ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ବ୍ରଜଭୂଷଣ ଶରଣ ସିଂ ଓ ବାବା ରାମଦେବଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରଜଭୂଷଣ ପୁଣି ଥରେ ଆଇନଗତ ମାମଲାରେ ଛନ୍ଦି ହେବାକୁ ଯାଉଛନ୍ତି। ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଫ୍ରୁଡ୍ସ ଲିମିଟେଡ୍ ବ୍ରଜଭୂଷଣଙ୍କ ବିରୋଧରେ ୫୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ଆଉ ପତଞ୍ଜଳି ଘିଅକୁ ନକଲି କହିବା ଏବେ ବିଜେପିର ଏହି ସାଂସଦଙ୍କୁ ଭାରି ପଡ଼ିବାକୁ ଯାଉଛି।

ସେପ୍ଟେମ୍ବର ୧୫ରେ ମଧ୍ୟପ୍ରଦେଶ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି। ମାମଲାର ଶୁଣାଣି ସମୟରେ ବ୍ରଜଭୂଷଣ ଶରଣ ସିଂଙ୍କ ପକ୍ଷରୁ ହାଜର ଆଡଭୋକେଟ୍ କୋର୍ଟରେ ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି। ତେଣୁ କୋର୍ଟ ସେପ୍ଟେମ୍ବର ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ବ୍ରଜଭୂଷଣ ଶରଣ ସିଂ ପତଞ୍ଜଳିର ଘିଅକୁ ନେଇ ପ୍ରଶ୍ନ କରିଥିଲେ। ୨୦୨୨ରେ ମଧ୍ୟ ବ୍ରଜଭୂଷଣ ଶରଣ ସିଂ ସାର୍ବଜନୀନ ମଞ୍ଚରେ ପତଞ୍ଜଳି ଘିଅକୁ ନକଲି କହି ଲୋକଙ୍କୁ ଘରେ ଗାଈ ଓ ମଇଁଷ ପାଳିବାକୁ ଅପିଲ୍ କରିଥିଲେ। ସେହି ସମୟରେ ତାଙ୍କର ଏହି ବୟାନକୁ ନେଇ ବାବା ରାମଦେବ ଓ ବ୍ରଜଭୂଷଣଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

Also Read: ଗଙ୍ଗା ସ୍ନାନ କରୁଥିବା ମହିଳାଙ୍କ ସେମି ନ୍ୟୁଡ ଭିଡିଓ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ, ପ୍ରକୃତ ଘଟଣା କ'ଣ ?

ପତଞ୍ଜଳିର ଦାବି

ପତଞ୍ଜଳି ଫ୍ରୁଡ୍ସ ପକ୍ଷରୁ ହାଜର ଓକିଲ ବିକ୍ରମ ମାଲଭୀୟ କହିଛନ୍ତି, ବ୍ରଜଭୂଷଣଙ୍କ ବୟାନ କମ୍ପାନିର ଛବିକୁ ମଳିନ କରିଛି। ତାଙ୍କର ଏହି ବିବାଦୀୟ ବୟାନ ପରେ କମ୍ପାନିର ସେୟାର ମୂଲ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଛି। କମ୍ପାନିର ପ୍ରତିଷ୍ଠାରେ ଆଞ୍ଚ ଆସିଛି ଏବଂ କମ୍ପାନିକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ଏହାକୁ ଆଧାର କରି ପତଞ୍ଜଳି ବ୍ରଜଭୂଷଣଙ୍କ ବିରୋଧରେ କୋର୍ଟରେ ୫୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟ କରିଛି।

ଜିଲ୍ଲା କୋର୍ଟରୁ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଲା ମାମଲା

ମାମଲାର ପ୍ରାରମ୍ଭିକ ଶୁଣାଣି ଜିଲ୍ଲା କୋର୍ଟରେ ହୋଇଥିଲା। କୋର୍ଟଙ୍କ ପକ୍ଷରୁ ବ୍ରଜଭୂଷଣଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇଥିଲା। ପରେ ମାମଲା ଟ୍ରାଏଲ ପର୍ଯ୍ୟାୟରେ ପହଞ୍ଚିଥିଲା। ଶୁଣାଣି ସମୟରେ ଇଲେକ୍ଟ୍ରୋନିକ ସାକ୍ଷ୍ୟକୁ ନେଇ ବିବାଦ ସାମ୍ନାକୁ ଆସିଥିଲା। ପୁଣି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଗତ ଶୁଣାଣିରେ ହାଇକୋର୍ଟ ବ୍ରଜଭୂଷଣ ଶରଣ ସିଂଙ୍କୁ ଜବାବ ମାଗିଥିଲେ। ଆଉ ମଙ୍ଗଳବାର ଶୁଣାଣି ସମମୟରେ ବ୍ରଜଭୂଷଣଙ୍କ ଓକିଲ ଅଭିଯୋଗ ଉପରେ ଜବାବ ଦାଖଲ ପାଇଁ ସମୟ ଲୋଡ଼ିଛନ୍ତି।

Also Read: ରାଇଡ୍ ବୁକିଂ ପୂର୍ବରୁ ଅଧିକ ଟଙ୍କା ଦେବାକୁ କହିବା ମହଙ୍ଗା ପଡ଼ିଲା: ରାପିଡୋକୁ ୧୦ ଲକ୍ଷ ଜରିମାନା