ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଇରାନର ପୂର୍ବତନ ସୁପ୍ରିମ୍ ଲିଡର୍ ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିଲା । ଫେବ୍ରୁଆରୀ ୨୮ରେ ତାଙ୍କ ମୃତ୍ୟୁ ହୋଇଥିଲା । ଏବେ ଚାରି ମାସ ପରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ, ଯାହା ଜୁଲାଇ୫-୯ ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଇରାନ ରାଷ୍ଟ୍ରପତି ମସୁଦ ପେଜେସକିୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ।

ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ପ୍ରାଣ ହରାଇଥିବା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପାଇଁ ବିଭିନ୍ନ ସହରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ । ସୂତ୍ର ଅନୁସାରେ, ନୂଆଦିଲ୍ଲୀରେ ଥିବା ଇରାନୀ ଦୂତାବାସ ମଙ୍ଗଳବାର ରାଷ୍ଟ୍ରପତି ପେଜେସକିୟାନଙ୍କ ଠାରୁ ବୈଦେଶିକ ମନ୍ତ୍ରଣାଳୟକୁ ଏକ ଆନୁଷ୍ଠାନିକ ନିମନ୍ତ୍ରଣ ପଠାଇଛି ।

ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ଜୁଲାଇ ୪ରେ ତେହେରାନରେ ଆରମ୍ଭ ହେବ ଏବଂ ୯ ତାରିଖରେ ତାଙ୍କ ଜନ୍ମସ୍ଥାନ ମଶାଦରେ ତାଙ୍କୁ କବର ଦିଆଯିବ । ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଇରାନ ମଙ୍ଗଳବାର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର ପାଇଁ ରାଜଧାନୀ ତେହେରାନରେ ତିନି ଦିନିଆ ସାର୍ବଜନୀନ ଛୁଟି ଘୋଷଣା କରିଛି।

ସମାରୋହର ଦାୟିତ୍ୱରେ ଥିବା IRGC କମାଣ୍ଡର ହାସନ ହାସନଜାଦେହ କହିଛନ୍ତି, "ଶହୀଦ ନେତାଙ୍କ ମର ଶରୀର ପାଇଁ ବିଦାୟ ସମାରୋହ ଏବଂ ପ୍ରାର୍ଥନା ସେବା ଜୁଲାଇ ୪-୫ରେ ତେହେରାନର ଗ୍ରାଣ୍ଡ ମୋସାଲାରେ ଅନୁଷ୍ଠିତ ହେବ । ସୋମବାର ଜୁଲାଇ ୬ ତାରିଖରେ କବର ଦିଆଯିବ । ଏହି ତିନି ଦିନ ତେହେରାନରେ ଛୁଟି ରହିବ।" ତେହେରାନ ପ୍ରଶାସନ ପ୍ରାୟ ୨ କୋଟି ଲୋକ ଯୋଗଦେବେ ବୋଲି ଆଶା କରୁଛି । ଜୁଲାଇ ୭ରେ କୋମ ସହରରେ ଏକ ସ୍ମାରକୀ ସଭା ମଧ୍ୟ ଅନୁଷ୍ଠିତ ହେବ ।

ଇରାନ ଯାତ୍ରା ନକରିବାକୁ ଭାରତୀୟଙ୍କୁ ଦୂତାବାସର ଅନୁରୋଧ

ଏହି ସମୟରେ, ବୁଧବାର ଇରାନରେ ଥିବା ଭାରତୀୟ ଦୂତାବାସ ଆଡଭାଇଜରି ଜାରି କରିଛି । ଭାରତୀୟଙ୍କୁ ଅତି ଜରୁରୀ ନହେଲେ ଇରାନ ଯାତ୍ରା ନ କରିବାରୁ ପରାମର୍ଶ ଦେଇଛି । ଏହା ବ୍ୟତୀତ, ପୂର୍ବରୁ ଇରାନରେ ଥିବା କିମ୍ବା ଜରୁରୀ କାର୍ଯ୍ୟ ପାଇଁ ସେଠାକୁ ଯାତ୍ରା କରୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।