ଭୁବନେଶ୍ୱର ୦୩।୦୬ : ସାରା ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀଙ୍କୁ ମାତ୍ ଦେବାକୁ ପୁଲିସ ଏବେ ଏନକାଉଣ୍ଟର ଫର୍ମୁଲା ଆପଣାଇଛି। କେଉଁ ଜିଲ୍ଲା ପୋଲିସ କେତେ ଅପରାଧୀଙ୍କୁ ଘାଇଲା କରିପାରିବ? ସେନେଇ ଏକରକମର ପ୍ରତିଯୋଗିତା ଚାଲିଛି। ଗତ ୨୨ ଦିନରେ ୧୨ଜଣ ପେସାଦାର, ଅଭ୍ୟାସଗତ ଅପରାଧୀ ଗୁଳି ଖାଇଲେଣି। ବ୍ରହ୍ମପୁର ପୁଲିସର ସର୍ଭିସ ବନ୍ଧୁକରୁ ସର୍ବାଧିକ ଗୁଳି ଗର୍ଜିଛି। ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଘାଇଲା ହୋଇଛନ୍ତି। ଝାରସୁଗୁଡ଼ା ଓ ସମ୍ବଲପୁରରେ ୨ଜଣ ଲେଖାଏ, ଭୁବନେଶ୍ୱର ଓ ପୁରୀରେ ଜଣେ ଲେଖାଏ ଅପରାଧୀଙ୍କ ଗୋଡ଼କୁ ପୁଲିସ ଗୁଳି ଭେଦିଛି। ତଥାପି ରାଜ୍ୟରେ ଅପରାଧର ମାତ୍ରା ବଢ଼ିଚାଲିଛି। ଯେତିକି ଅପରାଧୀଙ୍କୁ ଗଲା ମାସେ ଭିତରେ ଏନକାଉଣ୍ଟର କରାଯାଇଛି। ସେମାନଙ୍କ ଭିତରୁ ଅଧିକାଂଶ ଅଭ୍ୟାସଗତ ଚୋର, ଲୁଟେରା ଓ ଡକାୟତ। ନଚେତ୍, ପେସାଦାର ନିଶା ମାଫିଆ। କେହି ଜଣେ ବି ଗ୍ୟାଙ୍ଗଷ୍ଟର୍ ନୁହନ୍ତି। ହତ୍ୟା ଭଳି ସଙ୍ଗୀନ ମାମଲାରେ ଅଧିକାଂଶଙ୍କ ସମ୍ପୃକ୍ତି ନାହିଁ। ତଥାପି ରାଜ୍ୟରେ ଅପରାଧ ଉପରମୁହାଁ ହେବାରୁ ପୁଲିସ ଏହି ‘ଠୋକ୍ ଡାଲୋ’ ଫର୍ମୁଲା ଆପଣାଇଛି। ଅଭ୍ୟାସଗତ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସିଧା ଗୁଳି କରି ଘାଇଲା କରୁଛି ପୋଲିସ।

ଜଣେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ପୋଲିସଠାରୁ ଗୁଳି ଖାଇଥିବା ସମସ୍ତ ଅପରାଧୀମାନେ ସଂଗଠିତ ଅପରାଧରେ ସମ୍ପୃକ୍ତ । ଏମାନଙ୍କର ଦୀର୍ଘ ବର୍ଷର ଅପରାଧିକ ଇତିହାସ ରହିଛି । କିନ୍ତୁ ସେମାନଙ୍କୁ ଅପରାଧରୁ ନିବୃତ୍ତ କରିବା ପାଇଁ ଆମ ଆଇନ୍ ବ୍ୟବସ୍ଥାରେ ଆହୁରି ଅନେକ ବାଟ ଅଛି । ପୁଲିସର ଏମିତି ‘ଫଇସଲା ଅନ୍ ଦି ସ୍ପଟ୍’ ଫର୍ମୁଲା ଠିକ୍ ନୁହେଁ । ଅପରପକ୍ଷରେ ରାଜ୍ୟବ୍ୟାପୀ ବାଲି ଓ ଖଣି ମାଫିଆ ରାଜସ୍ୱ ଲୁଟ୍ କରିବାରେ ବ୍ୟସ୍ତ । ଅନେକ ସ୍ଥାନରେ ପୁଲିସ ମଧ୍ୟ ସେମାନଙ୍କ ଆକ୍ରମଣର ଶିକାର ହେଉଛି । କିନ୍ତୁ କେବେ ତାଙ୍କ ଆଡକୁ ପୁଲିସ ଗୁଳି ଯାଉନି । କାରଣ ପୋଲିସ ଓ ରାଜସ୍ୱ ବିଭାଗ ପଦାଧିକାରୀଙ୍କ ସୁରକ୍ଷାରେ ସେମାନେ ଅଛନ୍ତି । ରାଜ୍ୟରେ ବଳାତ୍କାର ଗ୍ରାଫ୍ ବଢ଼ି ଚାଲିଛି । କିନ୍ତୁ କେବେ କୌଣସି ବଳାତ୍କାରୀର ନାମ ଏନକାଉଣ୍ଟର ତାଲିକାକୁ ଉଠେନି ।

Also Read:-US-IRAN WAR : ଘମାଘୋଟ ଳଢେଇ, ୟୁଏସ ସେନା ବେସ୍ ଉପରେ ଆକ୍ରମଣ, ଇରାନର ଦ୍ବୀପରେ ଆମେରିକାର ଏୟାର ଷ୍ଟ୍ରାଇକ୍

ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶଙ୍କ କହିବା ମୁତାବକ, ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଏନକାଉଣ୍ଟର ପର୍ମୁଲା ଆପଣାଇଛି ପୁଲିସ । ୨୦୧୪ରେ ପିପୁଲସ ୟୁନିଅନ ଫର୍ ସିଭିଲ ଲିବର୍ଟିସ୍ ଭର୍ସେସ୍ ଷ୍ଟେଟ ଅଫ ମହାରାଷ୍ଟ୍ର ଏବଂ ଅଦର୍ସ କେସରେ ଏନକାଉଣ୍ଟର ବାବଦକୁ ସୁପ୍ରିମକୋର୍ଟ ଏକ ବିସ୍ତୃତ ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ ଅଧିକାଂଶ ମାମଲାରେ ଏସବୁ ଗାଇଡଲାଇନକୁ ପୁଲିସ ଦଳିଚକଟି ଦେଉଛି । ଯଦି ପୋଲିସର ଏନକାଉଣ୍ଟର ଥିଓରୀ ସତ ପ୍ରମାଣିତ ନ ହେଲା, ପୋଲିସ ଗୁଳିରେ ଘାଇଲା ପୀଡ଼ିତ ଅପରାଧୀମାନେ ନ୍ୟାୟ ନେଇପାରିବେ । ଅତୀତରେ ଏନକାଉଣ୍ଟରର ଶିକାର ହୋଇଥିବା ଅନେକ ଅପରାଧୀକୁ ଯଦି ସେମାନଙ୍କ ଏନକାଉଣ୍ଟରର କାହାଣୀ ପଚରାଯାଉଛି ତେବେ ଭୟରେ ସେମାନେ ମୁହଁ ଖୋଲି ନଥାନ୍ତି ।

ସିରିଜ୍ ଏନକାଉଣ୍ଟର

-ମେ’ ୧୨ରେ ଝାରସୁଗୁଡ଼ା ବେଲପାହାଡ଼ ଥାନାରେ ପ୍ରଥମ ଏନକାଉଣ୍ଟର ହୋଇଥିଲା । ହତ୍ୟା ଅଭିଯୁକ୍ତ ସୁନିଲ ମହାନନ୍ଦ, ଚାନ୍ଦ ବନଛୋର ଗୁରୁତର ଆହତ କରିଥିଲା । ୨ ଜଣଙ୍କ ଜଂଘରେ ଗୋଟିଏ ଲେଖାଏଁ ଗୁଳି ବାଜିଛି ।

-ମେ’ ୧୬ରେ ବ୍ରହ୍ମପୁର ପୋଲିସ ଦ୍ୱାରା ଲାଞ୍ଜିପଲ୍ଲୀର ଦୁର୍ଦ୍ଦାନ୍ତ ଦିପୁନା ନାୟକ ଏନକାଉଣ୍ଟର । ସକାଳେ ସେ ଗୋପାଳପୁର ଓଭରବ୍ରିଜରୁ ଶ୍ୟାମ ବେହେରାଙ୍କୁ ଠେଲି ହତ୍ୟା ପାଇଁ ଉଦ୍ୟମ କରିଥିଲା । ୨୦ରୁ ଅଧିକ ମାମଲା ରହିଛି । ବାମଗୋଡ଼ ଆଣ୍ଠୁରେ ଗୁଳି ବାଜିଥିଲା ।

-ମେ’ ୧୭ରେ ସମ୍ବଲପୁର ବୁର୍ଲାର ପ୍ଲାନେଟାରିୟମ ଛକରେ ନିଶା ବେପାରୀ ମନୀଷ ସାହୁକୁ ଏନକାଉଣ୍ଟର । କାରରୁ ବିପୁଳ ମାତ୍ରାରେ କୋରେକ୍ସ ମିଳିଥିଲ । ୧୪ଟି ଅପରାଧିକ ମାମଲା (ଡକାୟତି, ଆର୍ମ୍ସ ଆଇନ୍, ନିଶା କାରବାର) ରହିଛି । ଡାହାଣ ପଟ ନଳି ଗୋଡ଼ରେ ଗୁଳି ବାଜିଛି ।

-ମେ’ ୧୯ରେ ସମ୍ବଲପୁରର ଚାରମାଳ ଥାନା ମୋଚିବାହାଲ ଅଞ୍ଚଳରେ ବଣ୍ଟି ସୁନଚୁ ଏନକାଉଣ୍ଟର । ଅସ୍ତ୍ରଶସ୍ତ୍ର ମହଜୁଦ ରଖିବା ସହ ଗଞ୍ଜେଇ ଓ କୋରେକ୍ସ ଚାଲଣଜନିତ ୧୬ଟି ମାମଲା ରହିଛି । ବାମ ପାଶ୍ୱର୍ ନଳି ଗୋଡ଼ରେ ଗୁଳି ବାଜିଛି ।

-ମେ’ ୨୦ରେ ବ୍ରହ୍ମପୁର ଗିରି ରୋଡ଼ରେ ଯୁବକ-ଯୁବତୀଙ୍କୁ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ଟାମଣା ଘାଟି (ବ୍ରହ୍ମପୁର-ଚିକିଟି ରାସ୍ତା) ରେ ଏନ୍କାଉଣ୍ଟର । ତା’ ହାତ ଓ ଦୁଇ ଆଣ୍ଠୁରେ ଗୁଳି ଭେଦିଥିଲା ।

-ମେ’ ୨୫ରେ ବ୍ରହ୍ମପୁର ଅମ୍ବିକା ନଗରରେ ମଙ୍ଗଳା ବେହେରାଙ୍କୁ ଖଣ୍ଡାରେ ହାଣି ଆତଙ୍କ ରଚିଥିବା ଜଗନ୍ନାଥ ସାହୁକୁ ଏନକାଉଣ୍ଟର । ପୋଲିସ ଉପରକୁ ବୋମାମାଡ଼ ପାଇଁ ଜଗନ୍ନାଥ ଚେଷ୍ଟା କରିଥିଲା । ଜଗାର ୨ ଗୋଡ଼ର ଆଣ୍ଠୁରେ ଗୁଳି ବାଜିଛି ।

-ମେ’ ୨୬ରେ ସୁଧିର ପାତ୍ର ହତ୍ୟା ମାମଲାରେ ବ୍ରହ୍ମପୁର ରତ୍ନ ନଗରରେ ରଞ୍ଜନ ମଲ୍ଲିକ ଓ ସରୋଜ ସାହୁକୁ ଏନକାଉଣ୍ଟର । ଅପହରଣ ଓ ହତ୍ୟା ମାମଲାରେ ଉଭୟଙ୍କୁ ରାଜସ୍ଥାନରୁ ଟ୍ରାନଜିଟ୍ ରିମାଣ୍ଡରେ ବ୍ରହ୍ମପୁର ଆଣୁଥିଲେ । ସରୋଜର ଡାହାଣ ଗୋଡ଼ ଓ ରଞ୍ଜନର ବାମ ଗୋଡ଼ରେ ଗୁଳି ବାଜିଥିଲା ।

-ମେ’ ୨୮ରେ ଭୁବନେଶ୍ୱରରେ ଦୁର୍ଦ୍ଦାନ୍ତ ପପୁନ ମାଝିକୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ (ସ୍ପେଶାଲ କ୍ରାଇମ୍ ୟୁନିଟ୍) ଏନକାଉଣ୍ଟର । ଗଞ୍ଜାମ ଭଞ୍ଜନଗର ଅଞ୍ଚଳର ପପୁନ ନାଁରେ ୮୧ଟି ମାମଲା(ଆର୍ମ୍ସ ଆକ୍ଟ, ଡ୍ରଗ୍ସ କାରବାର, ବୋମାମାଡ଼) ରହିଛି । ଡାହାଣ ପଟ ଆଣ୍ଠୁରେ ଗୁଳି ବାଜିଥିଲା ।

-ମେ’ ୩୦ରେ ଝାରସୁଗୁଡ଼ା ରେଙ୍ଗାଳିର କଦମଘାଟରେ ଡକାୟତି ଉଦ୍ୟମ ବେଳେ ଦୁର୍ଦ୍ଦାନ୍ତ ଜୟ ଚୌହାଚୁ ଏନକାଉଣ୍ଟର । ଡାହାଣ ପାର୍ଶ୍ୱ ଗୋଡ଼ ଆଣ୍ଠୁ ଉପରକୁ ଗୁଳି ଭେଦିଥିଲା।

-ମେ’ ୩୧ରେ ପୁରୀ ବାଇପାସରେ ଲୁଟ୍ ଯୋଜନା କରୁଥିବା ଚନ୍ଦନ ଜେନାଙ୍କୁ ଏନକାଉଣ୍ଟର । ଡାହାଣ ପାର୍ଶ୍ୱ ଆଣ୍ଠୁରେ ଗୁଳି ବାଜିଥିଲା ।