ଆନନ୍ଦପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ। ପ୍ରକୃତ ହିତାଧିକାରୀଙ୍କୁ ବାଦ ଦିଆଯାଇଥିବା ଅଭିଯୋଗରେ ବ୍ଲକ୍ ଘେରିଲେ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକରେ। ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ ଲଗାଯାଇଥିବା ଯୋଜନାର ତାଲିକାରେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ପଡ଼ିଥିବା ଅଭିଯୋଗ କରି ସୋମବାର ବ୍ଲକ କାର୍ଯ୍ୟାଳୟ ଘେରଉ କରିଛନ୍ତି ବିଭିନ୍ନ ପଞ୍ଚାୟତର ଲୋକେ।

ଅଭିଯୋଗ ଅନୁସାରେ, ଆର୍ଥିକ ଭାବେ ସ୍ୱଚ୍ଛଳ ଏବଂ ପକ୍କା ଘର ଥିବା ଅନେକ ଲୋକଙ୍କ ନାମ ତାଲିକାରେ ସ୍ଥାନ ପାଇଥିବା ବେଳେ, ପ୍ରକୃତ ଗରିବ ଏବଂ ବାସହୀନ ପରିବାରମାନଙ୍କୁ ଅଣଦେଖା କରାଯାଇଛି। ଫଳରେ ଏହାର ପ୍ରତିବାଦରେ ଅଳତୀ, ଭଣ୍ଡାରଡ଼ିଆ, ବାତୋ ଓ ଅତା ପଞ୍ଚାୟତର ଶତାଧିକ ଲୋକ ଘଷିପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ଲକ ପରିସରରେ ହୋହଲ୍ଲା କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ତାଲିକାରେ ସାମିଲ କରିବାକୁ ଦାବି ଜଣାଇଥିଲେ।

Also Read: ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଦଳିଲା 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଗାଇଡଲାଇନ୍

ତେବେ ବ୍ଲକ୍ କାର୍ଯାଳୟକୁ ଆସିଥିବା ଲୋକଙ୍କୁ ନିଜ ଆପତ୍ତି- ଅଭିଯୋଗ, ଅଭିଯୋଗ ବାକ୍ସରେ ଜମା କରିବାକୁ ପରାମର୍ଶ ଦେଇଛନ୍ତି ବିଡିଓ। ସମସ୍ତ ଅଭିଯୋଗ ବିଚାର ପରେ ଆବାସ ଯୋଜନା ବଣ୍ଟନ ହେବ ବୋଲି ବିଡିଓ ପ୍ରତଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡ଼ିଛି।