ଭୁବନେଶ୍ଵର: ମେୟର ଓ ପୌରାଧକ୍ଷଙ୍କ ପାଇଁ ଆଉ ହୋଇ ନପାରେ ସିଧାସଳଖ ନିର୍ବାଚନ । ୨୦୨୭ ପୌର ନିର୍ବାଚନରେ ମେୟର ଓ ପୌରାଧକ୍ଷଙ୍କ ପାଇଁ ପରୋକ୍ଷ ନିର୍ବାଚନ କରିବାକୁ ଚିନ୍ତା କରୁଛନ୍ତି ସରକାର । କୁହାଯାଉଛି ଏଥିପାଇଁ ଆବଶ୍ୟକୀୟ ନିୟମରେ ସରକାର ସଂଶୋଧନ ଆଣିବେ । ଏହାହେଲେ ପୂର୍ବଭଳି କର୍ପୋରେଟରମାନେ ମେୟର ବାଛିବେ । ଯାହାକୁ ନେଇ ବିଜେଡି , ବିଜେପି ମୁହାଁମୁହିଁ ହୋଇଛନ୍ତି । ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

୨୦୨୭ ପୌର ନିର୍ବାଚନରେ ମେୟର ଓ ପୌରାଧକ୍ଷଙ୍କ ପାଇଁ ହୋଇପାରେ ପରୋକ୍ଷ ନିର୍ବାଚନ | ଅର୍ଥାତ ସିଧାସଳଖ ଭୋଟରମାନେ ମେୟର ନିର୍ବାଚିତ କରିବେ ନାହିଁ । ପୂର୍ବରୁ ଯେଭଳି କର୍ପୋରେଟରମାନେ ନିର୍ବାଚିତ ହେଲାପରେ ସେମାନଙ୍କ ଭିତରୁ ଜଣଙ୍କୁ ମେୟର ବାଛୁଥିଲେ ସରକାର ସେହି ଫର୍ମୁଲାକୁ ଫେରିବାକୁ ଚାହୁଁଛନ୍ତି । ଏଭଳି ଚର୍ଚ୍ଚା ରାଜନୈତିକ ମହଲରେ ଏବେ ସିରୋନାମା ପାଲଟିଛି| ୨୦୨୨ ରେ ପ୍ରଥମ କରି ରାଜ୍ୟର ସମସ୍ତ ପୌର ସଂସ୍ଥା ଅର୍ଥାତ୍, ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍ଏସିରେ ମେୟର ଏବଂ ପୌରାଧକ୍ଷ ପଦବି ପାଇଁ ସିଧାସଳଖ ନିର୍ବାଚନ ହୋଇଥିଲା |

Also Read: BJD ହାଇକୋର୍ଟ ଯିବା ପ୍ରସଙ୍ଗରେ ଅରବିନ୍ଦଙ୍କ ବଡ଼ ବୟାନ, ‘ମୁଁ କୌଣସି ଦଳର ନୁହେଁ, କାଗଜ କଲମରେ ବିଜେଡିରେ ଅଛି’

ସ୍ଥାନୀୟ ମତଦାତାମାନେ ନିଜ ପସନ୍ଦର ମେୟର ଓ ପୌରାଧକ୍ଷ ନିର୍ବାଚିତ କରିଥିଲେ । କିନ୍ତୁ ଆସନ୍ତା ୨୦୨୭ ପୌର ନିର୍ବାଚନରେ ଏହାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସରକାର । ଯାହାକୁ ନେଇ ରାଜନୈତିକ ବୟାନବାଜି ତେଜିଛି । ବିରୋଧୀ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର କରି ଜିତିଲା ଭଳି ମେୟର ନିର୍ବାଚନରେ ବି ସେହିଭଳି ଜିତିବାକୁ ଚାହୁଁଛନ୍ତି ସରକାର | ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ସରକାର ଠିକ ସମୟରେ ଠିକ ନିଷ୍ପତି ନେବେ | ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏନେଇ ସୂଚନା ଦେବେ ।

ଏପଟେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ | ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି | ଏଥିପାଇଁ ଡୋର ଟୁ ଡୋର ସର୍ଭେ କରାଯିବ | ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ସର୍ଭେ ପାଇଁ ମାଷ୍ଟର ଟ୍ରେନରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୩ ତାରିଖରେ ଆୟୋଜନ କରାଯିବ | ଜିଲ୍ଲାସ୍ତରରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଥିବା ଅଧିକାରୀମାନଙ୍କୁ ଏଥିରେ ଯୋଗଦେବାକୁ କୁହାଯାଇଛି | ଏହି ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ୍ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ | ପରେ ନିଯୁକ୍ତ ସର୍ଭେ ଟିମ୍ଗୁଡ଼ିକ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘର ଘର ବୁଲି ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ସର୍ଭେ କରିବେ ।

ମେୟର ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଲାଗୁ କରିବା ପାଇଁ ସରକାରଙ୍କୁ ବିଧାନସଭାରେ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ, ଏବଂ ଓଡ଼ିଶା ମ୍ୟୁନିସିପାଲିଟି କର୍ପୋରେସନ୍ ଆକ୍ଟ, ୨୦୦୩ରେ ଆଇନଗତ ସଂଶୋଧନ କରିବାକୁ ପଡ଼ିବ | ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯିବ ।