ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ବୈଜ୍ଞାନିକମାନେ ପ୍ରାୟ ୨୪ କୋଟି (୨୪୦ ନିୟୁତ) ବର୍ଷ ପୁରୁଣା ଏକ ଅଜବ ଜୀବର ଜୀବାଶ୍ମ ଚିହ୍ନଟ କରିଛନ୍ତି । ଏହା ବିଜ୍ଞାନ ଜଗତକୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ‘ଟ୍ରାୟାସିକ୍ ଯୁଗ’ ର ଏହି ଜୀବଟି ଦେଖିବାକୁ ବାରାହ ଭଳି ହୋଇଥିବା ବେଳେ ଏହାର କଇଁଛ ଭଳି ଥଣ୍ଟ ଏବଂ ହାତୀ ଭଳି ଦାନ୍ତ ରହିଥିଲା। ଏହି ନୂତନ ଆବିଷ୍କାର ଡାଇନୋସରର ଉତ୍ପତ୍ତି ଏବଂ  ସମୟସୀକୁ ନେଇ ବୈଜ୍ଞାନିକଙ୍କ ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

ଏହି ନୂତନ ପ୍ରଜାତିର ନାମ ‘ଡାଇନୋଡୋଣ୍ଟୋସରସ୍ ଇସିୟାଭାମାଣ୍ଡା’ (Dinodontosaurus isiyavamanda) ରଖାଯାଇଛି। ଏହା ସ୍ତନ୍ୟପାୟୀ ପ୍ରାଣୀଙ୍କ ପୂର୍ବପୂରୁଷ ‘ଡାଇସିନୋଡୋଣ୍ଟ’ ଗୋଷ୍ଠୀର । ବୈଜ୍ଞାନିକଙ୍କ ଅନୁସାରେ, ଏହା ଏକ ଶାକାହାରୀ ଜୀବ ଥିଲା, ଯାହା ନିଜର ବଡ଼ ଦାନ୍ତ ସାହାଯ୍ୟରେ ମାଟି ଖୋଳି ଗଛର ମୂଳ ଖାଉଥିଲା। ତେବେ ଶିକାରୀ ପ୍ରାଣୀଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏହି ଶକ୍ତ ଦାନ୍ତକୁ ଆକ୍ରମଣ ପାଇଁ ବ୍ୟବହାର କରୁଥିଲା। ଏହାକୁ ‘ଟ୍ରାୟାସିକ୍ ଯୁଗର ଗାଈ’ ମଧ୍ୟ କୁହାଯାଉଛି।

୬୦ ବର୍ଷ ପୁରୁଣା ରହସ୍ୟରୁ ପରଦା ହଟିଲା
ଏହି ଜୀବାଶ୍ମଗୁଡ଼ିକୁ ୧୯୬୩ ମସିହାରେ ବ୍ରିଟିଶ ଗବେଷକ ଦଳ ତାଞ୍ଜାନିଆରୁ ଉଦ୍ଧାର କରି ଲଣ୍ଡନର 'ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍'ରେ ରଖିଥିଲେ। ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହା ଉପରେ ଗବେଷଣା ଚାଲିବା ପରେ ୟୁନିଭରସିଟି ଅଫ୍ ବ୍ରିଷ୍ଟଲର ବୈଜ୍ଞାନିକମାନେ ଏହାକୁ ଏକ ସମ୍ପୂର୍ଣ୍ଣ ନୂଆ ପ୍ରଜାତି ଭାବରେ ଚିହ୍ନଟ କରିଛନ୍ତି।

ଡାଇନୋସର ଇତିହାସରେ ପରିବର୍ତ୍ତନ ?
ପୂର୍ବରୁ 'ଡାଇନୋଡୋଣ୍ଟୋସରସ୍' ଜାତୀୟ ଜୀବ କେବଳ ଦକ୍ଷିଣ ଆମେରିକାରେ ମିଳୁଥିଲେ। ପ୍ରଥମ ଥର ପାଇଁ ଆଫ୍ରିକାରେ ଏହାର ଜୀବାଶ୍ମ ମିଳିବା ଦ୍ୱାରା ଦୁଇଟି ମହାଦେଶର ଭୂଗୋଳ ଏବଂ ସମୟସୀମା ସମାନ ଥିବା ପ୍ରମାଣିତ ହୋଇଛି। ପୂର୍ବରୁ ତାଞ୍ଜାନିଆର ଯେଉଁ ପଥର ସ୍ତରରୁ ସବୁଠାରୁ ପୁରୁଣା ଡାଇନୋସର ଜୀବାଶ୍ମ ମିଳିଥିଲା, ସେଗୁଡ଼ିକୁ ବିଶ୍ୱର ସବୁଠାରୁ ପ୍ରାଚୀନ ବୋଲି ଭାବି ନିଆଯାଉଥିଲା। ମାତ୍ର ଏହି ନୂଆ ଆବିଷ୍କାର ପ୍ରମାଣିତ କରିଛି ଯେ, ତାଞ୍ଜାନିଆର ସେହି ପଥରଗୁଡ଼ିକ ପୂର୍ବରୁ ଅନୁମାନ କରାଯାଉଥିବା ବୟସଠାରୁ ପ୍ରାୟ ୧ କୋଟି ବର୍ଷ କମ୍ ପୁରୁଣା।

ଏହି ତଥ୍ୟ ଆସିବା ପରେ ଡାଇନୋସର ପ୍ରକୃତରେ କେଉଁ ସମୟରେ ଏବଂ କେଉଁ ସ୍ଥାନରୁ ପୃଥିବୀରେ ବିକଶିତ ହେବା ଆରମ୍ଭ କରିଥିଲେ, ସେ ନେଇ ବୈଜ୍ଞାନିକମାନେ ପୁନଃ ଅଧ୍ୟୟନ ଆରମ୍ଭ କରିଛନ୍ତି। ଏହି ଗବେଷଣା ‘ଜର୍ଣ୍ଣାଲ୍ ଅଫ୍ ଭର୍ଟିବ୍ରେଟ୍ ପାଲେଓଣ୍ଟୋଲୋଜି’ରେ ପ୍ରକାଶ ପାଇଛି।