ନୂଆଦିଲ୍ଲୀ: ମହଙ୍ଗା ପେଟ୍ରୋଲ ଓ ଇଥାନଲ ବିବାଦ ପରେ ଦେଶରେ ଗାଡ଼ି ବିକ୍ରିର ତରିକା ବଦଳିଛି। ଗ୍ରାହକ ବର୍ତ୍ତମାନ ପେଟ୍ରୋଲ, ଇ-୨୦ ଗାଡ଼ି କିଣିବା ବଦଳରେ ଡିଜେଲ, ସିଏନଜି, ହାଇବ୍ରିଡ ଓ ଇଲେକ୍ଟ୍ରିକ ଗାଡ଼ି ଅଧିକ କିଣୁଛନ୍ତି। ଅଟୋମୋବାଇଲ ଡିଲର ମହାସଂଘର(FADA) ସଦ୍ୟ ପ୍ରକାଶିତ ରିଟେଲ୍ ଡାଟାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ ଜୁଲାଇ ୨୦୨୬ରେ ବିକ୍ରି ହୋଇଥିବା ମୋଟ ଗାଡ଼ିରେ ପେଟ୍ରୋଲ/ଇଥାନଲ ଚାଳିତ ଗାଡ଼ିର ପରିମାଣ ୪୧.୬୮% ରହିଛି। ଯାହା ଜୁନ ମାସରେ ୪୩% ଥିଲା ଓ ଗତବର୍ଷ ଜୁଲାଇ ମାସରେ ଏହି ସଂଖ୍ୟା ୪୭.୬୨% ରହିଥିଲା। ଅନ୍ୟପଟେ ଡିଜେଲ ଗାଡ଼ି ସଂଖ୍ୟା ଜୁଲାଇ ମାସରେ ୧୭%କୁ ବୃଦ୍ଧି ପାଇଛି। ଯାହା ଜୁନ ମାସରେ ୧୬.୩୨% ଥିଲା। ତଥାପି ଗତବର୍ଷ ସେଲ୍ ହୋଇଥିବା ୧୭.୯୭%ରୁ ଏଥର ଡିଜେଲ ଚାଲିତ ଗାଡ଼ି ବିକ୍ରି କମ ରହିଛି।

ଏନେଇ ଫାଡ଼ା କହିଛି ଇ-୨୦ ପେଟ୍ରୋଲକୁ ନେଇ ଗ୍ରାହକଙ୍କର ଚିନ୍ତା ବଢ଼ିଛି। ନାନା ସମସ୍ୟା ଦେଖା ଦେଉଥିବାର ଖବର ଆସୁଥିବାରୁ ଗ୍ରାହକମାନେ ମିଶ୍ରିତ ଇନ୍ଧନ ଚାଳିତ ଗାଡ଼ି କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଗ୍ରାହକଙ୍କ ଗତି ଏବେ ଧୀରେ ଧୀରେ ସିଏନଜି, ହାଇବ୍ରିଡ ଓ ଇଭି ଆଡ଼କୁ ବଢୁଛି ବୋଲି ଫାଡ଼ା କହିଛି।

Also Read-ଭାରତ ତିଆରି କଲା ସାଂଘାତିକ ଡ୍ରୋନ୍ ‘କାଳ’: କିଣିବାକୁ ଚାହୁଁଛି ସାରା ଦୁନିଆ

ଏବେ ବି ମୋଟ ବିକ୍ରିରେ ଯଦିଓ ପେଟ୍ରୋଲ/ଇଥାନଲ୍ ଗାଡ଼ି ସଂଖ୍ୟା ଅଧିକ ରହିଛି, ତେବେ ଏହାର ନେତୃତ୍ୱ ଦ୍ରୁତ ଭାବରେ ସଂକୁଚିତ ହୋଇଛି। ତଥ୍ୟ ଦେଖିଲେ ଜୁଲାଇ ମାସରେ ମୋଟ ପାସେଞ୍ଜର ଭେଇକଲର ରିଟେଲ ସେଲ୍ରେ ୨୪.୬୭% ସିଏନଜି ଗାଡ଼ି ବିକ୍ରି ହୋଇଛି। ସେହିପରି ହାଇବ୍ରିଡ୍ ୮.୦୨% ଏବଂ ଇଭି ୭.୯୦% ବିକ୍ରି ହୋଇଛି। ଜୁଲାଇ ମାସରେ ଏହି ତିନୋଟି ବର୍ଗରେ ବିକ୍ରି ହୋଇଥିବା ଗାଡ଼ିର ମୋଟ ଶେୟାର ୪୦.୫୯% ରହିଥିଲା। ଯାହା ପେଟ୍ରୋଲ/ଇଥାନଲ ଗାଡ଼ିର ମୋଟ ଶେୟାର ଠାରୁ ୧.୦୯ ପ୍ରତିଶତ କମ ରହିଥିଲା। ତେବେ ଗତବର୍ଷ ମୋଟ ପେଟ୍ରୋଲ ଗାଡ଼ି ଓ ଏହିସବୁ ବିକଳ୍ପ ଗାଡ଼ିର ମୋଟ ବିକ୍ରି ବ୍ୟବଧାନ ୧୩.୨୧ ପ୍ରତିଶତ ରହିଥିଲା।

ବିକଳ୍ପ ଇନ୍ଧନଚାଳିତ ଯାନ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ିବାର ପ୍ରଭାବ ଇଲେକ୍ଟ୍ରିକ୍ ଭେହିକଲ୍ (EV) ବିକ୍ରିରେ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଇଛି। ଜୁଲାଇ ମାସରେ ଦେଶରେ ମୋଟ ୩,୨୭,୯୦୧ଟି ଇଲେକ୍ଟ୍ରିକ୍ ଗାଡ଼ିର ରିଟେଲ୍ ବିକ୍ରି ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଫଳରେ ସମଗ୍ର ଅଟୋମୋବାଇଲ୍ ବଜାରରେ EVର ଅଂଶୀଦାରି ପ୍ରାୟ ୧୨.୭%କୁ ବୃଦ୍ଧି ପାଇଛି, ଯାହା ଗତବର୍ଷ ଜୁଲାଇରେ ୯.୬% ଥିଲା।

ଏହି ଅବଧି ମଧ୍ୟରେ ଡିଜେଲ୍ ଗାଡ଼ିର ବଜାର ଅଂଶ ବଢ଼ିଥିଲେ ମଧ୍ୟ, ସାମଗ୍ରିକ ପାସେଞ୍ଜର ଭେହିକଲ୍ (PV) ବଜାର ମଧ୍ୟ ଶକ୍ତିଶାଳୀ ପ୍ରଦର୍ଶନ କରିଛି। ଜୁଲାଇରେ ୪,୧୬,୫୫୫ଟି ପାସେଞ୍ଜର ଗାଡ଼ିର ରିଟେଲ୍ ବିକ୍ରି ହୋଇଛି, ଯାହା ଗତବର୍ଷ ତୁଳନାରେ ୧୯.୧୩% ଅଧିକ। ଏହା ପ୍ରଥମ ଥର ପାଇଁ ଜୁଲାଇ ମାସରେ ପାସେଞ୍ଜର ଗାଡ଼ି ବିକ୍ରି ୪ ଲକ୍ଷ ସୀମା ଅତିକ୍ରମ କରିଛି। ତେବେ ଜୁନ୍ ମାସ ତୁଳନାରେ ବିକ୍ରି ୧.୬୮% କମ୍ ରହିଛି।

FADAର ତଥ୍ୟ ଅନୁଯାୟୀ, ଏହାକୁ କେବଳ ଡିଜେଲ୍ ଗାଡ଼ିର ପୁନରାଗମନ ବୋଲି କୁହାଯାଇପାରିବ ନାହିଁ; ବରଂ ଏହା ଭାରତରେ ଇନ୍ଧନ ବ୍ୟବହାର ପସନ୍ଦରେ ଘଟୁଥିବା ବ୍ୟାପକ ପରିବର୍ତ୍ତନକୁ ସୂଚାଉଛି। ଡିଜେଲ୍ର ବଜାର ଅଂଶ ମାସିକ ଭିତ୍ତିରେ ବଢ଼ିଥିଲେ ମଧ୍ୟ, ଗତବର୍ଷ ଜୁଲାଇ ତୁଳନାରେ ଏହା ଏପର୍ଯ୍ୟନ୍ତ ସାମାନ୍ୟ କମ୍ ରହିଛି। ଅନ୍ୟପଟେ ପେଟ୍ରୋଲ୍/ଇଥାନଲ୍ ଚାଳିତ ଗାଡ଼ିର ଅଂଶୀଦାରି ଅଧିକ ହ୍ରାସ ପାଇଥିବାବେଳେ CNG, ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନର ଚାହିଦା କ୍ରମାଗତ ଭାବେ ବଢ଼ୁଛି।

ଆଗାମୀ କିଛି ମାସରେ ଇନ୍ଧନ ଆଧାରିତ ଗାଡ଼ିର ବଜାର ଚିତ୍ର ଆହୁରି ଚର୍ଚ୍ଚାର ବିଷୟ ହୋଇପାରେ। FADAର କହିବା ଅନୁସାରେ, E20 ଇନ୍ଧନ ପ୍ରଣାଳୀକୁ ନେଇ ଗ୍ରାହକଙ୍କ ମଧ୍ୟରେ ସ୍ପଷ୍ଟ ଏବଂ ବିଶ୍ୱସନୀୟ ସୂଚନା ପହଞ୍ଚାଇବା ଅତ୍ୟନ୍ତ ଜରୁରୀ, କାରଣ ଅନେକ ପେଟ୍ରୋଲ୍ ଗାଡ଼ି କ୍ରେତା ଏପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ରହିଛନ୍ତି। ବିଶେଷକରି ପର୍ବପର୍ବାଣୀ ଋତୁକୁ ଦୃଷ୍ଟିରେ ରଖି ଏହି ସଚେତନତା ଅଭିଯାନ ଗୁରୁତ୍ୱପୂର୍ଣ୍ଣ ହେବ।

ଅଗଷ୍ଟରୁ ପର୍ବପର୍ବାଣୀ ସମୟମରେ ଯାନବାହନର ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି। ସେଥିପାଇଁ ଆସନ୍ତା କିଛି ମାସର ବିକ୍ରି ତଥ୍ୟରୁ ଜଣାପଡ଼ିବ ଯେ, ଜୁଲାଇରେ ଦେଖାଯାଇଥିବା ଇନ୍ଧନ ପସନ୍ଦର ପରିବର୍ତ୍ତନ ଅସ୍ଥାୟୀ ଥିଲା ନାଁ ଭାରତୀୟ ଗ୍ରାହକଙ୍କ ଗାଡ଼ି କିଣିବାର ଧାରାରେ ଏକ ଦୀର୍ଘମିଆଦି ପରିବର୍ତ୍ତନର ଆସିଛି।
Also Read-ରୋଷେଇ ଗ୍ୟାସରେ ଲାଗିବ ଟ୍ୟାକ୍ସ ! ସରକାରଙ୍କୁ ଦରକାର ୪ ଲକ୍ଷ କୋଟି ଟଙ୍କା, ସାଧାରଣ ଲୋକଙ୍କଠୁ ହେବ ଆଦାୟ