ନୂଆଦିଲ୍ଲୀ: ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ (AI2379) ବିମାନର ମୁଖ୍ୟ ପାଇଲଟ୍ (ପାଇଲଟ୍-ଇନ୍-କମାଣ୍ଡ) ଡ୍ରଗ୍ସ ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହେବା ପରେ କମ୍ପାନୀ ସିଧାସଳଖ ତାଙ୍କୁ ଚାକିରିରୁ ବରଖାସ୍ତ କରିଛି। ଗତ ଅଗଷ୍ଟ ୪ ତାରିଖରେ ଓଡ଼ିଶା ଆକାଶମାର୍ଗରେ ଏହି ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିପଡ଼ିଥିଲା, ଫଳରେ ୨୪ ଜଣ ଯାତ୍ରୀ ଆହାତ ହୋଇଥିଲେ।

AAIBର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ୩୬,୦୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବେଳେ ବିମାନର ତିନୋଟିଯାକ ହାଇଡ୍ରୋଲିକ୍ ସିଷ୍ଟମ୍ ଏକାସାଙ୍ଗରେ କାମ କରିବା ବନ୍ଦ କରିଦେଇଥିଲା। ବିମାନଟି ଦିଲ୍ଲୀରେ ସୁରକ୍ଷିତ ଅବତରଣ କରିବା ପରେ ଦୁଇଜଣ ପାଇଲଟ୍‌ଙ୍କର 'ସାଇକୋଏକ୍ଟିଭ୍ ସବ୍‌ଷ୍ଟାନ୍ସ' (ନିଶାଦ୍ରବ୍ୟ) ପରୀକ୍ଷା କରାଯାଇଥିଲା। ଏଥିରେ ମୁଖ୍ୟ ପାଇଲଟଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସହ-ପାଇଲଟ୍ ନେଗେଟିଭ୍ ଚିହ୍ନଟ ହୋଇଥିଲେ।

ସଙ୍କଟ ସମୟରେ ପ୍ରଥମେ ସହ-ପାଇଲଟ୍ ବିମାନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ, ମାତ୍ର ପରେ ମୁଖ୍ୟ ପାଇଲଟ୍ ନିଜେ କଣ୍ଟ୍ରୋଲ୍ ନେଇଥିଲେ। ଏହି ସମୟରେ ବିମାନଟି ପ୍ରଥମେ ୩୭୨ ଫୁଟ୍ ଉପରକୁ ଉଠିଯାଇ ପୁଣି ୨୯୨ ଫୁଟ୍ ତଳକୁ ଖସିଆସିଥିଲା। ବିମାନ ଯାତ୍ରୀଙ୍କ ସୁରକ୍ଷା ସହ କୌଣସି ବୁଝାମଣା କରାଯିବ ନାହିଁ ବୋଲି ସ୍ପଷ୍ଟ କରି ଏୟାର ଇଣ୍ଡିଆ ଉକ୍ତ ପାଇଲଟଙ୍କୁ ତୁରନ୍ତ ଚାକିରିରୁ ବାହାର କରିଦେଇଛି।

ଏହି ଘଟଣା ପରେ ଏୟାର ଇଣ୍ଡିଆ ନିଜର ସମସ୍ତ ପାଇଲଟଙ୍କର ଡ୍ରଗ୍ସ ଓ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି
AAIB ଏହି ଘଟଣାକୁ ଏକ ଗମ୍ଭୀର ସୁରକ୍ଷା ତ୍ରୁଟି ଦର୍ଶାଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି।