ନୂଆଦିଲ୍ଲୀ: ଆପଣ କେତେବେଳେ ବଡ଼ ବଡ଼ ସଫିଂ ମଲ୍କୁ ଗଲା ବେଳେ ‘ବୋତଲୱାଲା’, ‘ସୋଡାୱାଲା’, ‘ଦାରୁୱାଲା’, ‘ପୁନାୱାଲା’ ଭଳି ସାଙ୍ଗିଆ ବା ଟାଇଟଲ ନିଶ୍ଚୟ ଶୁଣିଥିବେ। ନହେଲେ ସେରମ ଇନଷ୍ଟିଚ୍ୟୁଟର ଫାଉଣ୍ଡର ଆଦର ପୁନାୱାଲାଙ୍କ ନାଁ ତ ନିଶ୍ଚୟ ଶୁଣିଥିବେ। ଏହି ନାଁଗୁଡ଼ିକ ଶୁଣିବାକୁ ଯେତିକି ଅଲଗା ଲାଗେ, ସେଗୁଡ଼ିକର ପଛର କାହାଣୀ ମଧ୍ୟ ସେତିକି ରୋଚକ। ବେଳେ ବେଳେ ସାଧାରଣ ମନରେ ପ୍ରଶ୍ନ ଉଠେ ଏମିତି ସାଙ୍ଗିଆ କାହିଁକି ରହିଛି ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସାଙ୍ଗିଆଗୁଡ଼ିକ ଭିତରେ ଲୁଚିଛି ପେଶା, ବ୍ୟବସାୟ, ରହୁଥିବା ସ୍ଥାନ ଏବଂ ପୂର୍ବପୁରୁଷଙ୍କ ପରିଚୟର କାହାଣୀ। ବିଶେଷକରି ପାର୍ସୀ ସମୁଦାୟର ଏଭଳି ଅନେକ ସାଙ୍ଗିଆ ଭାରତର ସାମାଜିକ ଓ ସାଂସ୍କୃତିକ ଇତିହାସ ସହ ଜଡ଼ିତ ରହିଛି। ତେବେ ‘ବୋତଲୱାଲା’ କାହିଁକି? ‘ପୁନାୱାଲା’ କେମିତି ହେଲେ? ଆଉ ‘ଦାରୁୱାଲା’ ନାଁ ପଛରେ କ’ଣ ରହିଛି ଇତିହାସ? ଆସନ୍ତୁ ଜାଣିବା।

ପ୍ରଥମେ ପାର୍ସୀମାନଙ୍କ ମଧ୍ୟରେ ସରନେମ୍ ନଥିଲା!

ଆଜି ପାର୍ସୀ ସମୁଦାୟର ଅନେକ ଲୋକଙ୍କ ନା ସହ ଭିନ୍ନ ଧରଣର ସରନେମ୍ ଦେଖିବାକୁ ମିଳେ। କିନ୍ତୁ ଏହି ପରମ୍ପରା ଆରମ୍ଭରୁ ନଥିଲା। ୧୬ଶ ଶତାବ୍ଦୀରେ ପୁଜାରୀ ବହମନ କୈକୁବାଦଙ୍କ ଦ୍ୱାରା ରଚିତ ଫାରସୀ କବିତା କିସ୍ସା-ଏ-ସଞ୍ଜାନ’ରେ ପାର୍ସୀମାନଙ୍କ ଭାରତ ଆଗମନ ସମ୍ପର୍କରେ ଉଲ୍ଲେଖ ମିଳେ।

କୁହାଯାଏ, ସପ୍ତମ ଶତାବ୍ଦୀରେ ପାରସ୍ୟ ଅର୍ଥାତ୍ ବର୍ତ୍ତମାନର ଇରାନରେ ଆରବ-ଇସ୍ଲାମିକ୍ ଶାସନ ପ୍ରତିଷ୍ଠା ପରେ ଅନେକ ଜୋରାଷ୍ଟ୍ରିଆନ୍ ଭାରତ ଆସିଥିଲେ। ସେମାନେ ପ୍ରଥମେ ଗୁଜରାଟରେ ରହିବାକୁ ଆରମ୍ଭ କରିଥିଲେ। ସମୟ ଗଡ଼ିବା ସହିତ ସେମାନେ ଭାରତୀୟ ଭାଷା, ଖାଦ୍ୟ, ପୋଷାକ ଓ ସ୍ଥାନୀୟ ସଂସ୍କୃତି ସହ ଅନେକ ମାତ୍ରାରେ ମିଶିଗଲେ। ହେଲେ ନିଜ ଧାର୍ମିକ ପରିଚୟକୁ ସେମାନେ ବଜାୟ ରଖିଲେ।

Also Read- Teacher’s Day 2026: ଏମାନେ ବି ଥିଲେ ଗୁରୁ: ଶିକ୍ଷକରୁ ସ୍ୱାଧୀନତା ସଂଗ୍ରାମୀ ହୋଇଥିବା ଭାରତର ମହାନ ନେତା

ବ୍ରିଟିଶ ଶାସନ ସମୟରେ ବଦଳିଲା ନାମର ଢାଞ୍ଚା

ପୂର୍ବରୁ ଅନେକ ଲୋକଙ୍କୁ କେବଳ ପ୍ରଥମ ନାଁ ଦ୍ୱାରା ହିଁ ଚିହ୍ନଟ କରାଯାଉଥିଲା। କିନ୍ତୁ ବ୍ରିଟିଶ ଶାସନ ସମୟରେ ଜନଗଣନା ଏବଂ ପ୍ରଶାସନିକ ରେକର୍ଡ ବଢ଼ିବା ସହିତ ଲୋକଙ୍କ ପରିଚୟ ପାଇଁ ସାଙ୍ଗିଆର ଆବଶ୍ୟକତା ବଢ଼ିଲା। ଏହି ସମୟରେ ପାର୍ସୀ ପରିବାରଗୁଡ଼ିକ ନିଜ ପରିଚୟକୁ ଅଲଗା ଭାବେ ଦର୍ଶାଇବା ପାଇଁ ବିଭିନ୍ନ ଆଧାରରେ ସରନେମ୍ ଗ୍ରହଣ କରିବାକୁ ଲାଗିଲେ।

କେଉଁଠି ପେଶା ପରିଚୟ ହେଲା ସାଙ୍ଗିଆର ଆଧାର, ତ କେଉଁଠି ରହୁଥିବା ସ୍ଥାନ ହେଲା ପରିଚୟ। ଆଉ କେତେକ କ୍ଷେତ୍ରରେ ପୂର୍ବପୁରୁଷଙ୍କ ବ୍ୟବସାୟ କିମ୍ବା ଡାକ ନାମରୁ ମଧ୍ୟ ସାଙ୍ଗିଆ ନିର୍ଦ୍ଧାରଣ କରାଗଲା

‘ଦାରୁୱାଲା’ ନାଁ ପଛରେ କ’ଣ କାହାଣୀ?

‘ଦାରୁୱାଲା’ ନାମ ଶୁଣିଲେ ଏହାର ଅର୍ଥ ବୁଝିବା କଷ୍ଟକର ନୁହେଁ କୁହାଯାଏ, ଯେଉଁ ପରିବାରର ପୂର୍ବପୁରୁଷ ମଦ ବା ଦାରୁ ବ୍ୟବସାୟ ସହ ଜଡ଼ିତ ଥିଲେ, ସେମାନଙ୍କୁ ସେହି ପେଶା ଆଧାରରେ ‘ଦାରୁୱାଲା’ ଭାବେ ପରିଚିତ କରାଯାଉଥିଲା। ପରବର୍ତ୍ତୀ ସମୟରେ ଏହି ପରିଚୟ ପରିବାରର ସାଙ୍ଗିଆରେ ପରିଣତ ହୋଇଥିଲା। ଏହିଭଳି ଅନେକ ସରନେମ୍ର ମୂଳରେ ପରିବାରର ପୁରୁଣା ବ୍ୟବସାୟ ରହିଥିବା କୁହାଯାଏ। ତେବେ ଏଭଳି ପେଶା-ଆଧାରିତ ସରନେମ୍ ଥିବା ପ୍ରତ୍ୟେକ ପରିବାର ଯେ ସେହି ପେଶାରେ ଆଜି ମଧ୍ୟ ଜଡ଼ିତ ଥିବେ ତାହା କହି ହେବନି।

ବୋତଲୱାଲା, ସୋଡାୱାଲା ଭଳି ନାମ କେମିତି ଆସିଲା?

‘ବୋତଲୱାଲା’ ଓ ‘ସୋଡାୱାଲା’ ଭଳି ନାଁ ମଧ୍ୟ ପେଶା ଏବଂ ବ୍ୟବସାୟ ସହ ସମ୍ପର୍କିତ ବୋଲି ଧରାଯାଏ। ଏହି ପରିବାରର ପୂର୍ବ ପୁରୁଷମାନେ ପୂର୍ବରୁ ବୋତଲ, ସୋଡା କିମ୍ବା ଏଭଳି ସାମଗ୍ରୀର ବ୍ୟବସାୟ ସହିତ ଜଡ଼ିତ ଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ସେମାନଙ୍କ ବ୍ୟବସାୟ ଆଧାରରେ ଡାକିବା ପ୍ରଚଳନ କରିଥିଲେ। ସମୟ ସହିତ ଏହି ଡାକ ନାଁ ହିଁ ପରିବାରର ସାଙ୍ଗିଆ ହୋଇଯାଇଥିଲା। ଏହା ହେଉଛି ସେହି ସମୟର ଏକ ସାମାଜିକ ବାସ୍ତବତା, ଯେଉଁଠି ଜଣେ ବ୍ୟକ୍ତିଙ୍କ ପରିଚୟ ତାଙ୍କ ନାମ ଅପେକ୍ଷା ତାଙ୍କ କାମ କିମ୍ବା ବ୍ୟବସାୟ ଦ୍ୱାରା ଅଧିକ ହେଉଥିଲା।

‘ପୁନାୱାଲା’ ନାମରେ ଲୁଚିଛି ସହରର ପରିଚୟ

ସବୁ ସାଙ୍ଗିଆ କିନ୍ତୁ ପେଶାରୁ ଆସି ନାହିଁ। କେତେକ ସାଙ୍ଗିଆର ସମ୍ପର୍କ ରହିଛି ଭୌଗୋଳିକ ସ୍ଥାନ ସହ। ଏହାର ଏକ ରୋଚକ ଉଦାହରଣ ହେଉଛି ‘ପୁନାୱାଲା’। ପୁଣେରେ ରହୁଥିବା କେତେକ ପାର୍ସୀ ପରିବାରଙ୍କ ପରିଚୟ ତାଙ୍କ ରହୁଥିବା ସହର ସହ ଯୋଡ଼ି ‘ପୁନାୱାଲା’ ଭାବେ ଗଢ଼ିଉଠିଥିବା କୁହାଯାଏ। ଅର୍ଥାତ୍ ଏଠାରେ ସରନେମ୍ଟି ପରିବାରର ବ୍ୟବସାୟ ନୁହେଁ, ବରଂ ପୂର୍ବପୁରୁଷ କେଉଁଠି ରହୁଥିଲେ, ସେହି ସ୍ଥାନର ପରିଚୟ ବହନ କରୁଛି।

‘ଇରାନୀ’ ଓ ‘ଦିଲ୍ଲୀୱାଲା’ ମଧ୍ୟ ସ୍ଥାନ ସହ ଜଡ଼ିତ

ଏହିଭଳି ସ୍ଥାନ-ଆଧାରିତ ପରିଚୟର ଅନ୍ୟ ଉଦାହରଣ ଭାବେ ‘ଇରାନୀ’ କିମ୍ବା ‘ଦିଲ୍ଲୀୱାଲା’ ଭଳି ନାମକୁ ଦେଖାଯାଏ। କୌଣସି ପରିବାରର ମୂଳ ସ୍ଥାନ ଇରାନ ହୋଇଥିଲେ ‘ଇରାନୀ’ ଏବଂ ଦିଲ୍ଲୀ ସହ ପରିବାରର ପୁରୁଣା ସମ୍ପର୍କ ଥିଲେ ‘ଦିଲ୍ଲୀୱାଲା’ ଭଳି ପରିଚୟ ଗଢ଼ିଉଠିଥିବା ଦେଖାଯାଏ। ଏହି ନାଁଗୁଡ଼ିକ ଆଜି କେବଳ ଏକ ସାଙ୍ଗିଆ ହୋଇ ରହିନାହିଁ, ଏଗୁଡ଼ିକ ପରିବାରର ଅତୀତ, ଭୌଗୋଳିକ ମୂଳ ଏବଂ ପୂର୍ବପୁରୁଷଙ୍କ ଜୀବନ ସହ ଜଡ଼ିଥିବା ଏକ ପରିଚୟ ପାଲଟିଛି।

ସାଙ୍ଗିଆ ନୁହେଁ, ଏଗୁଡ଼ିକ ଇତିହାସର ଛୋଟ ଛୋଟ ଟୁକୁଡ଼ା

ଆଜି ‘ବୋତଲୱାଲା’, ‘ସୋଡାୱାଲା’, ‘ଦାରୁୱାଲା’ କିମ୍ବା ‘ପୁନାୱାଲା’ ଭଳି ନାଁ ଶୁଣିଲେ ହୁଏତ ଆମ ମନରେ କୌତୂହଳ ସୃଷ୍ଟି ହୁଏ। କିନ୍ତୁ ଏହି ନାଁଗୁଡ଼ିକ ପଛରେ ଥିବା କାହାଣୀ ଆମକୁ ଭାରତର ବିବିଧ ସାମାଜିକ ଇତିହାସର ଏକ ଝଲକ ଦେଇଥାଏ। କେଉଁ ନାଁ ପେଶାକୁ ମନେ ପକାଏ ତ କେଉଁ ନାମ ଏକ ସହରର ସ୍ମୃତି ବହନ କରେ, ଆଉ କେଉଁ ନାଁ ପୂର୍ବପୁରୁଷଙ୍କ ପରିଚୟକୁ ପିଢ଼ି ପରେ ପିଢ଼ି ଆଗକୁ ନେଇଆସେ। ତେଣୁ ଏହି ଅଜବ ଲାଗୁଥିବା ସାଙ୍ଗିଆଗୁଡ଼ିକ କେବଳ ନାଁ ନୁହେଁ ଏଗୁଡ଼ିକ ହେଉଛି ଭାରତର ବିବିଧତା ଭିତରେ ଲୁଚିଥିବା ଛୋଟ ଛୋଟ ଇତିହାସର ଗୋଟିଏ ଗୋଟିଏ କାହାଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ।