ନୂଆଦିଲ୍ଲୀ: ଫୁକେଟ-ଦିଲ୍ଲୀ ଉଡାଣର ଜଣେ ପାଇଲଟ ଡୋପିଙ୍ଗ ଟେଷ୍ଟରେ ମାରିଜୁଏନା ପଜେଟିଭ ମିଳିବା ପରେ ଏୟାର ଇଣ୍ଡିଆ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିରେ ନିଜ ଗ୍ରୁପର ସବୁ ପାଇଲଟଙ୍କ ପୂର୍ଣ୍ଣ ଡୋପ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହି ଆଦେଶ ୧୩ ଅଗଷ୍ଟ ଗୁରୁବାର କାର୍ଯ୍ୟକାରୀ ହୋଇଛି। ଏ ନେଇ କର୍ମଚାରୀଙ୍କୁ ପଠାଯାଇଥିବା ଔପଚାରିକ ପତ୍ରରେ ଏୟାର ଇଣ୍ଡିଆ ଉଲ୍ଲେଖ କରିଛନ୍ତି ଯେ ବେସାମରିକ ବିମାନ ଚଳାଚଳା ମହାନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କ ଦ୍ୱାରା ନିର୍ଦ୍ଧାରିତ ସବୁ ନିୟାମକୀୟ ମାନକ ଏୟାର ଇଣ୍ଡିଆ କଡ଼ାକଡ଼ି ପାଳନ କରିଥାଏ। ଏହି ମାନକ ୟୁରୋପ ଓ ଆମେରିକା ଭଳି ପ୍ରମୁଖ ବୈଶ୍ୱିକ ଏଭିଏସନ କ୍ଷେତ୍ରର ନିୟମ ସହ ସମାନ।

ଏହା ସତ୍ତ୍ୱେ ସୁରକ୍ଷା ଦୃଷ୍ଟିକୋଣରୁ ଆଉ ଏକ ପଦକ୍ଷେପ ଆଗକୁ ବଢାଇବା ଆବଶ୍ୟକ ମନେ ହେଉଛି। ଏଣୁ ଆମେ ଆମ ସମୂହର ସବୁ ପାଇଲଟଙ୍କ ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନିଷ୍ପତ୍ତି କରିଛୁ। ଏଥିରୁ ଏହା ସୁନିଶ୍ଚିତ ହେବ ଯେ କୌଣସି ଅଣ ଅନୁମୋଦିତ ଔଷଧ ଅଥବା ନିଶା ସାମଗ୍ରୀ ସେବନ କରୁନଥିବା ପ୍ରମାଣିତ ହେବ। ଏୟାର ଲାଇନ ସ୍ପଷ୍ଟ କରିଛନ୍ତି ଯେ ଏହି ଯାଞ୍ଚ ପ୍ରକ୍ରିୟା ଗୁରୁଗ୍ରାମସ୍ଥିତ ଆକାଡେମୀ ସହିତ ଉଡାଣ ପରେ ଏୟାର ଇଣ୍ଡିଆର ଫ୍ଲାଇଟ ବ୍ରିଫିଙ୍ଗ କେନ୍ଦ୍ର ଓ କାର୍ଯ୍ୟାଳୟମାନଙ୍କରେ ଆୟୋଜନ କରାଯିବ। ଏଥିରେ କମ୍ପାନୀ କହିଛି ଯେ ନିୟାମକୀୟ ମାନକରୁ ଅଗକୁ ଯାଇ ନିଆଯାଇଥିବା ପଦକ୍ଷେପ ଆମର ସୁରକ୍ଷା ଓ ବ୍ୟବସାୟିକତାର ଉଚ୍ଚ ମାନଦଣ୍ଡକୁ ଦର୍ଶାଉଛି।

ଏହାର ମୁଖ୍ୟ ଉଦ୍ଦେଶ୍ୟ ଆମର ଯାତ୍ରୀ, ହିତାଧିକାରୀ ଓ ସମାଜକୁ ଏହି ବିଶ୍ୱାସ ଦେବା ଯେ ଏୟାର ଇଣ୍ଡିଆ ସୁରକ୍ଷା ସହିତ କୌଣସି ବୁଝାମଣା କରନ୍ତି ନାହିଁ। ଏୟାର ଇଣ୍ଡିଆ ଦୀର୍ଘ ଦଶନ୍ଧୀରୁ ଭାରତୀୟ ଏଭିଏସନର ଧ୍ୱଜ ବାହକ ହୋଇ ରହିଛି। ଏହି ସମୟରେ ଆମ ପାଇଲଟ ଓ ଅନ୍ୟ କର୍ମଚାରୀଙ୍କ କୌଶଳ ଓ ସୁରକ୍ଷା ପ୍ରତି ସଂକଳ୍ପବଦ୍ଧତା ଲକ୍ଷଲକ୍ଷ ଯାତ୍ରୀ ଓ ଜନତାଙ୍କ ବିଶ୍ୱାସ ଜିତି ପାରିଛି। ଏହି ବିଶ୍ୱାସ ହିଁ ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି। ଏହାକୁ ସୁରକ୍ଷିତ ରଖିବା ଓ ଏଥିରା କାମ ରହିବା ପାଇଁ ସବୁପ୍ରକାରର ପ୍ରୟାସ ଆମ ଲାଗି ଜରୁରି।