ନୂଆଦିଲ୍ଲୀ: ପାକିସ୍ତାନରେ 'ଅଲ୍ ପାକିସ୍ତାନ ପେଟ୍ରୋଲ ପମ୍ପ ଓନର୍ସ ଆସୋସିଏସନ୍' (APPPOA) ସହିତ ସରକାରଙ୍କ ଆଲୋଚନା ବିଫଳ ହୋଇଛି । ଏହା ପରେ ବୁଧବାର ରାତିରୁ ସଂଘ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟର ଘୋଷଣା କରିଛି । ପାକିସ୍ତାନୀ ଖବରକାଗଜ 'ଦ ଡନ୍' ଅନୁଯାୟୀ, ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପ୍ରତିଦିନ ପରିବର୍ତ୍ତନ ନିଷ୍ପତ୍ତି ଯୋଗୁଁ ଏହି ବିବାଦ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପେଟ୍ରୋଲିୟମ୍ ମନ୍ତ୍ରୀ ଅଲୀ ପରଭେଜ ମଲିକଙ୍କ ନେତୃତ୍ୱରେ ସରକାର ଏବଂ ସଂଘର ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ବୈଠକ ହୋଇଥିଲା । କିନ୍ତୁ ଉଭୟ ପକ୍ଷ କୌଣସି ସହମତିରେ ପହଞ୍ଚି ପାରିନଥିଲେ । ଏହା ପରେ ଆସୋସିଏସନ୍ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଥିଲା ।

ସଂଘର ଉପ-ସଭାପତି ନୌମାନ ଅଲୀ ଭଟ୍ଟ କହିଛନ୍ତି ଯେ, ଇନ୍ଧନ ମୂଲ୍ୟରେ ପ୍ରତିଦିନ ପରିବର୍ତ୍ତନ କରିବାର ନିଷ୍ପତ୍ତି ପେଟ୍ରୋଲ ପମ୍ପ ମାଲିକମାନଙ୍କ ପାଇଁ ଗ୍ରହଣଯୋଗ୍ୟ ନୁହେଁ । ଏହାକୁ କାର୍ଯ୍ୟକାରୀ କରିବା ମଧ୍ୟ ସମ୍ଭବ ନ ନୁହେଁ । ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ପ୍ରତ୍ୟେକ ମାସରେ କରାଯାଉ ବୋଲି ସେ ଦାବି କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଗତ ତିନି ବର୍ଷ ହେଲା ପେଟ୍ରୋଲ ପମ୍ପ ଡିଲରମାନଙ୍କ କମିଶନ୍ ବୃଦ୍ଧି କରାଯାଇ ନାହିଁ, ଯାହା ଫଳରେ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହିଛନ୍ତି।

Read Also:ଆଗକୁ ପେଟ୍ରୋଲରେ ମିଶିବ କି ଅଧିକ ଇଥାନଲ ? ସରକାର କହିଲେ ଏମିତି...

'ନୂଆ ବ୍ୟବସ୍ଥା ଯୋଗୁଁ ବ୍ୟବସାୟ ପ୍ରଭାବିତ'

ଆସୋସିଏସନର ସଭାପତି ହୁମାୟୁଁ ଖାନ୍ ଅଭିଯୋଗ କରିଛନ୍ତି ଯେ, ପ୍ରତିଦିନ ଦର ନିର୍ଦ୍ଧାରଣ କରିବା ବ୍ୟବସ୍ଥାର ଫାଇଦା କେବଳ ଅଏଲ୍ ମାର୍କେଟିଂ କମ୍ପାନିଗୁଡ଼ିକୁ ମିଳିବ । ତାଙ୍କ କହିବା ଅନୁଯାୟୀ, ଦର ହ୍ରାସ ପାଇବା ସ୍ଥିତିରେ କମ୍ପାନିଗୁଡ଼ିକ ଇନ୍ଧନ ଯୋଗାଣ ବନ୍ଦ କରିପାରନ୍ତି ଏବଂ ଆଡଭାନ୍ସ ବିଲିଂ ମାଧ୍ୟମରେ ଫାଇଦା ଉଠାଇପାରନ୍ତି । କିନ୍ତୁ ପେଟ୍ରୋଲ ପମ୍ପ ମାଲିକମାନଙ୍କ ବ୍ୟବସାୟ ପୂର୍ବରୁ ହିଁ ଅତ୍ୟନ୍ତ କମ୍ ଲାଭରେ ଚାଲିଛି ।

ସରକାର ବଢ଼ାଇଲେ ପେଟ୍ରୋଲ-ଡିଜେଲ ଦାମ

ପାକିସ୍ତାନ ସରକାର ମଙ୍ଗଳବାର ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪.୯୩ ପାକିସ୍ତାନୀ ଟଙ୍କା ଏବଂ ହାଇ-ସ୍ପିଡ୍ ଡିଜେଲ ମୂଲ୍ୟ ଲିଟର ପିଛା ୭.୧୫ ପାକିସ୍ତାନୀ ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୩୨୦.୭୩ ପାକିସ୍ତାନୀ ଟଙ୍କା ହୋଇଛି । ସେହିପରି ହାଇ-ସ୍ପିଡ୍ ଡିଜେଲ ମୂଲ୍ୟ ଲିଟର ପିଛା ୩୬୭.୨୧ ପାକିସ୍ତାନୀ ଟଙ୍କା ହୋଇଛି ।