ଅଯୋଧ୍ୟା: ରାମ ମନ୍ଦିର ଦାନ ଚୋରି ମାମଲାରେ ପୋଲିସ ୫ଜୁଲାଇ ରବିବାର ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବ। ପୋଲିସ ଅନୁସାରେ ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ରାମଶଙ୍କର ଯାଦବ ଓରଫ ଟିନୁ, କରୁଣେଶ ପାଣ୍ଡେ ଓ ମନିଷ ଯାଦବଙ୍କୁ ଜେଲରେ ପଚରାଉଚରା କରାଯିବ। ଏଥି ପାଇଁ ମାମଲାର ତଦନ୍ତ କରୁଥିବା ଅଯୋଧ୍ୟ ସିଓ ଆଶୁତୋଷ ତିୱାରୀ ଦୁର୍ନୀତି ନିବାରଣ ସ୍ୱତନ୍ତ୍ର ଜଜ୍ ରଜତ ବର୍ମାଙ୍କ କୋର୍ଟରେ ଆବେଦନ ଦାଖଲ କରିଥିଲେ। ରାମ ମନ୍ଦିର ଦାନ ଚୋରି ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଅଯୋଧ୍ୟା ପୋଲିସକୁ ଶନିବାର କୋର୍ଟରୁ ଅନୁମତି ମିଳିଯାଇଛି।

ଏହା ପୂର୍ବରୁ ପୋଲିସ ଅବିନାଶ ଶୁକ୍ଳାକୁ ଜେଲରେ ପଚରାଉଚରା କରିଥିଲା। ଏଥି ପାଇଁ ପୋଲିସ ଅବିନାଶକୁ ରିମାଣ୍ଡରେ ନେଇଥିଲା। ରବିବାର ଜେଲରେ ୫ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ସହ ମାମଲାରେ ସେମାନଙ୍କ ବୟାନ ରେକର୍ଡ କରାଯିବ। ପରବର୍ତ୍ତି ସମୟରେ ଆବଶ୍ୟକତା ପଡିଲେ ସେମାନଙ୍କୁ ଜଣ ଜଣ କରି ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। ଏହା ଛଡା ଅଯୋଧ୍ୟା ପୋଲିସ ସୋମବାରଠାରୁ ଟ୍ରଷ୍ଟ ସମ୍ପର୍କିତ ପଦାଧିକାରୀଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିବ। ପୋଲିସ ଏ ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନର ଗୋପାଲ ରାଓ ଏବଂ ଅନିଲ ମିଶ୍ରଙ୍କୁ ପଚରାଉଚରା କରିନି।

ଅନ୍ୟପଟେ ଅଭିଯୁକ୍ତ ଅବିନାଶ ଶୁକ୍ଳା ବିରୋଧରେ ପୋଲିକୁ ସ୍ପଷ୍ଟ ପ୍ରମାଣ ମିଳିଛି। ଚୋରି କରୁଥିବା ବେଳେ ଅବିନାଶକୁ ସିସିଟିଭିରେ ଦେଖା ଯାଇଛି। ବାକି ଅଭିଯୁକ୍ତଙ୍କ ବିରୋଧରେ ଇଲେକ୍ଟ୍ରୋନିକ୍ ଇଭିଡିଏନ୍ସ ମହଜୁଦ ଅଛି। ଏ ପର୍ଯ୍ୟନ୍ତ ପଚରାଉଚରାରୁ ଜଣାପଡିଛି ଯେ ସବୁ ଅଭିଯୁକ୍ତ ସେମାନେ କରିଥିବା ଚୋରି ପାଇଁ ପଶ୍ଚାତାପ କରୁଛନ୍ତି, ତେବେ ସେମାନଙ୍କର କୌଣସି ପୁରୁଣା ଅପରାଧିକ ରେକର୍ଡ ନଥିବା ପୋଲିସ କହିଛି। ସେହିପରି ସେମାନେ ଚୋରି ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିବାର ମଧ୍ୟ ପୋଲିସ ନିକଟରେ କୌଣସି ପ୍ରମାଣ ନାହିଁ। ଏଥିରୁ ଏବେ ପ୍ରଶ୍ନ ଉଠୁଛି ଯେ ସେମାନେ ଚୋରି ଯୋଜନା କାହା ପ୍ରୋତ୍ସାହନରେ କରିଥିଲେ। ଏହି ଦାନ ଚୋରି କାଣ୍ଡର ମାଷ୍ଟରମାଇଣ୍ଡକୁ ଏବେ ପୋଲିସ ଖୋଜୁଛି।

ସୂତ୍ର ଅନୁସାରେ ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତଙ୍କ ଜମି ଜମା ଓ ବ୍ୟାଙ୍କ ରେକର୍ଡ ହାସଲ କରିଛି। ଏ ସବୁ ଅପରାଧ ଆୟରୁ ନୁହେଁ ତ ତାହା ଜାଣିବା ପାଇଁ ସେ ସବୁର ଏବେ ଯାଞ୍ଚ ହେଉଛି। ପୋଲିସ ସୂତ୍ରଙ୍କ ଅନୁସାରେ ରାଜସ୍ୱ ବିଭାଗରୁ ଅଭିଯୁକ୍ତମାନଙ୍କର ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଭୂ-ଖଣ୍ଡ ରେକର୍ଡ ମଗା ଯାଇଥିଲା। ପୋଲିସକୁ ଏ ପର୍ଯ୍ୟନ୍ତ ବିଭାଗରୁ ୨୦ଟି ଜମି ଜମା ସମ୍ପର୍କିତ ରେକର୍ଡ ମିଳିଥିବା କୁହାଯାଇଛି। ସେଗୁଡିକୁ ଏବେ ଭେରିଫାଏ କରାଯାଉଛି।

ପୋଲିସ ଅନୁସାରେ ଯେଉଁ ତାରିଖରେ ସମ୍ପତ୍ତି କ୍ରୟ କରାଯାଇଛି ଓ ଯେଉଁ ତାରିଖରୁ ଅଭିଯୁକ୍ତ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ଯୋଗ ଦେଇଛନ୍ତି ତାହା ଏବେ ଭେରିଫାଏ କରାଯାଉଛି। ସୂତ୍ର ଅନୁସାରେ ଯଦି ସମ୍ପତ୍ତି ରାମ ମନ୍ଦିରରେ କାମ କରୁଥିବା ବେଳେ କ୍ରୟ କରିଥିବେ ତେବେ ତାକୁ ଅପରାଧ ଅର୍ଜିତ ବୁଝାଯାଇ ପାରେ। ଏହା ପୂର୍ବରୁ ପୋଲିସ ଶୁକ୍ରବାର ଅବିନାଶ ଶୁକ୍ଳଙ୍କ ସୂଚନା ଅନୁସାରେ କାର୍ଯ୍ୟାନୁଷ୍ଠାନ କରି ଏକ ଚାରି ଚକିଆ ଗାଡ଼ି ଜବତ କରିଛି। ପୋଲିସ ଏହାକୁ ଅପରାଧ ଆୟ ବୋଲି କହିଛି। ତଦନ୍ତକାରୀମାନେ ଏହି ସମୟରେ ସେହି ସ୍ଥାନ ମଧ୍ୟ ଦେଖିଛନ୍ତି ଯେଉଁଠି ଅଭିଯୁକ୍ତମାନେ ଚୋରି ଦାନ ପଇସା ଭାଗବାଣ୍ଟୁଥିଲେ। ଏହି ସମୟରେ ପଇସା କିପରି ବାଣ୍ଟ ହେଉଥିଲା ତାହା ମଧ୍ୟ ଅବିନାଶ ଶୁକ୍ଳା ପୋଲିସକୁ ସୂଚିତ କରିଛି।