ରାୱଲକୋଟ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ରାୱଲକୋଟରେ ଜାରି ବିରୋଧ ପ୍ରଦର୍ଶନ ମଧ୍ୟରେ ସ୍ଥାନୀୟ ଆନ୍ଦୋଳନକାରୀ ସଙ୍ଗଠନ ଜଏଣ୍ଟ ଆବାମୀ ଆକ୍ସନ କମିଟି (ଜେଏଏସି) ନେତା ସରଦାର ଅମନ ଖାନ ଇସ୍ଲାମାବାଦର ଦୀର୍ଘ ଦଶନ୍ଧୀ ପୁରୁଣା ନାରେଟିଭକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି। ଇଦଗାହ ମୈଦାନରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ‘ପିଓକେ ନା ତ ସ୍ୱାଧୀନ ନା କୌଣସି ବିବାଦୀୟ କ୍ଷେତ୍ର। ବରଂ ପାକିସ୍ତାନ ଦ୍ୱାରା ଜୋର ଦବରଦସ୍ତ କବଜା କରାଯାଇଥିବା ଏକ ଗୋଲାମ ଅଞ୍ଚଳ’। ଅମନ ଖାନଙ୍କ ଏହି ବୟାନ କାଶ୍ମୀର ଉପରେ ପାକିସ୍ତାନର ବୈଶ୍ୱିକ ଦାବି ଉପରୁ ପର୍ଦ୍ଦା ହଟାଇ ଦେଇଛି।

ରାୱଲକୋଟର ଐତିହାସିକ ଇଦଗାହ ମୈଦାନରେ ଆୟୋଜିତ ବିଶାଳ ରାଲିରେ ଜେଏଏସି ନେତା ଇତିହାସର ସବୁଠୁ ଆକ୍ରମକ ଭାଷଣ ଦେଇଛନ୍ତି। ସେ କହିଛନ୍ତି ଯେ ଏହା କୌଣସି ବିବାଦୀୟ ଅଞ୍ଚଳ ନୁହେଁ ଏକ ଅକୁପାଇଡ ଟେରିଟରି। ଏହାକୁ ଜୋର ଜବରଦସ୍ତ କବଜା କରାଯାଇଛି। ଆମକୁ ପାକିସ୍ତାନର କୌଣସି ଆବଶ୍ୟକତା ନାହିଁ, ବରଂ ପାକିସ୍ତାନକୁ ଆମର ଆବଶ୍ୟକତା ଅଛି। ତାଙ୍କର ଏହି ଭାଷଣକୁ ହଜାର ହଜାର ଜନତା କରତାଳି ଓ ପାକିସ୍ତାନ ମୁର୍ଦ୍ଦାବାଦ ଧ୍ୱନୀରେ ସମର୍ଥନ କରିଛନ୍ତି।

ଏହି ଜନ ଆନ୍ଦୋଳନକୁ ଦବାଇ ଦେବାକୁ ପାକିସ୍ତାନୀ ସେନା କ୍ରୁର ଆଭିମୁଖ୍ୟ ପୋଷଣ କରୁଛି। ତାଜା ରିପୋର୍ଟ ଅନୁସାରେ ରାୱଲକୋଟ ଓ ସୁଧନତୀରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା ନାଗରିକଙ୍କ ଉପରେ ପାକିସ୍ତାନୀ ଫୋର୍ସ ଦ୍ୱାରା କରାଯାଇଥିଲା ସିଧା ଗୁଳିମାଡ଼ରେ ଆଉ ୬ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି। ୟୁନାଇଟେଡ କାଶ୍ମୀର ପ୍ୟୁପିଲସ୍ ପାର୍ଟି ଏହି ସୈନ୍ୟ ବର୍ବରତାକୁ କଡ଼ା ଶବ୍ଦରେ ନିନ୍ଦା କରିଛି ଓ ଏହି ନରସଂହାରର ସ୍ୱତନ୍ତ୍ର ଅନ୍ତର୍ଜାତୀୟ ଯାଞ୍ଚ ଦାବି କରିଛି। ଏ ପର୍ଯ୍ୟନ୍ତ ଏହି ଆନ୍ଦୋଳନରେ ମୋଟ ମୃତ୍ୟୁ ସଂଖ୍ୟା ୨୦କୁ ପହଞ୍ଚିଛି।

ରାୱଲକୋଟରେ ଜାରି ଏହି ଆନ୍ଦୋଳନର ନେତାମାନେ ପାକିସ୍ତାନକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ଯଦି ପାକିସ୍ତାନ ଖାଦ୍ୟାନ୍ନ ଯୋଗାଣ ଉପରେ ଜାରି କଟକଣା ନ ହଟାଏ ଅଘୋଷିତ ନାକାବନ୍ଦୀ ଓ ଇଣ୍ଟରନେଟ୍ ବ୍ୟାନ୍ ତୁରନ୍ତ ସମାପ୍ତ ନ ହୁଏ ଆମେ ଅନ୍ୟ ରାସ୍ତା ଆପଣେଇବାକୁ ବାଧ୍ୟ ହେବୁ। ଏଥି୍ରେ ଭୂ-ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ‘ଅନ୍ୟ ରାସ୍ତା’ର ସିଧା ଅର୍ଥ ହେଉଛି ସହାୟତା ପାଇଁ ଭାରତ ଆଡକୁ ହାତ ବଢାଇବା ଓ ନିୟନ୍ତ୍ରଣ ରେଖା (ଏଲଓସି) ପାର କରି ଜମ୍ମୁ-କାଶ୍ମୀରକୁ ସହାୟତା ମାଗିବା। ବିକ୍ଷୋଭକାରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେମାନେ ଏବେ ମୁଜଫରବାଦ କୁ ଲଙ୍ଗମାର୍ଚ୍ଚ କରିବେ। ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ୩୮ ସୂତ୍ରୀ ଦାବି ପୁରଣ ନ ହୋଇଛି ସେମାନେ ପଛକୁ ହଟିବେ ନାହିଁ।