ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ମହିଳା ସଂରକ୍ଷଣ ସହ ଜଡ଼ିତ ନୂଆ ଭିଡିଓ ଜାରି କରିଛନ୍ତି । ସେ କହିଛନ୍ତି ଯେ ନାରୀ ଶକ୍ତିଙ୍କୁ ଭାଗୀଦାରୀ ଦେବା ପାଇଁ ଲଢ଼େଇ ଅନେକ ଦଶନ୍ଧି ଯାଏ ଚାଲିଆସୁଛି । ଅନେକ ବର୍ଷ ଧରି ମୁଁ ମଧ୍ୟ ଏହି ପ୍ରୟାସର ଅଂଶ ରହିଆସିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାରୀ ସଶକ୍ତିକରଣ ନେଇ ବିଜେପି, ଏନଡିଏର ସଂକଳ୍ପ ଅକ୍ଷୂର୍ଣ୍ଣ ରହିଛି । ଆମ ପାଇଁ ଦେଶହିତ ସର୍ବୋପରି ଅଟେ । କିନ୍ତୁ ଯେତେବେଳେ କିଛି ଲୋକଙ୍କ ପାଇଁ ଦଳ ହିତ ହିଁ ସବୁକିଛି ହୋଇଯାଏ, ଦଳ ହିତ ଦେଶ ହିତରୁ ବଡ଼ ହୋଇଯାଏ, ସେତେବେଳେ ନାରୀ ଶକ୍ତି, ଦେଶ ହିତକୁ ଏହାକୁ କ୍ଷତି ସହିବାକୁ ପଡ଼ିଥାଏ । ନାରୀ ଶକ୍ତି ବନ୍ଦନ ସଂଶୋଧନ ଆଜିର ସମୟର ଆବଶ୍ୟକତା । ଆମର ଆତ୍ମବଳ ଅଜୟ । ଅଧା ଜନସଂଖ୍ୟାର ସ୍ୱପ୍ନ ପାଇଁ, ଦେଶର ଭବିଷ୍ୟତ ପାଇଁ ଏହି ସଂକଳ୍ପକୁ ପୂରା କରିବାର ଅଛି ।

 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ମଧ୍ୟ ଏକ ଭିଡିଓ ସେୟାର କରିଥିଲେ । ଏଥିରେ ସେ କହିଥିଲେ ଯେ ଦେଶର ‘ନାରୀ ଶକ୍ତି’ ପାଇଁ ଏକ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ସରକାର ତାହାକୁ ପୂରା କରିବା ପାଇଁ ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ସେ କହିଥିଲେ, ମହିଳା ସଂରକ୍ଷଣର ବିରୋଧ କରୁଥିବା ପାର୍ଟି ଦେଶର ନାରୀ ଶକ୍ତିଙ୍କୁ ସଂସଦ ଏବଂ ବିଧାନସଭାଗୁଡ଼ିକରେ ନିଜ ଭାଗୀଦାରୀ ବଢ଼ାଇବାରେ କେହି ଅଟକାଇ ପାରିବେ ନାହିଁ । ପିଏମ୍ ମୋଦୀ କହିଥିଲେ ଯେ ସରାକରଙ୍କ ସଂକଳ୍ପ ଅଟଳ ଏବଂ ସାରା ଦେଶର ମହିଳାଙ୍କ ସମର୍ଥନ ରହିଛି ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା ଏପରି ଏକ ସମୟରେ ଆସିଛି ଯେତେବେଳେ କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନରେ ସୀମା ନିର୍ଦ୍ଧାରଣ ସମ୍ପର୍କିତ ଏକ ବିଲ୍ ଏବଂ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ଏକ ସଂଶୋଧିତ ପ୍ରସ୍ତାବ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସ୍ୱତନ୍ତ୍ର ଅଧିବେଶନ ନଭେମ୍ବର ୩୦ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଲୋକସଭା ନଭେମ୍ବର ୩୦ ତାରିଖରେ ଏବଂ ରାଜ୍ୟସଭା ଡିସେମ୍ବର ୨ ତାରିଖରେ ବସିବ ।

ସରକାର ବିଶ୍ୱାସ କରନ୍ତି ଯେ ସୀମା ନିର୍ଦ୍ଧାରଣ ଦ୍ୱାରା ଲୋକସଭା ଆସନ ବୃଦ୍ଧି ପାଇବ (ବର୍ତ୍ତମାନର ୫୪୩ରୁ ପ୍ରାୟ ୮୦୦-୮୫୦) ଫଳରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ପଥ ପ୍ରଶସ୍ତ ହେବ । କ୍ୟାବିନେଟ ପୂର୍ବରୁ ଡ୍ରାଫ୍ଟ ବିଲ୍ ଅନୁମୋଦନ କରିସାରିଛି । ସରକାର ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କୁ ଏକ ତୃତୀୟାଂଶ ଆସନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।