ନୂଆଦିଲ୍ଲୀ: ଗୁଡସ୍ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ (ଜିଏସଟି) କାଉନସିଲ ବୈଠକ ଆଗାମୀ ଅକ୍ଟୋବର ୭ ତାରିଖରେ ଅନୁଷ୍ଠିତ ହେବ। ଏହି ବୈଠକ ପୂର୍ବରୁ ସେପ୍ଟେମ୍ବର ୧୨ ତାରିଖକୁ ନିର୍ଦ୍ଧାରିତ ଥିଲା। ତେବେ ଭାରତରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ଲାଗି ବୈଠକକୁ ଅକ୍ଟୋବର ମାସକୁ ଟାଳି ଦିଆଯାଇଛି। ଭାରତ ନୂଆଦିଲ୍ଲୀରେ ୧୨ ଓ ୧୩ ସେପ୍ଟେମ୍ବରରେ ବାର୍ଷିକ ବ୍ରିକ୍ସ ସମ୍ମିଳନୀର ଆୟୋଜନ କରିବ। ଏହି ଶିଖର ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଆହ୍ୱାନ ଉପରେ ଚର୍ଚ୍ଚା ହେବ ବୋଲି ଆଶା କରାଯାଉଛି।

ଆରମ୍ଭରେ ବ୍ରିକ୍ସ ରେ ବ୍ରାଜିଲ, ଋଷିଆ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକା ସାମିଲ ଥିଲେ। ତେବେ ପରେ ୨୦୨୪ରେ ଇଜିପ୍ଟ, ଇଥିୟୋପିୟା, ଇରାନ ଓ ୟୁଏଇ ସାମିଲ ହୋଇଛନ୍ତି। ଇଣ୍ଡୋନେସିୟା ୨୦୨୫ ମସିହାରେ ବ୍ରିକ୍ସର ସଦସ୍ୟତା ଗ୍ରହଣ କରିଛି। ସୂତ୍ର ଅନୁସାରେ ବ୍ରିକ୍ସ ସମ୍ମିଳନୀକୁ ନଜରରେ ରଖି ୫୭ତମ ଜିଏସଟି କାଉନସିଲ ବୈଠକ ଅକ୍ଟୋବର ୭ ତାରିଖକୁ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ତଥା ରାଜ୍ୟମାନଙ୍କ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ହେବାକୁ ଥିବା ଏହି ବୈଠକ ୧ ବର୍ଷରୁ ଅଧିକ ସମୟ ପରେ ହେବାକୁ ଯାଉଛି।

କାଉନସିଲର ୫୬ତମ ବୈଠକ ୨୦୨୫ ସେପ୍ଟେମ୍ବର ୩-୪ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ଗୁଡସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ ହାର ଓ ହ୍ରାସରେ ବଡ଼ ପରିବର୍ତ୍ତନର ନିଷ୍ପତ୍ତି ନେଇଥିଲେ। ୭ ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ କାଉନସିଲ ସେହି ବିଜନେସର ଜିଏସଟି ରେଜିଷ୍ଟ୍ରେସନକୁ ସରଳ କରିବା ପାଇଁ ଆଲୋଚନା ହୋଇ ପାରେ ଯେଉଁଥିରେ ୨.୫ଲକ୍ଷ ଟଙ୍କାରୁ ଅଧିକ ଟ୍ୟାକ୍ସ କ୍ରେଡିଟ ପାସ୍ ହୋଇଥାଏ। ଏହା ସହିତ କାଉନସିଲ ଜିଏସଟି ରେଜିଷ୍ଟ୍ରେସନ ରଦ୍ଦ ପ୍ରକ୍ରିୟାରେ ଅଟୋମେସନ ଓ ଅନ୍ୟ ପରିବର୍ତ୍ତନ ଉପରେ ବିଚାର କରିପାରେ।