Kal Drone: ଏଇ କିଛି ବର୍ଷ ଭିତରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଖୁବ୍ ମଜଭୁତ ହୋଇଛି। ଭାରତର ରକେଟ ସିଷ୍ଟମ, ପ୍ରତିରକ୍ଷା ପ୍ରଣାଳୀ ଏସବୁ ଡିମାଣ୍ଡ ବିଦେଶରେ ରହୁଛି। ବ୍ରହ୍ମୋସ ମିସାଇଲକୁ ଆରବ ଦେଶ ଠାରୁ ଆରମ୍ଭ କରି ଭଲ ବିକାଶିତ ଦେଶମାନେ ମଧ୍ୟ କିଣୁଛନ୍ତି। ଏହାରି ଭିତରେ ଭାରତ ଏମିତି ଏକ ଡ୍ରୋନ ବିକଶିତ କରିଛି, ଯାହା ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି। ଏହି ଡ୍ରୋନର ନାଁ ହେଲା ‘କାଳ’। ଏହାକୁ କିଣିବାକୁ କିଛି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି।

ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ସଠିକ୍ ମାରକ କ୍ଷମତା ରଖୁଥିବା ‘କାଳ’ ଡ୍ରୋନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ନୋଏଡାସ୍ଥିତ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କମ୍ପାନୀ ଆଇଜି ଡିଫେନ୍ସ ଦ୍ୱାରା ଏହାର ଡିଜାଇନ୍ ଏବଂ ଡେଭଲପ କରାଯାଇଛି। ଏହି ଡ୍ରୋନ୍ ଭାରତର ପ୍ରଥମ ସ୍ୱଦେଶୀ ଦୂରଗାମୀ ଡ୍ରୋନ। କେନ୍ଦ୍ର ସରକାରଙ୍କ ଠାରୁ ରପ୍ତାନି ପ୍ରକ୍ରିୟାରେ ଆବଶ୍ୟକୀୟ ଅନୁମତି ମିଳିବା ପରେ ଏହାକୁ ଅନ୍ତର୍ଜାତୀୟ ବଜାରକୁ ଛଡ଼ାଯିବ।

ରେଞ୍ଜ୍ ଓ ଉଡ଼ିବା କ୍ଷମତା

ଏହି ଡ୍ରୋନ୍ଟି ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍ କରିପାରିବ। ଆକାଶରେ ୭-୮ ଘଣ୍ଟା ଉଡ଼ାଣ ଭରିପାରିବାର କ୍ଷମତା ରଖୁଥିବା ଏହି ଡ୍ରୋନ୍ ୫୦ କିଲୋମଗ୍ରାମ ପର୍ଯ୍ୟନ୍ତ ପେ ଲୋଡ ନେଇପାରିବ। ବହୁ ଦୂର ପର୍ଯ୍ୟନ୍ତ ସାମରିକ ଲକ୍ଷ୍ୟକୁ ସଠିକ ଆକ୍ରମଣ କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି।
Also Read- ରୋଷେଇ ଗ୍ୟାସରେ ଲାଗିବ ଟ୍ୟାକ୍ସ ! ସରକାରଙ୍କୁ ଦରକାର ୪ ଲକ୍ଷ କୋଟି ଟଙ୍କା, ସାଧାରଣ ଲୋକଙ୍କଠୁ ହେବ ଆଦାୟ

ଏହାକୁ ନିର୍ମାଣ କରିଥିବା କମ୍ପାନୀ ବୁଧବାର ଏକ ବଡ଼ ଖୁଲାସା କରିଛି। କମ୍ପାନୀ କହିଛି ଯେ ଅନେକ ଉପସାଗରୀୟ ଦେଶ ସେମାନଙ୍କର ରଣନୈତିକ ଏବଂ ଯୁଦ୍ଧକ୍ଷେତ୍ରର ଆବଶ୍ୟକତା ପାଇଁ ଏହି ଡ୍ରୋନ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆମେରିକା-ଇରାନ ଯୁଦ୍ଧରୁ ଉପକୂଳବର୍ତ୍ତୀ ସଙ୍କଟ ପରିପ୍ରେକ୍ଷୀରେ ଏହି ଅଞ୍ଚଳରେ ସୁଲଭ ଦୂରଗାମୀ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣର ଚାହିଦା ବୃଦ୍ଧି ପାଇଛି। ତେଣୁ ଗଲ୍ଫ ଦେଶଗୁଡ଼ିକ ଏହି ଡ୍ରୋନ ଖୋଜୁଛନ୍ତି ବୋଲି କମ୍ପାନୀ ଦାବି କରିଛି।

କାଳ ଡ୍ରୋନ୍ର ଦକ୍ଷତା ନେଇ ଆଇଜି ଡିଫେନ୍ସ କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ ବୋଧିସତ୍ୱ ସଂଘପ୍ରିୟ କହିଛନ୍ତି, " ଭବିଷ୍ୟତରେ ଯୁଦ୍ଧ ସ୍ୱୟଂଚାଳିତ ଏବଂ ଦୂରଗାମୀ ସଠିକ ମାରକ କ୍ଷମତା ଯୁକ୍ତ ଅସ୍ତ୍ରଶସ୍ତ୍ର ଆଧାରରେ ନିର୍ଣ୍ଣୟ କରାଯିବ। ତେଣୁ ଡ୍ରୋନ୍ 'କାଳ' ଉନ୍ନତ ପ୍ରତିରକ୍ଷା ଟେକ୍ନୋଲୋଜୀରେ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।"

ବର୍ତ୍ତମାନ ସମୟରେ ଯୁଦ୍ଧ ଲଢ଼ିବାର ଅମୋଘ ଅସ୍ତ୍ର ଭାବରେ ଡ୍ରୋନକୁ ବିଚାର କରାଯାଉଛି। କାରଣ ଡ୍ରୋନରେ ଦୂରଗାମୀ ଆକ୍ରମଣ, ଏହାର ନିର୍ମାଣରେ କମ ଖର୍ଚ୍ଚ ଓ ଏହାର ପରିଚାଳନା ସହଜ ହୋଇଥିବାରୁ ବିଭିନ୍ନ ଦେଶ ଡ୍ରୋନ ଆଟାକକୁ ଗୁରୁତ୍ୱ ଦେଉଛନ୍ତି। ଇରାନର ସ୍ୱଦେଶ ଡ୍ରୋନ୍ ଶାହେଦ-୧୩୬ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସେହିପରି ତୁର୍କୀଏ ପାଖରେ ବି ସାଂଘାତିକ ଡ୍ରୋନ୍ ରହିଛି। ଆମେରିକା, ଋଷ ଆଦି ରାଷ୍ଟ୍ରଗୁଡ଼ିକ ଡ୍ରୋନ୍ ଟେକ୍ନୋଲୋଜୀରେ ଖୁବ ଆଗରେ ରହିଛନ୍ତି। ତେଣୁ ଭାରତ ମଧ୍ୟ ଏ ଦିଗରେ ପଛରେ ପଡ଼ିବାକୁ ଚାହୁଁ ନାହିଁ। ବର୍ତ୍ତମାନ ଭାରତର କାଳ ଡ୍ରୋନକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି।