ନୂଆଦି୍ଲୀ ୦୧।୦୪: ଆଜିକାଲି ‘ୟୁଜ୍ ଏଣ୍ଡ୍ ଥ୍ରୋ’ ଆମ ଦୈନନ୍ଦିନ ଜୀବନର ଅଂଶ ହୋଇପଡିଛ । ଆଧୁନିକ ଜୀବନଶୈଳୀ ସହିତ ଏବେ କାଗଜ କପ୍ର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଚା, କଫି, ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟପଦାର୍ଥ ପର୍ଯ୍ୟନ୍ତ ସବୁଠି କାଗଜ କପ୍ ପ୍ରାୟ ଏକାନ୍ତ ଅନିର୍ବାଯ୍ୟ ହୋଇପଡିଛି । କିନ୍ତୁ ଏହି କାଗଜ କପ୍ରେ ଲୁଚି ରହିଛି ବିଷ । ଯାହା ଧୀରେ ଧୀରେ ଲୋକଙ୍କୁ ମାରିବାରେ ଲାଗିଛି। ଏପରି ଭାବେ ବିଷ ରହିଛି ଯେ ଲୋକମାନେ ଏହାକୁ ପିଉଛନ୍ତି କିନ୍ତୁ ଜାଣିପାରୁ ନାହାଁନ୍ତି ଯେ ସେମାନେ ବିଷ ପିଇ ମୃତ୍ୟୁ ଆଡକୁ ଦୌଡୁଛନ୍ତି। ଏହା ହେଉଛି ମାଇକ୍ରୋପ୍ଲାଷ୍ଟିକ ବିଷ । ଯାହାକୁ ବ୍ୟବହାର କରିବା ଦ୍ୱାରା ଲୋକେ କ୍ୟାନସର ଭଳି ବିଭିନ୍ନ ମାରାତ୍ମକ ରୋଗରେ ଶିକାର ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଏହାର ବଢୁଥିବା ବ୍ୟବହାର ନେଇ ଏବେ ବିଶେଷଜ୍ଞମାନଙ୍କ ମୁଣ୍ଡବ୍ୟଥା ବଢାଇଛି ।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଅଧିକାଂଶ କାଗଜ କପ୍ ଭିତରେ ପଲିଥିନ୍ କିମ୍ବା ପ୍ଲାଷ୍ଟିକ ଲେୟର ଲାଗିଥାଏ, ଯାହା ତାପମାନ ବଢିଲେ କେମିକାଲ ମୁକ୍ତ କରିପାରେ । ଗରମ ଚା, କିମ୍ବା କଫି ଏହି କପରେ ପରିବେଶନ କରାଗଲେ, ସେହି କେମିକାଲ ଦ୍ରବ୍ୟ ପାନୀୟରେ ମିଶି ଶରୀରକୁ ପ୍ରବେଶ କରିବାର ସମ୍ଭାବନା ରହେ । ଅଧିକାଂଶ କାଗଜ କପ୍ ଭିତରେ ପଲିଏଥିଲିନ୍ କିମ୍ବା କେତେକ ସମୟରେ ମୋମ ଲେୟର ଲଗାଯାଇଥାଏ। ଏହା ତରଳ ପଦାର୍ଥ ଲିକ୍ ହେବାକୁ ରୋକେ । କିନ୍ତୁ ଗରମ ପାନୀୟ ସହିତ ସଂସ୍ପର୍ଶ ହେଲେ ଏହି ଲେୟର ଧୀରେ ଧୀରେ ଭାଙ୍ଗି ସୂକ୍ଷ୍ମ ପ୍ଲାଷ୍ଟିକ କଣା (ମାଇକ୍ରୋପ୍ଲାଷ୍ଟିକ) ଓ କେମିକାଲ ଛାଡିଥାଏ। ଏହି କପରେ ୧୫ମିନିଟରୁ ଅଧିକ କୌଣସି ଗରମ ଦ୍ରବ୍ୟ ରହିଲେ ୨୫୦୦୦ ମାଇକ୍ରୋପ୍ଲାଷ୍ଟିକ ସୃଷ୍ଟି କରିଥାଏ। ଏପରି କେମିକାଲ ଦୀର୍ଘମିଆଦି ଧରି ଶରୀରକୁ କ୍ଷତି ପହଞ୍ଚାଇପାରେ। ପାଚନ ତନ୍ତ୍ର ସମସ୍ୟା, ହରମୋନର ଅସନ୍ତୁଳନ, ଜି.ଆଇ କର୍କଟ(ଗ୍ୟାସଷ୍ଟ୍ରୋଇନଟେଷ୍ଟିନାଲ),ସ୍ତନ କର୍କଟ, ଅନ୍ତନଳୀ କର୍କଟ, ହୃଦ ରୋଗ ଭଳି ଅନ୍ୟାନ୍ୟ ଗୁରୁତର ରୋଗ ହେବାର ଆଶଙ୍କା ରହିଛି ।

ଏହା ସହିତ, ପରିବେଶ ପ୍ରତି ମଧ୍ୟ ଏହା ଏକ ଚିନ୍ତାଜନକ ପ୍ରସଙ୍ଗ । ଏହି କାଗଜ କପକୁ ବ୍ୟବହାର ପରେ ଅଧିକାଂଶ ସମୟରେ ଏଣେତେଣେ ଫୋପାଡି ଦିଆଯାଉଥିବା ଯୋଗୁଁ କାଗଜ କପକୁ ଖାଇ ରାସ୍ତାରେ ବୁଲୁଥିବା ଗାଈଗୋରୁ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ସେହିଭଳି ଏହି କପ୍ ଗୁଡିକରେ ଏହାର ନିର୍ମାତା, କେବେ ତିଆରି, ବ୍ୟବହାର ଅବଧି, କେତେ ଦିନ, କ’ଣ ପାଇଁ ବ୍ୟବହାର ଯୋଗ୍ୟ, କେଉଁଥିରୁ ତିଆରି ଆଦି ସବିଶେଷ ତଥ୍ୟ ଦର୍ଶାଯାଇନଥାଏ। କାଗଜ କପ ସାଧାରଣତଃ ପରିବେଶବନ୍ଧୁ ବୋଲି ପ୍ରଚାର କରାଯାଏ, କିନ୍ତୁ ପ୍ଲାଷ୍ଟିକ ଲେୟର ଥିବାରୁ ଏହାକୁ ପୁନଃଚକ୍ରାୟନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ଫଳରେ ଏହା ଭୂମି ଓ ଜଳ ପ୍ରଦୂଷଣର କାରଣ ହେଉଛି । ସମ୍ ହସ୍ପିଟାଲର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଶ୍ରୀକାନ୍ତ କୁମାର ଧରଙ୍କ ପରାମର୍ଶ ଅନୁସାରେ, କାଚ, ଷ୍ଟିଲ କିମ୍ବା ମାଟି ପାତ୍ରର ବ୍ୟବହାର କରିବା ଉଚିତ୍ । ସହଜ ଓ ଶସ୍ତା ବିକଳ୍ପ ଭାବେ କାଗଜ କପ୍ର ବ୍ୟବହାର ଅତି ସାଧାରଣ ହୋଇପଡିଥିଲେ ମଧ୍ୟ ,ଏଥିରେ ଲୁଚିଥିବା ବିପଦକୁ ଅଣଦେଖା କରିହେବ ନାହିଁ । ଏହାର ଭୟାବହତା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ।

Also Read-Middle East War: ବିଶ୍ୱରେ ଠପ୍ ହୋଇପାରେ ଇଣ୍ଟରନେଟ୍, ହୋର୍ମୁଜରେ ବିଛା ଯାଇଥିବା କେବଲ ନଷ୍ଟ ହେବା ଆଶଙ୍କା