ନୂଆଦିଲ୍ଲୀ: ଭୂ-ବିଜ୍ଞାନୀମାନଙ୍କ ଗବେଷଣା ଅନୁଯାୟୀ, ଆମ ପୃଥିବୀର ମହାଦେଶଗୁଡ଼ିକ ସ୍ଥିର ନୁହଁନ୍ତି । ଏଗୁଡ଼ିକ ପ୍ରତିବର୍ଷ ଧୀରେ ଧୀରେ ଗତି କରୁଛନ୍ତି। ଆଜିଠାରୁ ପ୍ରାୟ ୨୦ କୋଟି ବର୍ଷ ପୂର୍ବରୁ ପୃଥିବୀର ସମସ୍ତ ଭୂଖଣ୍ଡ ଏକାଠି ହୋଇ 'ପ୍ୟାଞ୍ଜିଆ' ନାମକ ଏକ ବିଶାଳ ମହାଦେଶ ଭାବରେ ରହିଥିଲା। କାଳକ୍ରମେ ଏହା ଭାଙ୍ଗି ଆଜିର ସପ୍ତ ମହାଦେଶରେ ପରିଣତ ହୋଇଛି। ମାତ୍ର ବୈଜ୍ଞାନିକଙ୍କ ମତରେ, ଆଗାମୀ ୨୦ କୋଟି ବର୍ଷ ମଧ୍ୟରେ ଏହି ସମସ୍ତ ମହାଦେଶ ପୁନର୍ବାର ଏକାଠି ହୋଇ ଏକ ନୂତନ ମହା-ମହାଦେଶ (Supercontinent) ସୃଷ୍ଟି କରିବେ।

୨୦୧୮ରେ 'ଜିଓଲୋଜିକାଲ ମ୍ୟାଗାଜିନ୍'ରେ ପ୍ରକାଶିତ ଏକ ଗବେଷଣା ଅନୁସାରେ, ଭବିଷ୍ୟତରେ ପୃଥିବୀ ଚାରୋଟି ସମ୍ଭାବ୍ୟ ରୂପ ନେଇପାରେ ।

ନୋଭୋପ୍ୟାଞ୍ଜିଆ (Novopangaea): ପ୍ରଶାନ୍ତ ମହାସାଗର ସଂକୁଚିତ ହୋଇ ଆଟଲାଣ୍ଟିକ ମହାସାଗର ଓସାରିଆ ହେବ। ଆମେରିକା, ଏସିଆ ଓ ଆଣ୍ଟାର୍କଟିକା ମିଶି ଉତ୍ତର ଗୋଲାର୍ଦ୍ଧରେ ଏକ ବିଶାଳ ଭୂଖଣ୍ଡ ଗଠନ କରିବେ।

ଓରିକା (Aurica): ଆଟଲାଣ୍ଟିକ ଓ ପ୍ରଶାନ୍ତ- ଦୁଇଟିଯାକ ମହାସାଗର ସଂକୁଚିତ ହୋଇ ବିଷୁବ ରେଖା ନିକଟରେ ଏକ ମୁଦ୍ରିକା (Ring) ଆକାରର ମହାଦେଶ ସୃଷ୍ଟି ହେବ।

ଅମାସିଆ (Amasia): ଆର୍କଟିକ (ଉତ୍ତର ମେରୁ) ମହାସାଗର ସଂକୁଚିତ ହୋଇ ଆଣ୍ଟାର୍କଟିକାକୁ ଛାଡ଼ି ବାକି ସବୁ ମହାଦେଶ ଉତ୍ତର ମେରୁ ଆଡ଼କୁ ଘୁଞ୍ଚିଯିବେ। ଏହାଦ୍ୱାରା ଦକ୍ଷିଣ ଗୋଲାର୍ଦ୍ଧରେ କେବଳ ସମୁଦ୍ର ହିଁ ରହିବ ଏବଂ ମେରୁ ଅଞ୍ଚଳ ଅତ୍ୟନ୍ତ ବରଫାବୃତ ହୋଇପଡ଼ିବ।

ପ୍ୟାଞ୍ଜିଆ ଅଲ୍ଟିମା (Pangea Ultima): ଆଟଲାଣ୍ଟିକ ଓ ଭାରତ ମହାସାଗର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇ ସମସ୍ତ ମହାଦେଶ ବିଷୁବ ରେଖା ନିକଟରେ ଏକାଠି ହେବେ। ଯଦି ପ୍ୟାଞ୍ଜିଆ ଅଲ୍ଟିମା ସୃଷ୍ଟି ହୁଏ, ତେବେ ଏହା ସ୍ତନ୍ୟପାୟୀ ପ୍ରାଣୀ (Mammals) ଏବଂ ମାନବ ସଭ୍ୟତା ପାଇଁ ସବୁଠାରୁ ବିପଜ୍ଜନକ ହେବ ।

ମହାଦେଶର ଭିତର ଭାଗ ସମୁଦ୍ରଠାରୁ ହଜାର ହଜାର କିଲୋମିଟର ଦୂରରେ ରହିବ। ଫଳରେ ସମୁଦ୍ରର ଥଣ୍ଡା ପବନ ସେଠାରେ ପହଞ୍ଚି ପାରିବ ନାହିଁ ଏବଂ ପୃଥିବୀର ପ୍ରାୟ ୯୦ ପ୍ରତିଶତ ଭୂଖଣ୍ଡ ଗରମ ଓ ଶୁଷ୍କ ମରୁଭୂମିରେ ପରିଣତ ହୋଇଯିବ। କାଳକ୍ରମେ ସୂର୍ଯ୍ୟଙ୍କ ଉଜ୍ଜ୍ୱଳତା ଓ ତାପମାତ୍ରା ବୃଦ୍ଧି ପାଉଛି, ଯାହା ଭବିଷ୍ୟତରେ ପୃଥିବୀକୁ ଆହୁରି ଉତ୍ତପ୍ତ କରିଦେବ। ଭୂ-ପୃଷ୍ଠର ବଡ଼ ଧରଣର ପରିବର୍ତ୍ତନ ହେତୁ କ୍ରମାଗତ ଅଗ୍ନି ବର୍ଷା ହେବ। ଏହାଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ (CO2) ଗ୍ୟାସର ପରିମାଣ ଅତ୍ୟଧିକ ବଢ଼ିଯିବ।

ଏହି ସବୁ କାରଣରୁ ପୃଥିବୀର ତାପମାତ୍ରା ୪୦° ସେଲସିୟସରୁ ୭୦° ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଯିବ। ମାତ୍ର ୮% ରୁ ୧୬% ଭୂଖଣ୍ଡ ହିଁ ଜୀବନଧାରଣ ପାଇଁ ଅଳ୍ପ ବହୁତ ଉପଯୁକ୍ତ ରହିବ। ଅତ୍ୟାଧିକ ଗରମ ଯୋଗୁଁ ମାନବ ଶରୀର ନିଜର ତାପମାତ୍ରା ନିୟନ୍ତ୍ରଣ କରିପାରିବ ନାହିଁ, ଯାହାଫଳରେ ସ୍ତନ୍ୟପାୟୀ ଜୀବଙ୍କର ସମ୍ପୂର୍ଣ୍ଣ ବିଲୋପ ଘଟିବ। ଏହି ମହା-ବିପତ୍ତି ଆସିବାକୁ ଆହୁରି ୨୦ କୋଟି ବର୍ଷରୁ ଅଧିକ ସମୟ ବାକି ଅଛି। ସେତେବେଳକୁ ହୁଏତ ମାନବଜାତିର ଅସ୍ତିତ୍ୱ ଭିନ୍ନ ରୂପ ନେଇସାରିଥିବ କିମ୍ବା ବଦଳୁଥିବା ଜଳବାୟୁ ସହ ଖାପଖୁଆଇ ରହିବା ପାଇଁ ପୃଥିବୀରେ ନୂତନ ଜୀବଜଗତର ସୃଷ୍ଟି ହୋଇସାରିଥିବ।