କଟକ ୨୯।୫:  ଉପବାସରେ କୁଷ୍ଠାଶ୍ରମ ଅନ୍ତେବାସୀ। କଟକ ନୂଆବଜାରରେ ଥିବା ପ୍ରାୟ ଦେଢ ଶହ ଅନ୍ତେବାସୀ ଆଜି ଉପବାସରେ ଅଛନ୍ତି। ଯେଉଁ ଆକ୍ରାନ୍ତ ଲୋକମାନେ କୁଷ୍ଠାଶ୍ରମ ଡାକ୍ତରଖାନାରେ ରହି ଚିକିତ୍ସିତ ହୁଅନ୍ତି, ସେମାନଙ୍କୁ ତିନି ଓଳି ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କଟକର ସ୍ବରୁପା ମହାସଂଘ ନାମକ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଅନ୍ତେବାସୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେଇଥାଏ। ମାତ୍ର ଆଜିଠାରୁ ସ୍ବୟଂ ସହାୟକ ଗୋଷ୍ଠୀ ଖାଦ୍ୟ ଯୋଗାଇବା ବନ୍ଦ କରିଦେଇଛି। ଫଳରେ ପ୍ରାୟ ଦେଢ ଶହ ଅନ୍ତେବାସୀ ଆଜି ସକାଳୁ ଉପବାସରେ ରହିଛନ୍ତି। ତୁରନ୍ତ ଖାଦ୍ୟ ଯୋଗାଣ ସ୍ବାଭାବିକ କରିବା ଦାବିରେ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଭୋକ ଉପବାସରେ ଧାରଣାରେ ବସିଛନ୍ତି କୁଷ୍ଠାଶ୍ରମ ଅନ୍ତେବାସୀ।

ସେପଟେ ଏଭଳି ଅଚଳାବସ୍ଥା ପାଇଁ ସ୍ବରୁପା ମହାସଂଘ ହିନ୍ଦ୍ କୁଷ୍ଠ ନିବାରଣ ସଙ୍ଘକୁ ଦାୟୀ କରିଛି। ବ୍ୟବସ୍ଥା ମୁତାବକ ହିନ୍ଦ୍ କୁଷ୍ଠ ନିବାରଣ ସଂଘ ଖାଦ୍ୟ ଯୋଗାଇବା ବାବଦରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଟଙ୍କା ଦେବା କଥା। ଜନସ୍ବାସ୍ଥ୍ୟ ବିଭାଗ ହିନ୍ଦ୍ କୁଷ୍ଠ ନିବାରଣ ସଂଘକୁ ଆବଶ୍ୟକ ଅର୍ଥ ଦେବା କଥା। ମାତ୍ର ଗତ ଦେଢ ବର୍ଷରୁ ଅଧିକ ସମୟ ହେବ ହିନ୍ଦ୍ କୁଷ୍ଠ ନିବାରଣ ସଂଘ ଖାଦ୍ୟ ଯୋଗାଇବା ବାବଦରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଗୋଟିଏ ବି ଟଙ୍କା ଦେଇ ନାହିଁ। ଧାର ଉଧାର କରି ସ୍ବୟଂ ସହାୟକ ଗୋଷ୍ଠୀ ଖାଦ୍ୟ ଯୋଗାଇ ଆସୁଥିଲା। ମାତ୍ର ଅବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଆଜି ଖାଦ୍ୟ ଯୋଗାଣ ବନ୍ଦ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀ ବାଧ୍ୟ ହେଲା ବୋଲି କହିଛି। ସେପଟେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଜିଲ୍ଲାପାଳ ବର୍ତ୍ତମାନ ପାଇଁ ଖାଦ୍ୟ ଯୋଗାଇବା ପାଇଁ ଅନ୍ୟ ଏକ ସଂସ୍ଥାକୁ ଅନୁରୋଧ କରିଛନ୍ତି। ଏହା ସହ ସ୍ବୟଂ ସହାୟକ ଗୋଷ୍ଠୀ ର ବକେୟା ଅର୍ଥ ପ୍ରଦାନ କରି ଖାଦ୍ୟ ଯୋଗାଣକୁ କିଭଳି ନିୟମିତ କରିହେବ,ସେ ନେଇ ପଦକ୍ଷେପ ନିଆଯାଉଥିବା ସ୍ବାସ୍ଥ୍ୟ ବିଭାଗ କହିଛି।

Also Read:- ଦୁଇ ମାସ ହେଲା ଖାତାକୁ ଆସୁନି ଭତ୍ତା ଟଙ୍କା, ବ୍ୟାଙ୍କକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଅସହାୟ ହିତାଧିକାରୀ

ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ଅନ୍ତେବାସୀଙ୍କୁ ଖାଦ୍ୟ ଯୋଗାଉଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ ଦୀର୍ଘ ବର୍ଷ ଧରି ଟଙ୍କା ନଦେବା ଓ କୋଟିଏ ଟଙ୍କା ବାକି କରି ସ୍ବୟଂ ସହାୟକ ଗୋଷ୍ଠୀ ଖାଦ୍ୟ ଯୋଗାଇବା ପଛରେ କିନ୍ତୁ କି ରହସ୍ୟ ରହିଛି ସେ ସମ୍ପର୍କରେ ଉପସ୍ଥିତ ଅଧିକାରୀ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖି ନାହାନ୍ତି।