ନୂଆଦିଲ୍ଲୀ: ‘ଫ୍ଲାଏ ଦୁବାଇ’ ବିମାନରେ ଘଟିଥିବା ଭୟଙ୍କର ଘଟଣା କୌଣସି ଫିଲ୍ମ ସିନ୍ ଠାରୁ କମ ନଥିଲା। କକପିଟ୍ ଭିତରେ ଭାରତୀୟ କ୍ୟାପ୍ଟେନ ରକ୍ତରେ ଜୁଡୁବୁଡୁ ହୋଇ ତଳେ ପଡିଥିଲେ ଓ କୋ-ପାଇଲଟ ବିମାନକୁ କ୍ରାସ କରାଇବା ଯୋଜନାରେ ଥିଲେ। ଏହି ସମୟରେ ଜଣେ ଯାତ୍ରୀ ସାହସ ପ୍ରଦର୍ଶନ କରି ନା କେବଳ ପାଇଲଟଙ୍କ ଜୀବନ ବଞ୍ଚାଇଛନ୍ତି ବରଂ ବିମାନ ସମେତ ୧୭୪ ଯାତ୍ରୀଙ୍କ ଜୀବନ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ଏହି ଘଟଣା ଫ୍ଲାଏ ଦୁବାଇ ଫ୍ଲାଇଟ୍ ଏଫଜେଡ୍ ୧୦୭୩ରେ ହୋଇଥିଲା। ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ତାଙ୍କ କୋ-ପାଇଲଟ ଛୁରୀ ଭୁଷି ଦେଇଥିଲା। ଏହି ପୁରା ଘଟଣାକ୍ରମର ପ୍ରତ୍ୟକ୍ଷଦର୍ଶି ବିବରଣୀ ଦେଇଛନ୍ତି ଇସ୍ରାଏଲୀ ଯାତ୍ରୀ ୟନିବ ହୟୁନ।

ଏହି ବିମାନରେ ହୟୁନ ତାଙ୍କ ଝିଅ ସହ ଯାତ୍ରା କରୁଥିଲେ। ୟାନିବ ପେଷାରେ ଜଣେ ପ୍ଲମ୍ବର, ସେ କହିଛନ୍ତି ଯେ ଘଟଣା ସମୟରେ ସେ କକପିଟ୍ ନିକଟରେ ପହଞ୍ଚିବା ବେଳକୁ ଦ୍ୱାର ଖୋଲାଥିଲା ଓ ଭିତରର ଦୃଶ୍ୟ ଦେଖି ସେ ଚକିତ ହୋଇପଡିଥିଲେ। ବିମାନ ଚାଳକ ଗୁରୁତର ଆହତ ହୋଇ ତଳେ ପଡିଥିଲେ ଓ କୋ-ପାଇଲଟ ବିମାନ ଦୁର୍ଘଟଣା କରାଇବା ପାଇଁ କଣ୍ଟ୍ରୋଲକୁ ଏପଟସେପଟ କରୁଥିଲେ। ହୟୁନ କହିଛନ୍ତି ଯେ ମୋତେ ଲାଗିଲା ବିମାନ ଏବେ କ୍ରାସ ହେବ। ମୁଁ ଜଣେ କ୍ରୁ ମେମ୍ବରକୁ ଡାକି କବାଟକୁ ଧକ୍କା ଦେଇ କକପିଟ୍ ଭିତରକୁ ପଶି ଯାଇଥିଲି।

ଭିତରେ ପଶିବାମାତ୍ରେ ହୟୁନ କୋ-ପାଇଲଟକୁ ପଛରୁ ଧରି କଣ୍ଟ୍ରୋଲରୁ ଭିଡି ଆଣିଥିଲେ। ଆକ୍ରମଣକାରୀ କୋ-ପାଇଲଟ ବିରୋଧ କରିଥିଲା ଓ ପୁଣି ଥରେ କକପିଟ୍ କୁ ପଶିବାକୁ ଚେଷ୍ଟା କରିଥିଲା। ହେଲେ ଅନ୍ୟ ଯାତ୍ରୀମାନେ ତାକୁ ମାଡିବସି କାବୁ କରିଥିଲେ। ହୟୁନ ଆହତ ପାଇଲଟଙ୍କୁ ଦେଖି ‘ଆଜି ତୁମେ ମରିବନି’ ବୋଲି କହିଥିଲେ। ସେ ସମୟରେ କକପିଟ ଭିତରର ଦୃଶ୍ୟ ରଣକ୍ଷେତ୍ର ଭଳି ଥିଲା। କିଛି ଲୋକେ କୋ-ପାଇଲଟକୁ ମାଡି ବସିଥିଲେ ଓ ଆଉ କିଛି ଯାତ୍ରୀ କ୍ୟାପ୍ଟେନଙ୍କୁ ସହାୟତା କରୁଥିଲେ। ଏହି ସମୟରେ ଇକୋନମୀ କ୍ଲାସରେ ଯାତ୍ରା କରୁଥିବା ୨ ଜଣ ଅଫଡ୍ୟୁଟି ପାଇଲଟ କକପିଟ୍ କୁ ଆସି ବିମାନ ଉଡାଇଥିଲେ।

ହୟୁନ ‘ଇଣ୍ଡିଆ ଟୁଡେ’ ସହ ଆଲୋଚନାରେ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କୁ ଅସଲି ହିରୋ ବୋଲି କହିଥିଲେ। ହୟୁନ କହିଛନ୍ତି ଯେ ଗୁରୁତର ଆହତ ହୋଇଥିବା ସତ୍ତ୍ୱେ କ୍ୟାପ୍ଟେନ ତାଙ୍କ ଉପସ୍ଥିତ ବୁଧି ଖଟାଇ କକପିଟ୍ ଦ୍ୱାରା ଖୋଲି ଦେଇଥିଲେ। ଯଦି ସେ ଦ୍ୱାର ଖୋଲି ନଥାନ୍ତେ ଭିତରକୁ କେହି ପଶି ପାରି ନଥାନ୍ତେ ଓ ବିମାନ ଦୁର୍ଘଟଣାର ଶିକାର ହୋଇଯାଇଥାଆନ୍ତା। ହୟୁନ କ୍ୟାପ୍ଟେନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଓ ତାଙ୍କୁ ଭେଟି ବ୍ୟକ୍ତିଗତ ଭାବେ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି।