ନୂଆଦିଲ୍ଲୀ: ମେଟା (Meta) ସି.ଇ.ଓ. ମାର୍କ ଜୁକରବର୍ଗ ଏବଂ ତାଙ୍କ ପତ୍ନୀ ପ୍ରିସିଲା ଚାନ୍ ସେମାନଙ୍କର ବିଶାଳ ସମ୍ପତ୍ତି କଲେକ୍ସନରେ ଆୟରଲ୍ୟାଣ୍ଡର ୧୯୦ ବର୍ଷ ପୁରୁଣା 'ଷ୍ଟ୍ରାନକାଲି କାସଲ' (Strancally Castle) କୁ ସାମିଲ କରିଛନ୍ତି। ଏହି ରାଜପ୍ରାସାଦ ବ୍ୟତୀତ ବିଶ୍ୱସାରା ଜୁକରବର୍ଗଙ୍କର ଅନେକ ଦାମୀ ଓ ବିଳାସପୂର୍ଣ୍ଣ ସମ୍ପତ୍ତି ରହିଛି।

ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି
ୱାଟରଫୋର୍ଡରେ ଥିବା ୪୪୦ ଏକର ପରିବ୍ୟାପ୍ତ ଏହି ପ୍ରାସାଦର ଆନୂମାନିକ ମୂଲ୍ୟ ୨୦ ରୁ ୩୦ ନିୟୁତ ୟୁରୋ। ୧୮୩୦ ମସିହାରେ ନିର୍ମିତ ଏହି ପ୍ରାସାଦକୁ ସେମାନେ ରହିବା ପାଇଁ ବ୍ୟବହାର କରିବେ। ହାୱାଇର କାୱାଇ ଦ୍ୱୀପରେ ଜୁକରବର୍ଗଙ୍କର ୧,୨୦୦ ଏକରରୁ ଅଧିକ ଜମି ରହିଛି। ସେଠାରେ ସେ ଏକ ବିଶାଳ କମ୍ପାଉଣ୍ଡ ସହ ସୁରକ୍ଷିତ 'ଡୁମ୍ସଡେ' (Doomsday) ବଙ୍କର ତିଆରି କରୁଛନ୍ତି, ଯାହାର ମୋଟ ଖର୍ଚ୍ଚ ପ୍ରାୟ ୨୭୦ ନିୟୁତ ଡଲାର ଆକଳନ କରାଯାଇଛି।

କାଲିଫର୍ଣ୍ଣିଆର ପାଲୋ ଆଲ୍ଟୋରେ ଜୁକରବର୍ଗଙ୍କର ୫ଟି ଘର ରହିଛି, ଯାହାର ମୋଟ ମୂଲ୍ୟ ୩୬.୨ ନିୟୁତ ଡଲାରରୁ ଅଧିକ। ଏହି ସ୍ମାର୍ଟ ହୋମରେ କଷ୍ଟମ୍ AI ଆସିଷ୍ଟାଣ୍ଟ ମଧ୍ୟ ରହିଛି।  ୨୦୧୯ରେ ସେ ଲେକ୍ ତାହୋ କୂଳରେ ଦୁଇଟି ବିଳାସପୂର୍ଣ୍ଣ ପ୍ରାସାଦ ପ୍ରାୟ ୫୯ ନିୟୁତ ଡଲାରରେ କିଣିଥିଲେ।

ୱାଶିଂଟନ୍ ଡିସିରେ ୧୫,୦୦୦ ବର୍ଗଫୁଟର ଏକ ସୁନ୍ଦର ଭବନ ଏବଂ ଫ୍ଲୋରିଡାର 'ଇଣ୍ଡିଆନ୍ କ୍ରିକ୍' ଦ୍ୱୀପରେ ଏକ ସି-ଫେସିଂ ଆବାସ ସେ ନିଜ ନାମରେ କରିଛନ୍ତି। ସୂଚନାଯୋଗ୍ୟ ଯେ, ସାନ ଫ୍ରାନ୍ସିସ୍କୋରେ ଥିବା ତାଙ୍କର ଏକ ପୁରୁଣା ଟାଉନହାଉସକୁ ସେ ୨୦୨୨ ମସିହାରେ ୩୧ ନିୟୁତ ଡଲାରରେ ବିକ୍ରି କରିଦେଇଥିଲେ।