ଇସଲାମାବାଦ: ଫ୍ରାନ୍ସର ଜଣେ ମହିଳା ଏବଂ ତାଙ୍କର ୫ ପିଲାଙ୍କୁ ମୁକ୍ତି ମିଳିଛି । ଦୀର୍ଘ ୧୨ ବର୍ଷ ଧରି ବନ୍ଦୀ ଜୀବନ କାଟିବା ପରେ, ଶେଷରେ ସେମାନେ ବାହାର ଦୁନିଆ ଦେଖିବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ବନ୍ଦୀ କରିଥିବା ମଣିଷ ରୂପୀ ରାକ୍ଷସ ହେଉଛି, ମହିଳାଙ୍କ ସ୍ବାମୀ । ମହିଳା ଜଣକ ଫ୍ରାନ୍ସର ନାଗରିକ ହୋଇଥିବା ବେଳେ ତାଙ୍କର ୫ ଜଣ ପିଲା ଅଛନ୍ତି । ଦଶନ୍ଧିରୁ ଅଧିକ ସମୟ ଧରି ଘର ଭିତରେ ବନ୍ଦୀ କରି ରଖିବା ସହ ସେମାନଙ୍କ ଉପରେ ଅଭିଯୁକ୍ତ ଅମାନୁଷିକ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି।  ଏହି ଘଟଣା ପାକିସ୍ତାନରେ ଘଟିଥିବା ବେଳେ, ଏହାକୁ ନେଇ ବିଶ୍ବସ୍ତରରେ ଚର୍ଚ୍ଚା ଲାଗି ରହିଛି । ପାକିସ୍ତାନ ପୋଲିସ ଏହି ସୂଚନା ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ପୀଡ଼ିତା ମହିଳା ଓ ତାଙ୍କ ପିଲାମାନଙ୍କୁ ନର୍କଯନ୍ତ୍ରଣାରୁ ମୁକ୍ତ କରିଛି।

ସିଲଭି ୟାସମିନା (୫୪) ନାମକ ଏହି ଫ୍ରେଞ୍ଚ ମହିଳାଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀ ଦୈନିକ ସେମାନଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲା ଏବଂ ସେ ଅତ୍ୟନ୍ତ ହିଂସ୍ର ପ୍ରକୃତିର ଲୋକ । ଏହି କାହାଣୀ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ୟାସମିନାଙ୍କ ଜଣେ ପୁଅ କୌଣସି ପ୍ରକାରେ ସ୍ୱାମୀର ନଜରରୁ ବଞ୍ଚି ଘରୁ ଖସି ପଳାଇବାରେ ସଫଳ ହୋଇଥିଲା। ସେ ସେଠାକାର ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚି ନିଜ ପରିବାର ଉପରେ ହେଉଥିବା ଅତ୍ୟାଚାର ବାବଦରେ ଅଭିଯୋଗ କରିଥିଲା।

ଏହା ପରେ ପୋଲିସ ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ଦୁର୍ଗମ ପାର୍ବତ୍ୟ ସହର ବାରା (Bara) ସ୍ଥିତ ଏକ ଘରେ ଚଢ଼ାଉ କରିଥିଲା। ପୋଲିସ ସେଠାରେ ପହଞ୍ଚିବା ପରେ ଏକ ଅତି ଅନ୍ଧାରୁଆ, ଅଣଓସାରିଆ ଏବଂ ଜରାଜୀର୍ଣ୍ଣ କୋଠରୀ ଭିତରୁ ୟାସମିନା ଓ ତାଙ୍କ ୫ ସନ୍ତାନଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ବର୍ତ୍ତମାନ ସମସ୍ତଙ୍କୁ ପେଶାୱାରର ଏକ ମହିଳା ସେଲ୍ଟର ହୋମ୍ (ଆଶ୍ରୟସ୍ଥଳୀ) ରେ ରଖାଯାଇଛି ଏବଂ ସେମାନେ ଫ୍ରାନ୍ସ ଫେରିଯିବାକୁ ଯୋଜନା କରୁଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ୨୦୦୩ ମସିହାରେ ୟାସମିନା ଏବଂ ସମ୍ପୃକ୍ତ ପାକିସ୍ତାନୀ ନାଗରିକଙ୍କ ମଧ୍ୟରେ ବିବାହ ହୋଇଥିଲା। ସେତେବେଳେ ସେହି ବ୍ୟକ୍ତି ଜଣକ ଅଷ୍ଟ୍ରେଲିଆରେ ବେଆଇନ ଭାବେ ରହୁଥିଲା। ୨୦୧୪ ମସିହା ପର୍ଯ୍ୟନ୍ତ ସେମାନେ ନିଜର ଦୁଇଟି ସନ୍ତାନଙ୍କ ସହ ଅଷ୍ଟ୍ରେଲିଆରେ ରହୁଥିଲେ। ୨୦୧୪ ମସିହାରେ ଯେତେବେଳେ ଆମେ ଅଷ୍ଟ୍ରେଲିଆ ଛାଡ଼ି ପାକିସ୍ତାନ ଆସିଲୁ, ସେବେଠାରୁ ମୋ ସ୍ୱାମୀ ଆମକୁ ଏକ ପ୍ରକାର କାରାଗାରରେ ବନ୍ଦୀ କରି ରଖିଦେଲା। ଗତ ୧୨ ବର୍ଷ ହେବ ବାହାର ଦୁନିଆ ସହ ମୋର କୌଣସି ଯୋଗାଯୋଗ ନଥିଲା ବୋଲି ପୋଲିସକୁ କହିଛନ୍ତି ୟାସମିନା।

ଏହି ଦୀର୍ଘ ବର୍ଷର ବନ୍ଦୀ ଜୀବନ ମଧ୍ୟରେ ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ୟାସମିନାଙ୍କ କହିବା ଅନୁସାରେ, ତାଙ୍କୁ କାହାରିକୁ ମଧ୍ୟ ଭେଟିବାକୁ ଅନୁମତି ନଥିଲା। ଅଷ୍ଟ୍ରେଲିଆରୁ ଆସିଥିବା ଦୁଇ ବଡ଼ ପିଲାଙ୍କ ପାଠପଢ଼ା ଅଧାରୁ ବନ୍ଦ ହୋଇଯାଇଥିଲା। ପାକିସ୍ତାନ ଆସିବା ପରେ ଜନ୍ମ ହୋଇଥିବା ଅନ୍ୟ ତିନୋଟି ପିଲା କେବେ ସ୍କୁଲର ମାଟି ମାଡ଼ିନାହାନ୍ତି । ପୋଲିସ ନିକଟରେ ନିଜର ଦୁଃଖ ପ୍ରକାଶ କରି ୟାସମିନା କହିଛନ୍ତି, ‘ଆମ ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ଭାବେ ଛଡ଼ାଇ ନିଆଯାଇଥିଲା। ଜଣେ ସ୍ୱାମୀ ବା ପିତା ଭାବେ ସେ ନିଜର କୌଣସି କର୍ତ୍ତବ୍ୟ କରୁନଥିଲା, କେବଳ ପ୍ରତିଦିନ ମାଡ଼ ମାରୁଥିଲା। ମୋତେ ଲାଗୁଥିଲା ମୋର ଭବିଷ୍ୟତ ତ ଶେଷ ହୋଇଯାଇଛି, ଏବେ ମୋ ପିଲାମାନଙ୍କ ଜୀବନ ମଧ୍ୟ ବରବାଦ ହେବାକୁ ଯାଉଛି।’ ପୋଲିସ ବର୍ତ୍ତମାନ ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସ୍ୱାମୀ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଚଳାଇଛି ।