେମିନି ୩% ଏବଂ ମେଟା ଏଆଇ ୩% ବ୍ୟବହାର ମଧ୍ୟ ଦେଖିବାକୁ ମିଳିଛି। ସେହିପରି ପ୍ରାୟ ୯୯% ଶିକ୍ଷକ ଶିକ୍ଷୟିତ୍ରୀ ଏଡ୍କ୍ ଉପକରଣ ବିଷୟରେ ଜାଣିଥିବା ବେଳେ ୯୮% ଏହାକୁ ଶିକ୍ଷାଦାନ ପାଇଁ ବ୍ୟବହାର କରୁଛନ୍ତି।

ସେମାନେ ମୁଖ୍ୟତଃ ହ୍ବାଟସଆପ୍ ୯୬%, ଗୁଗଲ୍ ୮୦% ଏବଂ ୟୁଟ୍ୟୁବ୍ ୭୬% ବ୍ୟବହାର କରିଥାନ୍ତି। ତେବେ ୧୬% ଶିକ୍ଷକ ‘ଦୀକ୍ଷା’ ଏବଂ ୧୩% ‘ଇ-ପାଠଶାଳା’ ବ୍ୟବହାର କରୁଛନ୍ତି। ଅନ୍ୟପକ୍ଷରେ ୧୩% ଛାତ୍ରଛାତ୍ରୀ ଶିକ୍ଷା ପାଇଁ ‘ଜେନ୍ ଏଆଇ’ ବ୍ୟବହାର କରନ୍ତି। ୪୦% ଶିକ୍ଷକ ଶିକ୍ଷୟିତ୍ରୀ ଏଆଇକୁ ଶିକ୍ଷାଦାନରେ ବ୍ୟବହାର କରନ୍ତି। ୧୨% ଏକ ବ୍ୟବହାରକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷାଦାନ ଏବଂ ବିଦ୍ୟାଳୟ – ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଜେନ୍ଏଆଇ ବ୍ୟବହାର କରନ୍ତି ବୋଲି ‘ଭାରତ ସର୍ଭେ ଫର୍ ଏଡଟେକ୍’ ରିପୋର୍ଟରେ ପ୍ରକାଶ ପାଇଛି।