ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (AAP)କୁ ଲାଗିଥିବା ଶକ୍ତ ଝଟକା ମଧ୍ୟରେ ଦଳକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦଳରେ ଜଣେ ବିଶ୍ବ ପ୍ରସିଦ୍ଧ ଖେଳାଳି ସାମିଲ ହୋଇଛନ୍ତି । ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଲୋକପ୍ରିୟ କବାଡି ପ୍ଲେୟାର ଏବଂ ବିଶ୍ବ ପ୍ରସିଦ୍ଧ ‘କ୍ଲୋଜ୍ ଫାଇଟର’ ପାଲା ଜଲାଲପୁରିଆ ଆପର ସଦସ୍ୟତା ଗ୍ରହଣ କରିଛନ୍ତି ।

ପଞ୍ଜାବର ପାରମ୍ପରିକ ଖେଳ କବାଡିର ଜଣେ ଷ୍ଟାର ଷ୍ଟପର୍ ଜଲାଲପୁରିଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ AAPରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି ।

ଜଲାଲପୁରିଆ ଆପ୍ରେ ସାମିଲ ହେବା ପରେ ଦଳରେ ଉତ୍ସାହ ଫେରିଛି । ରାଜ୍ୟର ପରମ୍ପରା ସହ ଜଡ଼ିତ କବାଡ଼ି ଖେଳର ଜଣେ ବିଶ୍ବ ପ୍ରସିଦ୍ଧ ଖେଳାଳି ଦଳରେ ସାମିଲ ହେବା, ଆପ୍ ପାଇଁ ବଡ଼ ଉପଲବ୍ଧି ଭାବରେ ଦେଖାଯାଉଛି । ଆପରୁ ହରଭଜନ ସିଂହଙ୍କ ସମେତ ୭ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଦେବା ପରେ ଦଳରେ ହଇଚଇ ସୃଷ୍ଟି ହୋଇଥିଲା । ଆପରୁ ଇସ୍ତଫା ଦେବା ପରେ ୭ ରାଜ୍ୟସଭା ସାଂସଦ ସୋମବାର ବିଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି ।