ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସୁଛନ୍ତି  ପାକିସ୍ତାନର ମନ୍ତ୍ରୀ ମୁସାଦିକ ମଲିକ। ମୁସାଦିକ ହେଉଛନ୍ତି ସେହି ମନ୍ତ୍ରୀ ଯିଏ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ହାତ କାଟିବାକୁ ଧମକ ଦେଇଥିଲେ। ସବୁଠୁ ବଡ଼ କଥା ଏବେ ସେ ଭାରତର ନିମନ୍ତ୍ରଣକ୍ରମେ ନୂଆଦିଲ୍ଲୀ ଆସୁଛନ୍ତି ଏବଂ ଡିସେମ୍ବର ୨୦ରୁ ୨୨ ପର୍ଯ୍ୟନ୍ତ ସାଂଘାଇ ସହଯୋଗ ସଂଗଠନ(SCO) ବୈଠକରେ ଯୋଗ ଦେବେ।

ମୁସାଦିକ ମଲିକଙ୍କ ପୂର୍ବରୁ ବିଲାଓ୍ଵଲ ଭୁଟ୍ଟୋ ୨୦୨୩ରେ ପ୍ରଥମେ ଭାରତ ଆସିଥିଲେ। ସେ ବୈଦେଶିକ ମନ୍ତ୍ରୀ ଭାବେ SCOର ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେଇଥିଲେ। ଭାରତର ଅଧ୍ୟକ୍ଷତାରେ ସେହି ସମୟରେ ଗୋଆରେ ସମ୍ମିଳନୀ ଆୟୋଜନ ହୋଇଥିଲା। ଏହା ପରଠୁ ଏବେ ପ୍ରଥମ ଥର କୌଣସି ପାକିସ୍ତାନର ମନ୍ତ୍ରୀ ଭାରତ ଗସ୍ତରେ ଆସୁଛନ୍ତି। ୨୦୧୯ ଫେବୃଆରୀରେ ପୁଲଓ୍ଵାମା ଓ ୨୦୨୫ରେ ପହଲଗାମ ହମଲା ପରଠୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ବିଶେଷ କରି ପହଲଗାମରେ ଆତଙ୍କବାଦୀଙ୍କ ନରସଂହାର ପରେ ଭାରତ ପାକିସ୍ତାନର ନଅଟି ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିବା ସହ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବାତିଲ୍ କରିଥିଲା। 

Also Read: ବାଲାସାହେବ ଠାକରେଙ୍କ ଫଟୋ ଚିରିବା ଯୋଗୁ ନିସର୍ତ୍ତ କ୍ଷମା ଯାଚନା କଲେ ସାଇନା ଏନ.ସି, ଜାଣନ୍ତୁ କହିଲେ କ’ଣ?

ଉତ୍ତେଜନାମୂଳକ ବୟାନ ଦେଇଥିଲେ ମନ୍ତ୍ରୀ

ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ମଲିକ ଭାରତକୁ ଚେତାବନୀ ଦେଇ କହିଥିଲେ ଯେ, ଯିଏ ଆମ ପାଣିରେ ହାତ ଲଗାଇବ ତା ହାତ କାଟି ଦେବୁ। ଭାରତ ପୁଲଓ୍ଵାମା ହମଲା ପରେ ପାକିସ୍ତାନ ବିରୋଧରେ ଅନେକ ବଡ଼ ନିଷ୍ପତ୍ତି  ନେଇଥିଲା। ଏଥିରେ ସିନ୍ଧୁ ଜଳ ନଦୀ ଚୁକ୍ତିନାମା ମଧ୍ୟ ସାମିଲ୍। କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଭାରତ ସିନ୍ଧୁ ନଦୀ ଜଳର ପ୍ରବାହ ରୋକି ଦେଇଥିଲା।

ନିମନ୍ତ୍ରଣ ଦେଇଛି ଭାରତ

ମଲିକ ଏସସିଓ ସିଭିଲାଇଜେସନ ବୈଠକ ପାଇଁ ଆସୁଥିବା ପ୍ରତିନିଧିମଣ୍ଡଳଙ୍କ ନେତୃତ୍ଵ ନେଉଛନ୍ତି। ଏହା ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ଏହାର ସୂଚନା ଦେଇଥିଲେ ଯେ, ଭାରତ SCOର ସମସ୍ତ ସଦସ୍ୟ ଦେଶଗୁଡ଼ିକୁ ନିମନ୍ତ୍ରଣ ଦେଇଛି। ଏହି ସମୂହରେ ଭାରତ, ଚୀନ, ରୁଷ, କାଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ, ଇରାନ, ଉଜବେକିସ୍ତାନ, ପାକିସ୍ତାନ ଓ ବେଲାରୁଷ ସାମିଲ୍।

Also Read: PM ମୋଦୀଙ୍କ ପ୍ରଶଂସା କରି ଫସିଲେ ସାମ ପିଟ୍ରୋଡା, କଂଗ୍ରେସରେ ଉଠିଲା ବହିଷ୍କାର ଦାବି

ସୂଚନାଯୋଗ୍ୟ, ୨୦୦୧ ମସିହାରେ SCOର ସ୍ଥାପନା ହୋଇଥିଲା। ପ୍ରତିଷ୍ଠାତା ସଦସ୍ୟ ଭାବେ ରୁଷ, ଚୀନ, କିର୍ଗିସ୍ତାନ, କଜାକସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ରାଷ୍ଟ୍ରପତି ସାମିଲ୍ ଥିଲେ। ଭାରତ ଓ ପାକିସ୍ତାନ ୨୦୧୭ରେ ସ୍ଥାୟୀ ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୨୩ରେ ଇରାନ ଏହାର ସଦସ୍ୟ ହୋଇଥିଲା।