ନୂଆଦିଲ୍ଲୀ: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ପ୍ଲମ୍ବରଙ୍କ ସାଧାରଣ କୌତୂହଳ ଓ ନିଷ୍ଠା ତାଙ୍କୁ ରାତାରାତି କରିଦେଇଛି କୋଟିପତି । ଏକ ପୁରୁଣା ଭିଲ୍ଲାର ମରାମତି କାମ କରୁଥିବା ସମୟରେ, ମାଟି ତଳୁ ବାହାରିଥିବା ଏକ ରସିକୁ ଟାଣିବା ପରେ ସେଠାରୁ ମିଳିଛି ୨୩ କୋଟି ଟଙ୍କାର ସୁନା ଗଚ୍ଛିତ ସିନ୍ଦୁକ ।

ଭିଏନାର ପେଞ୍ଜିଙ୍ଗ୍ ଅଞ୍ଚଳରେ ଥିବା ଏକ ବହୁ ପୁରୁଣା ଭିଲ୍ଲାର ବେସମେଣ୍ଟରେ ମରାମତି କାମ ଚାଲିଥିଲା । ଏହି ସମୟରେ ୬୬ ବର୍ଷୀୟ ଜଣେ ପ୍ଲମ୍ବର କଂକ୍ରିଟ୍ ଚଟାଣରୁ ଏକ ରହସ୍ୟମୟ ଦଉଡ଼ି ବାହାରକୁ ବାହାରିଥିବାର ଦେଖିବାକୁ ପାଇଥିଲେ । ସେ କୌତୂହଳବଶତଃ ଦଉଡ଼ିକୁ ଟାଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାହା କଂକ୍ରିଟରେ ଶକ୍ତ ଭାବେ ବନ୍ଧା ହୋଇ ରହିଥିଲା ।

ସେ ଏହାକୁ ଅଣଦେଖା କରିନଥିଲେ । ଏକ ଶାବଳ ସାହାଯ୍ୟରେ କଂକ୍ରିଟ୍ ଚଟାଣକୁ ଖୋଳିବା ଆରମ୍ଭ କରିଥିଲେ । କିଛି ସମୟ ଖୋଳିବା ପରେ ଚଟାଣ ତଳେ କଂକ୍ରିଟରେ ଜାମ ହୋଇ ରହିଥିବା ଏକ କଳଙ୍କି ଲଗିଥିବା ସିନ୍ଦୁକ ଦେଖିଥିଲେ ।

ସେହି ବାକ୍ସଟିକୁ ଭାଙ୍ଗି ଖୋଲିବା ପରେ ଯାହା ବାହାରିଲା, ତାହା ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ବାକ୍ସ ଭିତରେ ପ୍ରାୟ ୩୦ କିଲୋଗ୍ରାମ ଓଜନର ସୁନା ମୁଦ୍ରା ଭର୍ତ୍ତି ହୋଇ ରହିଥିଲା । ଏହି ସମସ୍ତ ମୁଦ୍ରାରେ ବିଶିଷ୍ଟ ସଙ୍ଗୀତଜ୍ଞ ୱଲ୍ଫଗ୍ୟାଙ୍ଗ୍ ଆମାଡିଉସ୍ ମୋଜାର୍ଟଙ୍କ ଫଟୋ ଖୋଦିତ ହୋଇଥିଲା ।

ବିଶେଷଜ୍ଞଙ୍କ ଅନୁସାରେ, ଏହି ମୁଦ୍ରାଗୁଡ଼ିକ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବ ସମୟର । ସେହି ସମୟରେ ଧନୀ ଲୋକମାନେ ଭୟରେ ନିଜର ସମ୍ପତ୍ତିକୁ ଗୁପ୍ତ ଭାବେ ବେସମେଣ୍ଟର କଂକ୍ରିଟ୍ ତଳେ ପୋତି ରଖିଥିବା ଅନୁମାନ କରାଯାଉଛି । ସୁନାର ଆବିଷ୍କାର ୨୦୨୪ ମସିହାରେ ହୋଇଥିଲା

ସୁନା ପାଇଥିବା ପ୍ଲମ୍ୱର ଜଣକ ଏକ ଜର୍ମାନ୍ ଟକ୍ ଶୋ'ରେ କହିଛନ୍ତି, "ଜୀବନରେ ଏମିତି ଘଟଣା ଅବିଶ୍ୱସନୀୟ । ମୁଁ ୧୫ ବର୍ଷ ବୟସରୁ କନଷ୍ଟ୍ରକ୍ସନ୍ କାମ କରୁଛି, କେବେ କେମିତି ଗୋଟିଏ ଦୁଇଟି ମୁଦ୍ରା ମିଳିଥାଏ, କିନ୍ତୁ ଏଭଳି ଗୁପ୍ତଧନ ମିଳିବା ନିଶ୍ଚିତ ଭାବେ ଅବିଶ୍ୱସନୀୟ।"

ସାଧାରଣତଃ ଅଧିକାଂଶ ଦେଶରେ ଏପରି ପ୍ରାଚୀନ କିମ୍ବା ଗୁପ୍ତଧନ ମିଳିଲେ ସରକାର ତାହାକୁ ଜବତ କରିଥାନ୍ତି । କିନ୍ତୁ ଅଷ୍ଟ୍ରିଆ ଆଇନ୍ ଅନୁସାରେ, ମିଳିଥିବା ଗୁପ୍ତଧନର ମୂଲ୍ୟକୁ ସମ୍ପତ୍ତିର ମାଲିକ ଏବଂ ଆବିଷ୍କାର କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ସମାନ ଦୁଇ ଭାଗ କରି ବଣ୍ଟାଯାଏ । ଏହି ନିୟମ ଅନୁସାରେ, ଏହି ୨୩ କୋଟି ଟଙ୍କାର ସୁନାରୁ ପ୍ଲମ୍ବର ଜଣକ ପ୍ରାୟ ୧୧.୫ରୁ ୧୨ କୋଟି ଟଙ୍କା ପାଇବେ ।

ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ବାଡ଼ିରୁ ପାଇଥିଲେ ୭ କୋଟି ଟଙ୍କାର ସୁନା

ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏଭଳି ଅନେକ ଗୁପ୍ତଧନ ଆବିଷ୍କାରର ଘଟଣା ସାମ୍ନାକୁ ଆସିଛି । ଏହି ବର୍ଷ ଆରମ୍ଭରେ ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ଘର ପଛ ବାଡ଼ିରୁ ସୁନା ବିସ୍କୁଟ୍ ଏବଂ ମୁଦ୍ରା ପାଇଥିଲେ । ସେ ବହୁ ବର୍ଷ ଧରି ରହୁଥିବା ନିଜ ଘର ବାଡ଼ିରେ ଗୋଟିଏ ସ୍ୱିମିଂ ପୁଲ୍ ତିଆରି କରିବା ପାଇଁ ମାଟି ଖୋଳୁଥିଲେ । ସେ ଏହି ଗୁପ୍ତଧନ ବିଷୟରେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ, ଯେଉଁମାନେ ଏହାର କୌଣସି ଐତିହାସିକ ସମ୍ପର୍କ ଅଛି କି ନାହିଁ ତାହା ଯାଞ୍ଚ କରିଥିଲେ । କିନ୍ତୁ ସୁନା ଉପରେ ଥିବା ଏକ ସ୍ୱତନ୍ତ୍ର ନମ୍ବରରୁ ସ୍ପଷ୍ଟ ହୋଇଥିଲା ଯେ ଏହା ଆଇନଗତ ଭାବେ କିଣାଯାଇଥିଲା, ତେଣୁ ସମ୍ପତ୍ତି ମାଲିକଙ୍କୁ ତାହା ନିଜ ପାଖରେ ରଖିବାକୁ ଅନୁମତି ମିଳିଥିଲା ।