ମୁମ୍ବାଇ: ପାର୍ଟି ସାମ୍ବାଦିକ ସମ୍ମିଳନୀରେ ଶିବସେନା ନେତା ସାଇନା ଏନ.ସି. ସେତେବେଳେ ଅସହଜ ହୋଇପଡିଲେ ଯେତେବେଳେ ବିରୋଧ କାଳରେ ସେ ଭୁଲକ୍ରମେ ଶିବସେନା ସଂସ୍ଥାପକ ବାଲାସାହେବ ଠାକରେଙ୍କ ଛବି ଚିରି ପକାଇଥିଲେ। ସେ ବଡ଼ ଭୁଲ କରିଥିବା ଜାଣିବା ପରେ ସାଇନା କ୍ଷମାଯାଚନା କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ ଏଥିରେ ସେ ତାଙ୍କର ଭାବନା ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ ଗତକାଲି ମୁଁ ସାମ୍ବାଦିକ ସମ୍ମିଳନୀରେ ବାଲାସାହେବଙ୍କ ଚିନ୍ତାଧାରା ଉଲ୍ଲେଖ କରିଥିଲି। ତେବେ ମୋ କାମ ଓ ବୟାନକୁ ଜାଣିଶୁଣି ଭୁଲ ଭାବେ ଉପସ୍ଥାପନା କରାଯାଇଛି। ବାଲାସାହେବଙ୍କ ଅପମାନ କରିବା କେବେବି ମୋ ଉଦ୍ଦେଶ୍ୟ ନଥିଲା। ଶିବସେନା ବୁଧବାର ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କୁ ବିରୋଧ କରିଥିଲା। ଏହି ସମୟରେ ଶିବସେନା ନେତ୍ରୀ ସାଇନା ଏନ.ସି ଓ ପାର୍ଟିର ଅନ୍ୟ ନେତାମାନେ ଉଦ୍ଧବ ଠାକରେଙ୍କ ଏକ ଚିତ୍ର ଦେଖାଇଥିଲେ।

ସୋନିଆ ଗାନ୍ଧିଙ୍କ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ରେ ସାଭରକରଙ୍କ ଚିତ୍ରଣକୁ ବିରୋଧ କରି ନେତାମାନେ କ୍ୟାମେରା ଆଗରେ ଏହି ଛବିକୁ ଚିରିଥିଲେ। ସେତେବେଳେ ସାଇନା ଏନସି ବେଶ୍ ଖୁସି ଦେଖାଯାଉଥିଲେ। ଏହା ପରେ ସେ ଟେବୁଲରୁ ଆଉ ଏକ ଚିତ୍ର ଉଠାଇଥିଲେ ଓ କ୍ୟାମେରାରେ ଦେଖାଇ ମଝିରୁ ଚିରି ଦେଇଥିଲେ। ଏହି ଚିତ୍ରଟି ବାଲାସାହେବ ଠାକରେଙ୍କର ଥିଲା। ଏହି ଚିତ୍ରଟିକୁ ଚିରିବା ବେଳେ ସେ ଭୁଲ କରୁଥିବା ଜାଣି ଯାଇଥିଲେ, ସେ ଜାଣି ପାରିଥିଲେ ଯେଉଁ ଚିତ୍ରଟି ଚିରିବାର ଥିଲା ଏହା ତାହା ନୁହେଁ। ଏଣୁ ତାଙ୍କ ହାଭଭାବ ଓ ଚେହେରାରେ ତାଙ୍କ ଭୁଲ ଝଲସି ଉଠିଥିଲା। ଏହି ସମୟରେ ସାଇନା ସାମନ୍ୟ ବିଚଳିତ ମଧ୍ୟ ହୋଇପଡିଥିଲେ। ସେ ତୁରନ୍ତ ଅଧଚିରା ଛବିଟିକୁ ଅନ୍ୟ କାଗଜ ତଳେ ଲୁଚାଇବାକୁ ଚେଷ୍ଟା କରିଥିଲେ ଓ ପୁଣି ସହଜ ହୋଇ କ୍ୟାମେରା ଆଡକୁ ହସହସ ମୁହଁରେ ଚାହିଁଥିଲେ।

ଉଲ୍ଲେଖଯୋଗ୍ୟ ଯେ ବାଲାସାହେବ ଠାକରେ ଶିବସେନା ସଂସ୍ଥାପକ ଅଟନ୍ତି। ତାଙ୍କ ପୁଅ ଉଦ୍ଧବ ଠାକରେଙ୍କୁ ପାର୍ଟି ଉତ୍ତରାଧିକାରରେ ମିଳିଥିଲା, ହେଲେ ସେ ଏହାକୁ ସେପରି ଚଳାଇ ପାରିଲେନି ଯେପରି ବାଲାସାହେବ ଚଳାଉଥିଲେ। ଏହି ମାମଲା ଏବେ ରାଜନୈତିକ ହୋଇପଡିଛି। ସାଇନାଙ୍କ ବିପକ୍ଷରେ ବିରୋଧୀ ବାଲାସାହେବଙ୍କ ଅପମାନ କରିଥିବାର ଅଭିଯୋଗ ଆଣିଛନ୍ତି। ବିବାଦ ପରେ ସାଇନା ବେଶ୍ କଡ଼ା ଆଭିମୁଖ୍ୟ ଆପଣେଇଥିଲେ। ତେବେ ଦିନକ ପରେ ସେ ନରମି ଯିବା ସହ ନିଜ କାର୍ଯ୍ୟ ପାଇଁ କ୍ଷମାଯାଚନା କରିଛନ୍ତି।