​​​​​​​ନୂଆଦିଲ୍ଲୀ: ସାରା ବିଶ୍ୱରୁ ଲୋକେ ପ୍ୟାରିସର ଏଫିଲ୍ ଟାୱାର ବୁଲିବାକୁ ଆସନ୍ତି । ତେବେ ସୋମବାର ଏଫିଲ୍ ଟାୱାରରେ ପ୍ରବେଶ ବନ୍ଦ ଥିଲା, ଯାହାଫଳରେ ଅନେକ ପର୍ଯ୍ୟଟକ ନିରାଶ ହୋଇଥିଲେ । ଏହା ପଛର କାରଣ ଗୋଟିଏ ହିନ୍ଦୁ ଧାର୍ମିକ ଗ୍ରୁପ୍‌ ବୋଲି କୁହାଯାଉଛି । BAPS ପ୍ରତିନିଧିମଣ୍ଡଳୀଙ୍କ ଗସ୍ତ ପୂର୍ବରୁ ସେଠାକାର ମହିଳା କର୍ମଚାରୀମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ନେଇ ସେଠାରେ ନିୟୋଜିତ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ସୋମବାର ଧର୍ମଘଟ କରିଥିଲେ । ସେଥିପାଇଁ ଏଫିଲ୍ ଟାୱାର ଗୋଟିଏ ଦିନ ପାଇଁ ବନ୍ଦ ରହିଥିଲା । ଏହି ଘଟଣାକୁ ନେଇ ପ୍ୟାରିସ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ବୋଚାସଣବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା (BAPS)ର ସଦସ୍ୟ ଏଫିଲ୍ ଟାୱାର ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଡ୍ୟୁଟିରୁ ହଟାଇ ଦିଆଯାଇଥିଲା । ଏଫିଲ୍ ଟାୱାରର ପରିଚାଳନା ଦାୟିତ୍ୱ ଏସଇଟିଇ କମ୍ପାନି ପାଖରେ ଅଛି । ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ଶନିବାର ଯେତେବେଳେ ଏହି ଗ୍ରୁପ୍‌ ଗସ୍ତ କରିଥିଲା, ସେତେବେଳେ ମହିଳାମାନଙ୍କୁ ସେମାନଙ୍କ ଡ୍ୟୁଟିରୁ ହଟାଇ ଦିଆଯାଇଥିଲା।

ଲିଙ୍ଗଗତ ବୈଷମ୍ୟର ଅଭିଯୋଗ

ଏଫିଲ୍ ଟାୱାର କର୍ମଚାରୀମାନଙ୍କ କହିବା କଥା ଯେ କାର୍ଯ୍ୟସ୍ଥଳରେ ଲିଙ୍ଗ ଆଧାରରେ ଭେଦଭାବ କରାଯାଇଛି । ମହିଳା କର୍ମଚାରୀମାନଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ପୁରୁଷମାନଙ୍କୁ ନିୟୋଜିତ କରାଯାଇଥିଲା । ଏସଇଟିଇ କମ୍ପାନି ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ବ୍ୟାକ୍‌ଫୁଟ୍‌ରେ ଅଛି । କମ୍ପାନିର କହିବା କଥା ଯେ BAPS କହିଥିଲା ଯେ ଗସ୍ତ ସମୟରେ ମହିଳାମାନଙ୍କ ସହ କଥାବାର୍ତ୍ତା କମରୁ କମ୍‌ ହେଉ । କମ୍ପାନି ନିଜ ସଫେଇରେ ଏହା ମଧ୍ୟ କହିଛି ଯେ ସେମାନଙ୍କ କଥା ମାନିବାକୁ କମ୍ପାନି ମନା କରିଦେଇଥିଲା ।

BAPS ପକ୍ଷରୁ କ୍ଷମା ପ୍ରାର୍ଥନା

ବିଏପିଏସ୍ ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଛି । ଏକ ବିବୃତିରେ ଅନୁଷ୍ଠାନ କହିଛି ଯେ ଅନ୍ୟ ପର୍ଯ୍ୟଟକଙ୍କ ପାଇଁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ପ୍ରତିନିଧିମଣ୍ଡଳୀର ସଂଖ୍ୟାକୁ ଦୃଷ୍ଟିରେ ରଖି ଏଫିଲ ଟାୱାର ଟିମ୍ ସହ ଆଲୋଚନା କରି ସକାଳେ ଟାୱାର ଖୋଲିବା ସମୟରେ ଏହି ଗସ୍ତର ବ୍ୟବସ୍ଥା କରାଯାଇଥିଲା । ଆହୁରି କୁହାଯାଇଛି, "ଆମର ଜାଣିବାରେ କୌଣସି ବି ସମୟରେ କାହାକୁ ଏଫିଲ ଟାୱାରକୁ ପ୍ରବେଶ କରିବାରୁ ବାରଣ କରାଯାଇ ନାହିଁ । ତଥାପି, ଏହାଦ୍ୱାରା ହୋଇଥିବା କୌଣସି ବି ଅସୁବିଧା ପାଇଁ ଆମେ ଆନ୍ତରିକ କ୍ଷମା ପ୍ରାର୍ଥନା କରୁଛୁ ।" ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରତିନିଧିମଣ୍ଡଳୀରେ ୧୦୦ରୁ ଅଧିକ ଲୋକ ଥିଲେ ।

ସେପଟେ ପ୍ୟାରିସର ମେୟର ଏମାନୁଏଲ୍ ଗ୍ରେଗୋଏର କହିଛନ୍ତି ଯେ ଯଥାଶୀଘ୍ର ସମ୍ଭବ ଏହାର ତଦନ୍ତ କରାଯିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି ଯେ ସେ କର୍ମଚାରୀଙ୍କ ଅସନ୍ତୋଷ ବିଷୟରେ ଅବଗତ ଅଛନ୍ତି ଏବଂ ସେମାନଙ୍କ ଅସନ୍ତୋଷ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ । ଲେ କହିଛନ୍ତି, "ଯେଉଁ ପରିସ୍ଥିତି ଯୋଗୁଁ ଏହି ବିରୋଧ ପ୍ରଦର୍ଶନ ହେଲା, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ଅତ୍ୟନ୍ତ ଜରୁରି ।"