ମୁମ୍ଵାଇ ୧୩।୦୯; ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ। ତାଙ୍କର ଭାରତ ଠାରୁ ଆରମ୍ଭ କରି ସବୁଠି ପ୍ରଶଂସକ ରହିଛନ୍ତି। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ସହ ଅଭିନୟ କରିଥିବାରୁ ଭାରତୀୟ ଦର୍ଶକଙ୍କ ମଧ୍ୟରେ ମଧ୍ୟ ସେ ବେଶ୍ ଲୋକପ୍ରିୟ। ବର୍ତ୍ତମାନ ଏକ ଖୁସି ଖବର ସାମ୍ନାକୁ ଆସିଛି । ଯାହା ତାଙ୍କ ପ୍ରଶଂସକଙ୍କୁ ଖୁସି କରିବ। କୁହାଯାଉଛି ଅଭିନେତ୍ରୀ ଜଣକ ଗର୍ଭବତୀ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର 'ବେବି ବମ୍ପ' ଦେଖାଯାଉଥିବା ଫଟୋ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ସୋସିଆଲ ମିଡିଆରେ ମାହିରା ଖାନଙ୍କର କିଛି ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ ନିଜର 'ବେବି ବମ୍ପ' ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଫଟୋରେ ସେ ଏକ ପରଦା ପଛରେ ଆଂଶିକ ଭାବେ ଲୁଚି ରହିଥିବା ପରି ଦିଶୁଥିବା ବେଳେ ମଧ୍ୟ ତାଙ୍କ ମୁହଁରେ ଖୁସି ପ୍ରତିଫଳିତ ହେଉଛି।

ମାହିରା ଖାନ ଏହି ଫଟୋଗୁଡ଼ିକୁ ଏକ କ୍ୟାପସନ୍ ସହିତ ସେୟାର କରିଛନ୍ତି: "ଆମେ ଏକାଠି ଯୋଜନା କରୁ, କିନ୍ତୁ ପରବର୍ତ୍ତୀ ସମୟରେ ଯାହା ଘଟେ ତାହା ଆଲ୍ଲାହଙ୍କ ଯୋଜନା ଅଟେ।" ଏହି ପୋଷ୍ଟ ପରେ, ପ୍ରଶଂସକମାନେ ତୁରନ୍ତ ଅଭିନେତ୍ରୀ ଏବଂ ତାଙ୍କ ସନ୍ତାନର ମଙ୍ଗଳ କାମନା କରିଛନ୍ତି। ମାହିରା ନିଜର ଗର୍ଭାବସ୍ଥା ଘୋଷଣାକୁ ସିମ୍ପଲ ରଖିଥିଲେ ଏବଂ ଏଥିପାଇଁ ଏକ ସାଧାରଣ ଧଳା ରଙ୍ଗର 'ଫୁଲ୍-ସ୍ଲିଭ୍' ଗାଉନ୍ ପିନ୍ଧିଥିବା ନଜର ଆସିଛନ୍ତି।

କହିବାକୁ ଗଲେ ମାହିରା ଖାନ ତିନି ବର୍ଷ ପୂର୍ବେ, ଅର୍ଥାତ୍ ୨୦୨୩ ମସିହାରେ ବ୍ୟବସାୟୀ ସଲିମ୍ କରିମଙ୍କୁ ବିବାହ କରିଥିଲେ। ତାଙ୍କ ସହ ଏହା ତାଙ୍କର ପ୍ରଥମ ସନ୍ତାନ ହେବ; ତଥାପି, ପୂର୍ବ ବିବାହରୁ ତାଙ୍କର ଆଜ୍ଲାନ୍ ନାମକ ଜଣେ ୧୭ ବର୍ଷୀୟ ପୁଅ ମଧ୍ୟ ଅଛି। ସେ ପୂର୍ବରୁ ୨୦୦୭ ମସିହାରେ ଅଲି ଆସ୍କାରୀଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୧୫ ମସିହାରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା।