ନୂଆଦିଲ୍ଲୀ: କାନାଡାରେ ରହୁଥିବା କିଛି ପ୍ରବାସୀ ଭାରତୀୟଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଏବେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । କାନାଡାର କାଲଗେରୀ ସହରରେ ଦାଦାବଟି ଆଦାୟ ଏବଂ ଗୁଳିକାଣ୍ଡ ଭଳି ଗୁରୁତର ମାମଲାରେ ସଂପୃକ୍ତ ଥିବା ୧୫ ଜଣ ଭାରତୀୟ ବଂଶୋଦ୍ଭବ ଯୁବକଙ୍କ ଫଟୋ ସ୍ଥାନୀୟ ପୋଲିସ ସାର୍ବଜନୀନ କରିଛି ।

ସୂଚନା ଅନୁଯାୟୀ, କାଲଗେରୀ ପୋଲିସ ସର୍ଭିସ (CPS) ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଅଭିଯୁକ୍ତମାନେ ସେଠାରେ ରହୁଥିବା ଦକ୍ଷିଣ ଏସୀୟ ସମୁଦାୟ, ବିଶେଷ କରି ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କୁ ଭୟଭୀତ କରି ମୋଟା ଅଙ୍କର ଟଙ୍କା ଆଦାୟ କରିବା ପାଇଁ ପ୍ରାୟ ୧୯ ଥର ଗୁଳି ଚଳାଇବା ସହ ୪୯ଟି ଅପରାଧିକ ଘଟଣା ଘଟାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ପୋଲିସର ସୂଚନା ଅନୁସାରେ ଧରାପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ନାଗରିକ । ସେମାନଙ୍କ ମଧ୍ୟରୁ କେହି ବି କାନାଡାର ସ୍ଥାୟୀ ନାଗରିକ ନୁହନ୍ତି । ଏମାନେ ପାଠ ପଢ଼ିବା ପାଇଁ ଷ୍ଟୁଡେଣ୍ଟ ଭିସା କିମ୍ବା ଚାକିରି କରିବା ପାଇଁ ୱର୍କ ଭିସା କାନାଡା ଯାଇ ସେଠାରେ ଏଭଳି ଆପରାଧିକ ନେଟୱର୍କ ଗଢ଼ି ତୋଳିଥିଲେ । ଏହି ସମଗ୍ର ମାମଲାରେ ସମୁଦାୟ ୧୬ ଜଣଙ୍କ ନାଁରେ ୫୬ଟି ମାମଲା ରୁଜୁ ହୋଇଛି ।

ନକଲି ନାଁରେ ଚାଲିଥିଲା କାରବାର

ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଅପରାଧୀମାନେ ନିଜର ପ୍ରକୃତ ପରିଚୟ ଲୁଚାଇ ଛଦ୍ମନାମର ବ୍ୟବହାର କରୁଥିଲେ। ଏପରିକି ସେମାନଙ୍କ ସହ ରହୁଥିବା ରୁମମେଟ୍ ମଧ୍ୟ ସେମାନଙ୍କ ଅସଲି ନାଁ ଜାଣି ନଥିଲେ। ପୋଲିସ ଅଧିକାରୀ ଜେଫ୍ ବେଲ୍‌ଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ମାତ୍ର ଜଣେ ଅଭିଯୁକ୍ତ ଜେଲ୍ରେ ଥିବା ବେଳେ ବାକି ୧୫ ଜଣ କୋର୍ଟରୁ ଜାମିନ ପାଇସାରିଛନ୍ତି। ଏତେ ବଡ଼ ଅପରାଧ ପରେ ବି ସେମାନେ ବାହାରେ ବୁଲୁଥିବାରୁ ପୋଲିସ ପ୍ରଶାସନ ଚିନ୍ତା ପ୍ରକଟ କରିଛି।

Also Read: ମହିଳା ଟିଭି ଆଙ୍କର ସାରା ଖଲିଫାଙ୍କ ସମେତ ୧୨ ଜଣଙ୍କୁ ମୃତ୍ୟୁଦଣ୍ଡ, ରାୟ ଶୁଣି ଅଦାଲତରେ କାନ୍ଦି ପକାଇଲେ

ସେମାନଙ୍କର ଅନ୍ୟ ସହଯୋଗୀ ଓ କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ସୂଚନା ହାସଲ କରିବା ପାଇଁ ପୋଲିସ ସାଧାରଣ ଜନତା ଏବଂ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସହାୟତା ମାଗିଛି। ଯଦି କାହା ପାଖରେ ଏମାନଙ୍କ ବିଷୟରେ କିଛି ବି ସୂଚନା ଥାଏ, ତେବେ ତୁରନ୍ତ ଜଣାଇବାକୁ କୁହାଯାଇଛି।