ନୂଆଦିଲ୍ଲୀ, ୦୮/୦୯ : କିଛି ମାସ ପରେ ଇସ୍ରାଏଲରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ନୂଆ ନେତା ବାଛିବେ ଇସ୍ରାଏଲବାସୀ । ତେବେ ନିର୍ବାଚନ ପୂର୍ବରୁ ଏକ ସର୍ଭେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଚିନ୍ତା ବଢାଇ ଦେଇଛି । ସୋମବାର ଜାରି ହୋଇଥିବା ଏକ ଓପିନିୟନ ପୋଲ ଅନୁସାରେ ଆଜି ନିର୍ବାଚନ ହେଲେ ପୂର୍ବତନ ଇସ୍ରାଏଲ ସେନାମୁଖ୍ୟ ଗାଦୀ ଆଇଜନକୋଟଙ୍କ ୟାଶାର ପାର୍ଟି ସର୍ବବୃହତ ଦଳ ଭାବେ ଉଭା ହୋଇପାରେ ।

ସର୍ଭେ ଅନୁସାରେ, ୟାଶାର ପାର୍ଟିକୁ ୨୫ ଆସନ ମିଳିପାରେ । ନେତନ୍ୟାହୁଙ୍କ ପାର୍ଟିକୁ ୨୧ଟି ଆସନ ମିଳିପାରେ । ଏହି ସର୍ଭେ ଇସ୍ରାଏଲର ମାର୍କେଟ୍ ରିସର୍ଚ୍ଚ ଆଣ୍ଡ୍ ପବ୍ଲିକ ଓପିନିୟନ ପୋଲିଂ ସଂସ୍ଥା ମିଡଗେମ୍ କରିଛି । ଯାହା ଚ୍ୟାନେଲ୍-୧୨ରେ ପ୍ରସାରିତ ହୋଇଛି । ଗତ ନିର୍ବାଚନ ଅପେକ୍ଷା ଏଥର ୟାଶାର ପାର୍ଟିକୁ ଗୋଟିଏ ଆସନ ଅଧିକ ମିଳିପାରେ । ଅନ୍ୟ ଦିଗରେ ଲିକୁଡ ପାର୍ଟି ଦୁଇଟି ସିଟ୍ କମ୍ ପାଇବ ।

Also Read :- ଲେବାନନ ଉପରେ ଇସ୍ରାଏଲର ଭୟଙ୍କର ଏୟାରଷ୍ଟ୍ରାଇକ, ଚାଲିଗଲା ୨୭ ଜୀବନ

ରିପୋର୍ଟ ଅନୁସାରେ, ଇସ୍ରାଏଲ ସଂସଦରେ ୧୨୦ଟି ସିଟ୍ ରହିଛି । ସମସ୍ତ ସିଟରେ ମିଡ୍ ଗେମ୍ ପକ୍ଷରୁ ସର୍ଭେ କରାଯାଇଥିଲା । ଏଥିରୁ ଜଣା ପଡିଛି ଯେ, ପୂ୍ର୍ବତନ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ୍ ଙ୍କ ଟୁଗେଦର ପାର୍ଟି ୧୩ଟି ସିଟ୍ ପାଇପାରେ । ଗତ ନିର୍ବାଚନ ଅପେକ୍ଷା ଦଳ ଦୁଇଟି ଆସନ କମ୍ ଜିତିବ । ଏତତ୍ ବ୍ୟତୀତ ୟାୟର ଗୋଲାନଙ୍କ ଡେମୋକ୍ରାଟ୍ ପାର୍ଟି ୧୧ଟି ସିଟ୍ ହାସଲ କରିପାରେ । ୟୁନାଇଟେଡ୍ ଟୋରା ୟହୁଦି ପାର୍ଟି 8ଟି ସିଟରେ ବାଜିମାତ୍ କରିପାରେ । ଆୟେହ ଡେରୀଙ୍କ ଶାସ୍ ପାର୍ଟି ୭ଟି ସିଟ୍ ଜିତିବ ବୋଲି ସର୍ଭେ କହୁଛି ।

ଏଠାକାର ଶାସକ ଏବଂ ବିରୋଧୀ ମେଣ୍ଟକୁ ଦେଖିଲେ ବିରୋଧୀ ୬୮ଟି ଆସନ ହାତଇପାରନ୍ତି । ଏହାମଧ୍ୟରୁ ୫୭ଟି ସିଟ୍ କେବଳ ୟହୁଦି ଚିନ୍ତାଧାରାର ପାର୍ଟି ଜିତିବେ । ୧୧ଟି ଆରବ ପାର୍ଟି ଜିତିବେ । ସରକାର ଗଠନ କରିବା ପାଇଁ ୧୨୦ ଆସନରୁ ଅତିକମରେ ୬୧ ସିଟରେ ବିଜୟ ଦରକାର । ତେଣୁ ନେତନ୍ୟାହୁଙ୍କ ବିରୋଧୀ ମାନେ ସର୍ଭେରେ ଆଗୁଆ ରହିଛନ୍ତି ।

ଏତତ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ପଦ ପାଇଁ ନେତନ୍ୟାହୁଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି । ୪୨ ପ୍ରତିଶତ ଭୋଟର ଆଇଜନକୋଟଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ନେତନ୍ୟାହୁଙ୍କ ସପକ୍ଷରେ ୩୫ ପ୍ରତିଶତ ଭୋଟ୍ ଦେଇଛନ୍ତି । ଅର୍ଥାତ ଦୁଇ ନେତାଙ୍କ ମଧ୍ୟରେ ୭ ପ୍ରତିଶତ ବ୍ୟବଧାନ ରହିଛି ।