ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲଙ୍କ ମୁକ୍ତି ଆବେଦନ ଉପରେ ଶୁଣାଣି ପୁଣି ଘୁଞ୍ଚିଛି । ଦାରା ସିଂ ଓ ଅନ୍ୟମାନଙ୍କ ଜେଲରୁ ମୁକ୍ତି ମାମଲାର ଶୁଣାଣି ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଡିଭିଜନ୍ ବେଞ୍ଚରେ ଲଗାତାର ଜାରି ରହିଛି । ମଙ୍ଗଳବାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବର କାରଣ ଦର୍ଶାଯାଇଥିବା ବେଳେ କୋର୍ଟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୋଲି ଦାରା ସିଂଙ୍କ ଓକିଲ ସୂଚନା ଦେଇଛନ୍ତି ।

Also Read:"ଯଦି ଆପଣ ନିଷ୍ପତ୍ତି ନ ନେବେ, ତେବେ ଆମେ ନେବୁ": ଦାରା ସିଂଙ୍କ ମୁକ୍ତି ମାମଲାରେ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ପୂର୍ବରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ମିଟିଂ ଆଧାରରେ ରିହାତି ପ୍ରକ୍ରିୟା ଶେଷ ହେବା କଥା ଥିଲା । ଅଗଷ୍ଟ ୪ କିମ୍ବା ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ମିଳିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଭେରିଫିକେସନ୍ ଓ ଅନ୍ୟାନ୍ୟ କାରଣରୁ ଏହା ସମ୍ଭବ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ରିପୋର୍ଟ ଏପର୍ଯ୍ୟନ୍ତ ଦାଖଲ ନ ହେବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ମାମଲାରେ ଗୃହ ସଚିବ କିମ୍ବା ଅଧିକାରୀମାନଙ୍କୁ କାହିଁକି ତଲବ କରାଯାଉନାହିଁ ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି ମାମଲା ବିଚାରଧୀନ ରହିବା ନେଇ ପ୍ରଶ୍ନ ଉଠିଛି ବୋଲି ତାଙ୍କ ଓକିଲ ଏପି ସିଂହ ସୂଚନା ଦେଇଛନ୍ତି । ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଗାମୀ ସେପ୍ଟେମ୍ବର ୧୭ ତାରିଖ ସ୍ଥିର କରିଛନ୍ତି । ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ରିହାତି ପ୍ରକ୍ରିୟାକୁ ଆଗକୁ ବଢ଼ାଯାଇପାରିବ ।