• ଯୁଦ୍ଧ ସମସ୍ୟାର ସମାଧାନ ନୁହେଁ ଆଲୋଚନା ଓ କୂଟନୀତି ମାଧ୍ୟମ ଅବଲମ୍ବନ କରାଯାଉ
  • ଲୋକଙ୍କ ପୀଡାକୁ ଦେଖି ବିଶ୍ୱ ଚୁପ ରହି ପାରିବନି, ଯୁଦ୍ଧରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଛି
  • ଯୁଦ୍ଧଗ୍ରସ୍ତ ଅଞ୍ଚଳର ଲୋକଙ୍କ ପୀଡା ସମଗ୍ର ମାନବତାକୁ ଅନୁଭବ ହେବା ଆବଶ୍ୟକ

ଭେଟିକାନ ସିଟି ୨୨।୩: ପଶ୍ଚିମ ଏସିୟାରେ ଜାରି ଯୁଦ୍ଧକୁ ନେଇ ପୋପ ଲିୟୋ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଇରାନ ସହ ଯୁଦ୍ଧକୁ ପୋପ ପୁରା ମାନବିକତା ଲାଗି ଏହା ‘ଭୁଲ ଓ ଲଜ୍ଜାଜନକ’ କହି ତୁରନ୍ତ ହିଂସା ରୋକିବାକୁ ନିବେଦନ କରିଛନ୍ତି। ପୋପ ଲିଓ କହିଛନ୍ତି ଯେ ଏହି ଯୁଦ୍ଧରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଛି ଓ ଅନେକ ଆହତ ହେଉଛନ୍ତି। ସେ ବିଶେଷ କରି ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ସେ ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ବୋଲି କହିଛନ୍ତି।

ପୋପ କହିଛନ୍ତି ଏତେ ଲୋକଙ୍କ ପୀଡାକୁ ଦେଖି ବିଶ୍ୱ ଚୁପ ରହିପାରିବ ନାହିଁ। ସେ କହିଛନ୍ତି ସେଠାକାର ଲୋକେ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି ଏହା ପୁରା ମାନବତାକୁ ଅନୁଭବ ହେବା ଆବଶ୍ୟକ। ପୋପ ଏହା ବି କହିଛନ୍ତି ଯେ ତାଙ୍କର ଚିନ୍ତା କେବଳ ପଶ୍ଚିମ ଏସିୟା ପର୍ଯ୍ୟନ୍ତ ସୀମିତ ନୁହେଁ। ବରଂ ପୁରାବିଶ୍ୱର ବିଭନ୍ନ ଅଞ୍ଚଳରେ ଜାରି ଯୁଦ୍ଧ, ହିଂସା ଓ ସଂଘର୍ଷ କୁ ନେଇ । ଏଣୁ ସେ ବୈଶ୍ୱିକ ଶାନ୍ତି ଓ ସ୍ଥିରତା ଉପରେ ଗୁରୁତ୍ୱ ଦେଇଛନ୍ତି।

ପୋପ ଲିଓ ସମସ୍ତଙ୍କୁ ଶାନ୍ତି ନିମନ୍ତେ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଏବେ ଯୁଦ୍ଧର ସମୟ ନୁହେଁ ଯୁଦ୍ଧକୁ ସମାପ୍ତ କରି ଆଲୋଚନା ଓ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ବାହାର କରାଯାଉ। ପୋପଙ୍କ ଏହି ବୟାନ ଅନ୍ତର୍ଜାତୀୟ ସମୂଦାୟଙ୍କ ନିମନ୍ତେ ମଜଭୁତ ନୈତିକ ବାର୍ତ୍ତା। ଏହା ବିଶ୍ୱରେ ସଂଘର୍ଷ ସମାପ୍ତ କରିବାକୁ ଓ ଶାନ୍ତି ସ୍ଥାପନା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ।