ନୂଆଦିଲ୍ଲୀ: କଂଗ୍ରେସ ନେତା ପଓ୍ବନ ଖେଡ଼ାଙ୍କୁ ତେଲେଙ୍ଗାନା ହାଇକୋର୍ଟ ଗୋଟିଏ ସପ୍ତାହ ପାଇଁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ପଓ୍ବନ ଖେଡ଼ାଙ୍କ ବିରୋଧରେ ଆସାମ ପୋଲିସ ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଛି । ଆସାମରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଏବଂ କୋର୍ଟରେ ପହଞ୍ଚିବାକୁ ଏହି ଟ୍ରାଞ୍ଚିଟ୍ ଜାମିନ ପଓ୍ବନ ଖେଡ଼ାଙ୍କୁ ସହାୟକ ହେବ ।

କେସ୍ କରିଛନ୍ତି ରିନିକି

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ଦ୍ବାରା ଖେଡ଼ାଙ୍କ ବିରୋଧରେ ଏଫଆଇଆର ଦିଆଯିବା ପରେ, ସେ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କଂଗ୍ରେସର ବରିଷ୍ଠ ନେତା ପଓ୍ବନ ଖେଡ଼ା ଅଭିଯୋଗ କରିଥିଲେ, ରିନିକି ଭୂୟାଁଙ୍କ ପାଖରେ ଏକାଧିକ ଦେଶର ପାସପୋର୍ଟ ରହିଛି ଏବଂ ତାଙ୍କ ନାଁରେ ଦୁବାଇରେ ବହୁ ପରିମାଣରେ ସଂପତ୍ତି ଅଛି ।

ଦିଲ୍ଲୀରେ ନଥିଲେ ଖେଡ଼ା

ପଓ୍ବନ ଖେଡ଼ାଙ୍କ ବିରୋଧରେ ଗୌହାଟୀର କ୍ରାଇମ ବ୍ରାଞ୍ଚରେ ଏଫଆଇଆର ରୁଜୁ ହୋଇଛି। କିନ୍ତୁ ଖେଡ଼ା କାହିଁକି, ତେଲେଙ୍ଗାନା ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଥିଲେ ? ଏହି ପ୍ରଶ୍ନ ଆସାମର ଆଡଭୋକେଟ୍ ଜେନେରାଲ୍ ଦେବଜିତ ସାଇକିଆ ପଚାରିଥିଲେ । ମିଳିଥିବା ସୂଚନା ଅନୁସାରେ, ଆସାମ ପୋଲିସ ପଓ୍ବନ ଖେଡ଼ାଙ୍କୁ ପଚରା ଉଚରା କରିବାକୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନକୁ ଯାଇଥିଲା। କିନ୍ତୁ ସେତେବେଳେ ପଓ୍ବନ ଖେଡ଼ା ହାଇଦ୍ରାବାଦରେ ଥିଲେ । ଏପ୍ରିଲ ୮-୯ରେ ସେ ବେଲ୍ ପାଇଁ ଆବେଦନ କରିଥିଲେ ।

ସେପଟେ ପଓ୍ବନ ଖେଡ଼ାଙ୍କ ଓକିଲ ଅଭିଷେକ ମନୁ ସିଂଘଭୀ କୋର୍ଟକୁ କହିଛନ୍ତି, ଆସାମ ପୋଳିସ ମାମଲା ରୁଜୁ କରିଥିବା ବେଳେ ଏଥିରେ ରାଜନୀତିର ଗନ୍ଧ ବାରି ହେଉଛି। ଆସାମ କୋର୍ଟକୁ ଆଶ୍ବସ୍ତି ପାଇଁ ଯାଇଥିଲେ ପଓ୍ବନ ଖେଡ଼ାଙ୍କୁ ଗିରଫ କରାଯାଇ ଅପଦସ୍ତ କରାଯିବାର ସମ୍ଭାବନା ଥିଲା।

Also Read: Assam CM Wife: କେତେ ଲୋକପ୍ରିୟ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ, ସେ କ’ଣ କରନ୍ତି ?

ଅନ୍ୟପକ୍ଷରେ, ଆସାମା ପୋଲିସ ପଓ୍ବନ ଖେଡ଼ାଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ବୈଦୁତିକ ଉପକରଣ ଜବତ କରିଛି। କିନ୍ତ ଏହି ଉପକରଣଟି ପ୍ରକୃତରେ କ’ଣ ତାହା ସ୍ପଷ୍ଟ କରିନାହାନ୍ତି ଆସାମ ପୋଲିସିର ଏସିପି ଦେବୋଜିତ ନାଥ । ଏହା ପୂର୍ବରୁ ସୋମବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦାବି କରିଥିଲେ ଯେ, ପଓ୍ବନ ଖେଡ଼ା ଦେଖାଇଥିବା ଦସ୍ତାବିଜ ପାକିସ୍ତାନୀ ସୋସିଆଲ ମିଡିଆ ଗ୍ରୁପ ପାଖରୁ ପାଇଥିଲେ । ଏପରିକି ପଓ୍ବନ ଖେଡ଼ାଙ୍କ ପ୍ରତି ସେ ଅଶାଳୀନ ମନ୍ତବ୍ୟ ମଧ୍ୟ ଦେଇଥିଲେ ।