ଓସଲୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ନରୱେର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ ଦି ରୟାଲ ନରୱେଜିୟନ ଅର୍ଡର ଅଫ ମେରିଟ’ରେ ସମ୍ମାନୀତ କରାଯାଇଛି। ମୋଦିଙ୍କୁ ଏହି ସମ୍ମାନ ଭାରତ-ନରୱେ ସମ୍ପର୍କକୁ ଆଗକୁ ବଢାଇବା ଲାଗି ତାଙ୍କ ଯୋଗଦାନ ଓ ନେତୃତ୍ୱ ନିମନ୍ତେ ପ୍ରଦାନ କରାଯାଇଛି। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଥିବା ୩୨ତମ ଅନ୍ତର୍ଜାତୀୟ ସମ୍ମାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନରୱେରେ ତାଙ୍କ ସମକକ୍ଷ ଜୋନାସ ଗହୋର ଷ୍ଟୋରଙ୍କ ସହିତ ବାଣିଜ୍ୟ ଓ ନିବେଶ, ସବୁଜ ପ୍ରଯୁକ୍ତି, ଅର୍ଥ ବ୍ୟବସ୍ଥା ଓ ଅନ୍ୟ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସ୍ୱୀଡେନରୁ ଦୁଇ ଦିବସୀୟ ଗସ୍ତରୁ ନରୱେ ପହଞ୍ଚିଥିବା ମୋଦିଙ୍କୁ ବିମାନ ବନ୍ଦରରେ ନରୱେ ପ୍ରଧାନମନ୍ତ୍ରୀ ଷ୍ଟୋର ଓ ସ୍କାଣ୍ଡିନେଭିଆ ଦେଶର ଅନ୍ୟ ଶୀର୍ଷ ନେତାମାନେ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିୟା ସଂକଟ ଓ ଋଷିଆ-ୟୁକ୍ରେନ ଯୁଦ୍ଧର ସମାଧାନ ଲାଗି ବାର୍ତ୍ତା ଓ କୂଟନୈତିକ ଆହ୍ୱାନ କରି କହିଛନ୍ତି ଯେ କେବଳ ସାମରିକ କାର୍ଯ୍ୟାନୁଷ୍ଠାନରେ ସ୍ଥାୟୀ ଶାନ୍ତି ହାସଲ କରାଯାଇ ପାରିବନି।

ଏହି ଅବସରରେ ଭାରତ ଓ ନରୱେ ଏକମତ ହୋଇଛନ୍ତି ଯେ ଯୁଦ୍ଧ କୌଣସି ପ୍ରସଙ୍ଗର ସମାଧାନ ବାହାର କରିପାରିବ ନାହିଁ। ୟୁକ୍ରେନ ହେଉ କି ପଶ୍ଚିମ ଏସିୟା ଆମେ ଯଦ୍ଧର ଶୀଘ୍ର ସମାପ୍ତି ଓ ଶାନ୍ତିର ପ୍ରତ୍ୟେକ ପ୍ରୟାସକୁ ସମର୍ଥନ କରୁଥିବା କହିଛନ୍ତି। ସେହିପରି ଭାରତ ଓ ନରୱେ ଏ କଥାରେ ଏକମତ ଯେ ବଢୁଥିବା ବୈଶ୍ୱିକ ଆହ୍ୱାନର ସମାଧାନ ଲାଗି ଗ୍ଲୋବାଲ ଇନିଷ୍ଟିଟ୍ୟୁସନର ସଂସ୍କାର ଆବଶ୍ୟକ। ଏହା ଛଡା ଆତଙ୍କବାଦର ପ୍ରତ୍ୟେକ ସ୍ୱରୂପକୁ ମୂଳରୁ ସମାପ୍ତ କରିବା ଆମର ପାରସ୍ପରିକ ପ୍ରତିବଦ୍ଧତା ବୋଲି କହିଛନ୍ତି।